ରାୟଗଡ଼ା ଜିଲ୍ଲାରେ ନୂଆ ୩୩ କେଭି ଲାଇନ ସ୍ଥାପନ କଲା ଟିପିଏସ୍ଓଡିଏଲ୍

• ଗୁଣୁପୁର ଅଞ୍ଚଳର ୮୭ ଗ୍ରାମର ବିଜୁଳି ସେବା ସୁଦୃଢ଼

ବ୍ରହ୍ମପୁର, ମଇ: ଚଳିତ ଗ୍ରୀଷ୍ମ ପ୍ରବାହରେ ଗୁଣାତ୍ମକ ତଥା ଭରସାଯୋଗ୍ୟ ବିଜୁଳି ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଭିତ୍ତିଭୂମି ରକ୍ଷଣାବେକ୍ଷଣ ତଥା ନବୀକରଣ କାର୍ଯ୍ୟ ଜାରି ରଖିଛି । କମ୍ପାନୀ ରାୟଗଡ଼ା ଜିଲ୍ଲା ଗୁଣପୁର ଗ୍ରୀଡ ସବଷ୍ଟେସନଠାରୁ ବିକ୍ରମପୁର ପ୍ରାଇମେରୀ ସବଷ୍ଟେସନ (ପିଏସଏସ)ପର୍ଯ୍ୟନ୍ତ ଏକ ୯ କିଲୋମିଟର ଦୂରତା ବିଶିଷ୍ଟ ନୂତନ ୩୩ କେଭି ଲାଇନ ସ୍ଥାପନ କରିଛି ।

ପୂର୍ବରୁ ବିକ୍ରମପୁର ପ୍ରାଇମେରୀ ସବଷ୍ଟେସନ ଅନ୍ତର୍ଗତ ଉପଭୋକ୍ତାମାନେ ୨୭ କିଲୋମିଟର ଦୂରରେ ଥିବା ଆଖୁସିଙ୍ଗି ଗ୍ରୀଡ୍ ସବଷ୍ଟେସନରୁ ୩୩ କେଭି ଲାଇନ ଯୋଗେ ବିଜୁଳି ସେବା ପାଉଥିଲେ । ଦୂରତା ଓ ପୁରୁଣା ଲାଇନ କାରଣରୁ ସଂପୃକ୍ତ ଅଞ୍ଚଳରେ ନିରନ୍ତର ବିଜୁଳି ଯୋଗାଣରେ ସମସ୍ୟା ଦେଖାଦେଉଥିଲା । ମାତ୍ର ସଂପ୍ରତି ନୂଆ ଲାଇନ ସ୍ଥାପନ ହୋଇଥିବା ହେତୁ ୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୭ ଗ୍ରାମର ୪୬୭୦ ଉପଭୋକ୍ତାଙ୍କୁ ପୂର୍ବାପେକ୍ଷା ଅଧିକ ଭରସାଯୋଗ୍ୟ ବିଜୁଳି ସେବା ମିଳୁଛି ।

ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର, ମରମ, ଗୋଟଳପଦର, ଶିରିଝୋଲି ଓ ବାଘଶାଳା ପଞ୍ଚାୟତ ଓ ରାମନାଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୁଲୁମୁଣ୍ଡା ଓ ଉକାମ୍ବା ପଞ୍ଚାୟତର ବିଜୁଳି ଉପଭୋକ୍ତାମାନେ ଏହି ନୂତନ ୩୩ କେଭି ବିଜୁଳି ଲାଇନର ସେବା ପାଉଛନ୍ତି । ଏହି ସବୁ ଅଞ୍ଚଳରେ ଥିବା ଲୋ-ଭୋଲଟେଜ୍ ଓ ବିଜୁଳି ବ୍ୟାହତ ଜନିତ ସମସ୍ୟା ଦୂର ହୋଇଛି ।

ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ । ଗୁଣପୁରରୁ ବିକ୍ରମପୁର ମଧ୍ୟରେ ନୂଆ ୩୩ କେଭି ଲାଇନ ଏହି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହାଦ୍ୱାରା ସଂପୃକ୍ତ ଅଞ୍ଚଳରେ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ବିଜୁଳି ସେବା ମିଳିବ । ଆଗାମୀ ଦିନରେ ମଧ୍ୟ କମ୍ପାନୀ ନିଜର ଉପଭୋକ୍ତାଙ୍କ ସେବା କ୍ଷେତ୍ରରେ ନିବେଶ ଜାରି ରଖିବ ।“

nis-ad
Leave A Reply

Your email address will not be published.