ମାଲକାନଗିରି : ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ପାଣ୍ଡ୍ରିପାଣି ଠାରେ ଅଜଣା ଗାଡି ଧକ୍କାରେ ଜଣେ କାର ଚାଳକର ମୃତ୍ୟୁଘଟିଛି, ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଶରୀର ଜବତ କରି ତଦନ୍ତ ଆରମ୍ଭ କରିଛି। ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗନ କିଣ୍ଡୋଙ୍କ ସୂଚନା ଅନୁଯାଇ ଗୁରୁବାର ବିଳମ୍ବିତ ରାତିରେ ମାଲକାନଗିରି ଜୟପୁର ୩୨୬ ଜାତୀୟ ରାଜପଥ ପାଣ୍ଡ୍ରିପାଣି ନିକଟ ମୂଖ୍ୟ ରାସ୍ତାରେ କେହିଜଣେ ବ୍ୟକ୍ତି ଅଜଣା ଗାଡି ଧକ୍କାରେ ମୃତ୍ୟୁ କରିଥିବା ନେଇ ମାଲକାନଗିରି ଥାନାକୁ ଫୋନ ଆସିଥିଲା। ତେବେ ଏହି ଖବର ପାଇ ତୁରନ୍ତ ମାଲକାନଗିରି ଥାନା ପୋଲିସ ଟିମ ଘଟଣା ସ୍ଥଳରେ ପହଁଚି ରାସ୍ତାରେ ପଡିଥିବା ବ୍ୟକ୍ତି ଙ୍କର ମୃତ ଶରୀର ଜବତ କରି ଯାଞ୍ଚ କରିଥିଲେ। ମୃତ ବ୍ୟକ୍ତିଙ୍କ ନିକଟରେ ଏକ ଏପି ୨୮ଡି ଭି ୬୭୨୫ ନମ୍ବର ନାଲି ରଙ୍ଗର କାର ଥିବାର ଦେଖିବାକୁ ମିଳିଥିବା ବେଳେ କାର ଟିକୁ ଯାଞ୍ଚ କରିବାରୁ ମୃତ ବ୍ୟକ୍ତିଙ୍କ ନିଜ ଘର ହାଇଦ୍ରାବାଦ ନେଲୁର ଅଞ୍ଚଳରେ ଥିବା ଜଣା ପଡିଥିଲା।
ତେବେ ସେ ଜୟପୁର ଠାରୁ ମାଲକାନଗିରି ରାସ୍ତା ଦେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବେଳେ ଜିଲ୍ଲାର ପାଣ୍ଡ୍ରିପାଣି ନିକଟରେ ଅଟକି ଥିଲା । କାର ଚାଳକ ଓହ୍ଲାଇ ରାସ୍ତାରେ ଶୋଇପଡ଼ିଥିଲେ, ତାଙ୍କୁ କିଛି ବାଟୋଇ ଜାତୀୟ ରାଜପଥରେ ନଶୋଇବାକୁ ବାରଣ କରି ପଳାଇଥିଲେ। ପ୍ରାୟ ରାତ୍ର ୧୧ଟା ପରେ ସେହି ରାସ୍ତାରେ ଯାଉଥିବା କିଛି ବାଟୋଇ ତାଙ୍କ ରକ୍ତାକ୍ତ ଓ କ୍ଷତ ବିକ୍ଷତ ମର ଶରୀର ଦେଖି କେଉଁ ଅଜଣା ଗାଡି ଧକ୍କାରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଇପାରେ ଭାବି ମାଲକାନଗିରି ଥାନାକୁ ଖବର ଦେଇଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ ପୁଲିସଙ୍କୁ କହିଛନ୍ତି। ଆଜି ସକାଳେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ପୁଲିସ ଟିମ ପହଁଚି ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଇବା ସହ ସଡକ କଦରେ ଥିବା ନାଲି ରଙ୍ଗର କାର ଟିକୁ ଜବତ କରି ପୁଲିସ ଥାନାକୁ ନେଇଯାଇଛନ୍ତି। ନିକଟରେ କେହି ପରିବାର ଲୋକ ନଥିବାରୁ ଆଜି ଶବ ବ୍ୟବଚ୍ଛେଦ ହୋଇ ନ ପାରି ମାଲକାନଗିରି ଜିଲ୍ଲା ହସ୍ପିଟାଲ ଶବସଂରକ୍ଷଣ ଗୃହରେ ଶବକୁ ସୁରକ୍ଷିତ ଭାବେ ରଖା ଯାଇଛି। ମୃତ ବ୍ୟକ୍ତିଙ୍କର ପରିବାରଙ୍କୁ ଖବର ଦିଆଯାଇଥିବା ବେଳେ ସେମାନେ ହାଇଦ୍ରାବଦରେ ରହୁଥିବାରୁ ଆସନ୍ତା କାଲି ମାଲକାନଗିରିରେ ପହଁଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏନେଇ ପୋଲିସ ଦୁର୍ଘଟଣା ଜନିତ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ ପ୍ରକାଶ କରିଛନ୍ତି।