ଗୁଣ୍ଡା କ୍ରିମିନାଲକୁ ସମର୍ଥନ କରୁଛି ବିଜେପି: ସସ୍ମିତ ପାତ୍ର

ଭୁବନେଶ୍ୱର: ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ନାମକ ଜଣେ ଗୁଣ୍ଡାଙ୍କୁ କିଛି ଦିନ ତଳେ ଗିରଫ କରାଯାଇଥିଲା । ଗିରଫ ହେବା ପରେ ଆଜି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ କିଛି ଗଣମାଧ୍ୟମ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି । ଇଭିଏମ୍ ଭାଙ୍ଗିବା, ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀ ଓ ସେଠାରେ ଧାଡ଼ିରେ ଠିଆ ହୋଇଥିବା ଭୋଟରଙ୍କୁ ମାଡ଼ ମାରିବା କାରଣରୁ ଯେମିତି ତାଙ୍କର ମହାନତା ବୃଦ୍ଧି ପାଇଛି ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ଜଗଦ୍ଦେବ ହେଉଛନ୍ତି ସେହି ବ୍ୟକ୍ତି ଯିଏ ୨୦୨୨ରେ ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ କାର ଚଢାଇ ଦେଇଥିଲେ । ତାଙ୍କ ଏପରି ଅନେକ ଅପରାଧିକ କାର୍ଯ୍ୟକଳାପ ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ । କିନ୍ତୁ ଓଡ଼ିଶା ବିଜେପି ନେତାମାନେ ତାଙ୍କୁ ଫୁଲମାଳ ପକାଇ ସ୍ୱାଗତ କରିବା ପରେ ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦେଇଥିଲେ । ସେତେବେଳେ କିନ୍ତୁ ଭୁବନେଶ୍ୱର ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ, ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳିଆ ଲୋକର ଜାଗା ବାହାରେ ନୁହେଁ ବରଂ ଜେଲ ଭିତରେ । ଏପରି ଅନେକ ବିଜେପି ନେତା ନାନା ପ୍ରକାର କଥା କହିଥିଲେ । ଏବେ କିନ୍ତୁ ଆପଣ ଓଡ଼ିଶା ବିଜେପି ନେତାଙ୍କ ଦୋମୁହାଁ ନୀତି ଏବଂ ଦୋମୁହାଁ ଚରିତ୍ରକୁ ଭଲ ଭାବରେ ଦେଖିପାରିବେ । ଶ୍ରୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଦ୍ୱାରା ଇଭିଏମ ଭାଙ୍ଗିବା ପରେ ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଥିଲା, କିନ୍ତୁ ତାଙ୍କୁ ନିର୍ଦ୍ଦୋଷ ଓ ମହାପୁରୁଷ ଭାବେ ଚିତ୍ରଣ କରାଯାଉଛି ବୋଲି କହିଛନ୍ତି ଶ୍ରୀ ପାତ୍ର ।

ଜଗଦ୍ଦେବଙ୍କ ବ୍ୟତିତ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ ଏବଂ ବୈଜୟନ୍ତ ପଣ୍ଡାଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଯେ, ଚାକିରି ଦେବାର ପ୍ରତିଶ୍ରୁତି ଦେଇ ନିଜ ନିର୍ବାଚନମଣ୍ଡଳୀର ଗରିବ ଲୋକଙ୍କୁ ଠକିଥିବା ଶ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡି ବହିଷ୍କାର କରିଥିଲା । ଯେଉଁ ବ୍ୟକ୍ତିଙ୍କ ବିରୋଧରେ ବିଜେପି ଆନ୍ଦୋଳନ କରୁଥିଲା, ତାଙ୍କୁ ଫୁଲମାଳ ପକାଇ ସେମାନେ ତାଙ୍କୁ ନିଜର ଆଗଧାଡ଼ିର ନେତା କରିଥିଲେ । ସେହିପରି ଆଉ ଜଣେ ପୋଷ୍ଟର ବୟ ହେଉଛନ୍ତି ଜମି ଜବରଦଖଲକାରୀ ଶ୍ରୀ ବୈଜୟନ୍ତ ପଣ୍ଡା । ତାଙ୍କ କମ୍ପାନୀ ଅନୁସୂଚିତ ଜାତିର ଲୋକଙ୍କ ଠାରୁ ବେଆଇନ ଜମି ଜବରଦଖଲ କରିଛି । ଏଥିପାଇଁ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରହିଛି । ସେହିଭଳି ତାଙ୍କ ମାଲିକାନାରେ ଥିବା ଟିଭି ଚ୍ୟାନେଲ ସରକାରୀ ଜମିକୁ ଦଖଲ କରିଛି । ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ହଟାଇ ଦେଇଥିଲା ବିଜେଡି । କିନ୍ତୁ ବିଜେପି ତାଙ୍କୁ ସାମିଲ କରିଛି ।

ନିର୍ବାଚନ ସମୟରେ ଯେଉଁ କେନ୍ଦ୍ରୀୟ ନେତାମାନେ ନିର୍ବାଚନ ପର୍ଯ୍ୟଟକ ଭାବରେ ଓଡ଼ିଶା ଆସୁଛନ୍ତି ଏବଂ ଓଡ଼ିଶା ବିଜେପି ନେତାମାନେ ସେମାନଙ୍କୁ ଦିଆଯାଇଥିବା ଲେଖାକୁ ଶୁଆ ଭଳି ଦୋହରାଉଛନ୍ତି ସେମାନେ ବୋଧହୁଏ ଓଡ଼ିଶା ବିଜେପି ଏବଂ ଅପରାଧୀଙ୍କୁ ସ୍ୱାଗତ କରିବା ଏବଂ ସେମାନଙ୍କୁ ଟିକେଟ ଦେବାର ନୀତି ବିଷୟରେ ଅବଗତ ନୁହଁନ୍ତି । ଏହି କେନ୍ଦ୍ରୀୟ ନେତାମାନେ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହୁଛନ୍ତି । ଏହା ଶୁଣି ସମଗ୍ର ଓଡ଼ିଶାବାସୀ ହସୁଛନ୍ତି । ଯେତେବେଳେ ଓଡ଼ିଶା ବିଜେପି ନେତାମାନେ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ରକ୍ଷା କରିବା ପାଇଁ ଆଜି ଲାଇଭ୍ ଟେଲିଭିଜନରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । କେନ୍ଦ୍ରୀୟ ନେତାଙ୍କ କଥା ଫମ୍ପା ଭଳି ଲାଗୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

nis-ad
Leave A Reply

Your email address will not be published.