ଫୁଲବାଣୀ : ଫୁଲବାଣୀର ଜଣେ ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ଓମ ପ୍ରକାଶ ପଣ୍ଡାଙ୍କର ଆଜି ତାଙ୍କର ରାଇକିଆ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଆଜି ସକାଳ ପ୍ରାୟ ୯ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଓମ ପ୍ରକାଶ ଫୁଲବାଣୀ ଏଜେଓ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ ଦିର୍ଘବର୍ଷ ଧରି କାର୍ଯ୍ୟରତ ରହିଥିଲେ। ଗତ ପ୍ରାୟ ଏକ ବର୍ଷ ହେଲା ସେ ଚାକିରିରୁ ଅବସର ନେଇଥିଲେ। ସେ ଜଣେ ମିଷ୍ଟଭାଷୀ ଓ ମେଳାପୀ ମଣିଷ ତଥା ଜଣେ ଲୋକପ୍ରିୟ ବ୍ଯକ୍ତିତ୍ବର ଅଧିକାରୀ ଥିଲେ। କ୍ଯାନସର ରୋଗରେ ଆକ୍ରାନ୍ତ ହୋଇ ସେ ଗତ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚିକିତ୍ସିତ ହେଉଥିଲେ।
ଆଜି ସକାଳେ ୯ ଟା ସମୟରେ ସେ ଖାଦ୍ୟ ଗ୍ରହଣ କରିବା ସମୟରେ ଆସ୍ବସ୍ଥି ଅନୁଭବ କରିଥିଲେ ଏବଂ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ଫୁଲବାଣୀ ଅଣାଯିବା ପରେ,ବନ୍ଧୁ ଓ ସହପାଠୀ ମାନେ ପୂରୀ ସ୍ବର୍ଗ ଦ୍ବାରକୁ ଅନ୍ତ୍ଯେଷ୍ଟି କ୍ରିୟା ପାଇଁ ନେଇ ଯାଇଥିଲେ। ତାଙ୍କର ଦେହାନ୍ତ ରେ ଫୁଲବାଣୀ ଏଜେଓ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ, ଆଲୁମିନ ଗ୍ରୁପର ସଦସ୍ୟ ସଦସ୍ୟା, ଫୁଲବାଣୀ ବନଜ୍ୟୋସ୍ନା ସାହିତ୍ୟ ସଂସଦର ସଭାପତି ପ୍ରଶାନ୍ତ କୁମାର ବେହେରା ଓ ସମ୍ପାଦକ ଡ କାହ୍ନୁଚରଣ ଶତପଥି, ଉପସଭାପତି ଶରତ ଚନ୍ଦ୍ର ମହାନ୍ତିଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ଓ ଅନ୍ୟ ବରିଷ୍ଠ ସାରସ୍ୱତ ପ୍ରେମୀ ମାନଙ୍କ ସମେତ, ଫୁଲବାଣୀର ବରିଷ୍ଠ ସାମ୍ବାଦିକ ଡ ଅରୁପ କୁମାର ଜେନା, ଜିଲ୍ଲା ପ୍ରେସକ୍ଲବ ର ସଭାପତି ସୂନୀଲ ପଟ୍ଟନାୟକ, ସମ୍ପାଦକ ବିରୁପାକ୍ଷ ସୁବୁଦ୍ଧି ଏବଂ ତାଙ୍କର ସହପାଠୀ ମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କର ପତ୍ନୀ ସସ୍ମିତା ପାଣିଗାହି ଓ ୧୪ ବର୍ଷର ପୁଅ ଥିଲେ। ଜୀବନ କାଳରେ ସେ ଅନେକ କବିତା ଓ ଗଳ୍ପ ରଚନା କରିଯାଇଛନ୍ତି। ତାଙ୍କର ଦେହାନ୍ତ ଯୋଗୁଁ ଫୁଲବାଣୀ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ଫୁଲବାଣୀ ସାହିତ୍ୟିକ ମହଲରେ ଆଲୋଚନା ହୋଇଛି।