ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ : କାଗଜ କଲମରେ ସୀମିତ ବିଶ୍ୱ ତମାଖୁ ବର୍ଜନ ଦିବସ : ପ୍ରହସନ ପାଲଟିଛି ଗୁଟଖା ବନ୍ଦ ଆଇନ

ହିଞ୍ଜିଳିକାଟୁ : ପ୍ରତିବର୍ଷ ମଇ ମାସ ୩୧ ତାରିଖକୁ ସାରା ଭାରତ ବର୍ଷରେ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଇଥାଏ । ତମାଖୁର ଭୟାବହତାକୁ ନେଇ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି ଉଦ୍ଦ୍ୟେଶରେ ଏହି ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷ ତମାଖୁ ଜନିତ ହୃଦରୋଗ ବିଷୟକୁ ଗୁରୁତ୍ୱ ଦିଆଯାଇଛି । ଏହା ସତ୍ତ୍ୱେ ତମାଖୁ କିମ୍ବା ତମାଖୁ ଜନିତ ଦ୍ରବ୍ୟର ବିକ୍ରି ଓ କ୍ରୟ ନିୟନ୍ତ୍ରଣ ହୋଇ ପାରିନାହିଁ । ୨୦୧୩ ମସିହା ଠାରୁ ଗୁଟଖାକୁ ନିଷିଦ୍ଧ ଘୋଷଣା କରାଯାଇଛି । ଏହା ମଧ୍ୟରେ ଦୀର୍ଘ ୧୧ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଗୁଟଖା ବିକ୍ରି ବନ୍ଦ ହୋଇ ପାରିନାହିଁ । ନିଷିଦ୍ଧ ଘୋଷଣା ହେବାର କିଛି ଦିନ ପର୍ଯ୍ୟନ୍ତ ଲୁଚାଛପାରେ ଏହାର ବିକ୍ରି ହେଉଥିଲା ବେଳେ ଏବେ ଖୁଲୁମ୍‌ଖୁଲା ଗୁଟଖା ବିକ୍ରି ହେଉଛି । ବିଦ୍ୟାଳୟ ଠାରୁ ଆରମ୍ଭ କରି ଡ଼ାକ୍ତରଖାନା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଗୁଟଖା ମାଳ ଝୁଲୁଥିବା ଦେଖିବାକୁ ମିଳୁଛି । କୋଟ୍‌ପା ଆଇନର ଧାରା ୬ ରେ ବିଦ୍ୟାଳୟ ଠାରୁ ୧୦୦ ମିଟର ମଧ୍ୟରେ ତମାଖୁ ବିକ୍ରି ବାରଣ କରାଯାଇଛି । ମାତ୍ର ପ୍ରଶାସନ ଏହାକୁ ଭୁଲି ଯାଇଛି । ପ୍ରଶାସନ ପକ୍ଷରୁ ଧରପଗଡ଼ ଠିକ୍ ଭାବେ ହେଉନଥିବାରୁ ଏହାର ବିକ୍ରି ଦିନକୁ ଦିନ ବଢିବାରେ ଲାଗିଛି । ଗୁଟଖା ନିଷିଦ୍ଧ ଘୋଷଣା ହୋଇଥିଲେ ମଧ୍ୟ ଏହାର ବିକ୍ରି ଚାଲିଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ।
ରାଜ୍ୟରେ କୋଟ୍‌ପା ଆଇନ ସହ କେନ୍ଦ୍ର ଖାଦ୍ୟ ସୁରକ୍ଷା ଓ ମାନବ ପ୍ରାଧିକରଣ ଆଇନ ବା ଏଫଏସଏସଆଇ କାର୍ଯ୍ୟକାରୀ ହେଉଛି । ଏଫଏସଏସଆଇ ଆଇନରେ ଜର୍ଦ୍ଧା ଓ ଖଇନି ଆସୁନଥିବାରୁ ଖାଦ୍ୟ ସୁରକ୍ଷା ପକ୍ଷରୁ ଏହାର ବିକ୍ରି ଉପରେ କଟକଣା ଜାରୀ କରିବା ସମ୍ଭବପର ହେଉନାହିଁ । ଗତ ୨୦୧୩ ମସିହା ଠାରୁ ରାଜ୍ୟ ସରକାର ତମାଖୁ ନିଷେଧ ପାଇଁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ତମାଖୁ ପ୍ରସ୍ତୁତି ସହ କିଣାବିକା ଓ କଟକଣା ଉପରେ ମଧ୍ୟ ଜାରୀ ହୋଇଛି । କିନ୍ତୁ ସରକାରଙ୍କ ଏଥିପ୍ରତି ଆନ୍ତରିକତା ନଥିବା ସ୍ୱଷ୍ଟ ବାରି ହୋଇପଡୁଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମତେ ଏହାର ଆଖପାଖ ଅଞ୍ଚଳରେ ଥିବା ପାନ ପୁଡ଼ିଆ ଦୋକାନରେ ବିନା ଦ୍ୱିଧାରେ ଗୁଟଖା ବିକ୍ରି ହେଉଛି । ଯେଉଁଠି ଦେଖିବ ମାଳମାଳ ଗୁଟଖା ପାଉଚ୍ ଦେଖିବାକୁ ମିଳୁଛି । ନା ହେଉଛି ଧରପଗଡ଼ ନା ହେଉଛି କାର୍ଯ୍ୟାନୁଷ୍ଠାନ । ବେଧଡ଼କ ଭାବେ ବିକ୍ରି ଚାଲିଛି ଗୁଟଖା ବେପାର । ତମାଖୁ ସେବନରେ ଅଭ୍ୟସ୍ତ ବ୍ୟକ୍ତି ମାନେ ଏହାର କୁପ୍ରଭାବ ଜାଣି ମଧ୍ୟ ଅଭ୍ୟାସ ଛାଡ଼ି ପାରୁନାହାନ୍ତି । ସଚେତନତା ଅଭାବରୁ ଅଧିକାଂଶ କିଶୋର ଓ ଯୁବପିଢି ମଧ୍ୟ କୁସଙ୍ଗରେ ପଡ଼ି ତମାଖୁ ସେବନ ପ୍ରତି ଆକର୍ଷିତ ହେଉଛନ୍ତି । ହିଞ୍ଜିଳିକାଟୁ ଏବଂ ଆଖପାଖ ଅଞ୍ଚଳର ଗୁଟଖା ବେପାରୀ ମାନେ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ ବ୍ରାଣ୍ଡର ଗୁଟଖା ଆଣି ଅବାଧରେ ବିକ୍ରି କରି ମାଲାମାଲ ହେଉଛନ୍ତି । ସରକାରଙ୍କ ତମାଖୁ ନିଷେଧ କେବଳ କାଗଜକଲମରେ ସୀମିତ ରହିଯାଉଥିବା ଦେଖିବାକୁ ମିଳୁଛି । ବର୍ଷକୁ ଥରେ ଅଧେ ଜିଲ୍ଲା ଖାଦ୍ୟ ସୁରକ୍ଷା ଓ ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଚଢାଉ କରାଯାଉଥିବା ଜଣାପଡିଛି । ତାହା ବି ପୁଣି ଲୋକ ଦେଖାଣିଆ ଭାବେ ହାତ ଗଣତି ମାତ୍ର ୪ କିମ୍ବା ୫ଟି ଛୋଟ ଛୋଟ ପାନ ଓ ଚାହା ଦୋକାନରୁ । ଗୁଟଖା ବିକ୍ରି ବାବଦକୁ ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରି ପ୍ରଶାସନ ହାତବାନ୍ଧି ବସୁଥିବା ଜଣାପଡିଛି । ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଇଲାକାେରେ ୨ଟି ଲୁଚାଛପାରେ ନକଲି ଗୁଟଖା ଓ ମାୱା ମସଲା ତିଆରି କାରଖାନା ଚାଲୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କିପରି ନିରବଦ୍ରଷ୍ଟା ସାଜିଛନ୍ତି, ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ନକଲି ଗୁଟଖା ପ୍ରସ୍ତୁତକାରୀ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି ବେଆଇନ କାରଖାନା ଚାଲୁଥିବା ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ତମାଖୁ ସେବନ ଦ୍ୱାରା ମୁଖ କର୍କଟ, ଯକ୍ଷ୍ମା ଭଳି ଦୂରାରୋଗ୍ୟରେ ପୀଡ଼ିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ହିଞ୍ଜିଳିକାଟୁ ଅଞ୍ଚଳରେ ମଧ୍ୟ ଏହାର ସଂଖ୍ୟା କିଛି କମ୍ ନୁହେଁ । ହିଞ୍ଜିଳିକାଟୁ ସହରରେ ଦୈନିକ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗୁଟଖା କାରବାର ହେଉଥିବା ଲକ୍ଷ୍ୟ କରାଯାଉଛି । ଜଣେ ତମାଖୁ ସେବନ କରିବା ଦ୍ୱାରା ତାର ମାନସିକତା ଗଭୀର ଭାବେ ପ୍ରଭାବିତ ହୋଇଥାଏ ଓ ଅଭ୍ୟାସ ହୋଇଗଲା ପରେ ଏହାକୁ ଛାଡ଼ିବା କଷ୍ଟକର ହୋଇପଡିଥାଏ । ତମାଖୁ ଉପରେ ସେ ଏତେ ମାତ୍ରାରେ ନିର୍ଭରଶୀଳ ହୋଇପଡେ ଯେ, ପରିଣାମ ଯାହା ହେଉ ନା କାହିିଁକି ଅଭ୍ୟାସ ଛାଡ଼ି ପାରେନାହିଁ । କେବଳ ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଦ୍ୱାରା ହିଁ ଜଣେ ତମାଖୁ ଠାରୁ ଦୂରେଇ ରହିପାରିବ । ଏଥିପାଇଁ ପରିବାରର ସହଯୋଗ ସହ ଉପଯୁକ୍ତ ପରାମର୍ଶଦାତାର ମଧ୍ୟ ଆବଶ୍ୟକତା ରହିଛି । ତେବେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ତମାଖୁ ଦ୍ରବ୍ୟ ତ୍ୟାଗ କରିବା ଲାଗି ଶପଥ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.