ପୌରାଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

ଫୁଲବାଣୀ: ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସ୍ଥଗିତାଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ପ୍ରକାଶ ଥାଉ କି ଆଜି ଅନାସ୍ଥା ଉପରେ ମତଦାନ ହେବାର ଥିଲା। ଏ ନେଇ ଜିଲାପାଳ ନୋଟିସ ଜାରୀ କରିଥିଲେ। ତେବେ ହାଇକୋର୍ଟଙ୍କ ଆଦେଶ ପରେ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ଏହା ସ୍ଥଗିତ ରହିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ(ନିର୍ବାଚନ) ରମେଶ ଚନ୍ଦ୍ର ଜେନା। ସୂଚନା ଅନୁସାରେ, ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପାଇଁ ମ୍ୟୁନିସିପାଲିଟିର ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ଅନାସ୍ଥା ପାଇଁ ଆବେଦନ କରିଥିଲେ। ଆବେଦନର ଅନୁଧ୍ୟାନ କରି ଜିଲାପାଳ ପୌର ପରିଷଦ ଆଇନର ଧାରା ୫୪(୨) ଅନୁସାରେ ଆସନ୍ତା ୨୩ ତାରିଖ ଦିନ ଏହା ଉପରେ ଆଲୋଚନା ଏବଂ ଆବଶ୍ୟକ ସ୍ଥଳେ ମତଦାନ ପାଇଁ ଚିଠି ନଂ ୬୭୪/୧୫-୪-୨୪ କ୍ରମେ ନୋଟିସ ଜାରୀ କରିଥିଲେ। ପୌରାଧ୍ୟକ୍ଷା ଏହି ନୋଟିସ ବିରୋଧରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ସୋମବାର ଶୁଣାଣି କରି ସ୍ଥଗିତାଦେଶ ଦେଇଛନ୍ତି। ସ୍ମିତାରାଣୀ ଗତ ପୌର ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନ ଲଢି ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଗତ କିଛି ଦିନ ଧରି ତାଙ୍କ ବିରୋଧ ରେ କାଉନସିଲର ମାନେ ଅସନ୍ତୋଷ ପ୍ରକାଶ କରି ଆସୁଥିଲେ l ନିୟମ ଅନୁଯାୟୀ ଦୁଇ ବର୍ଷ ପୂର୍ତ୍ତି ନ ହେବା ପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବ ଆଗତ କରଯାଇ ପାରିବ ନାହିଁ । ତେଣୁ ଏଗାର କାଉନସିଲର ଦୁଇ ବର୍ଷ ପୂର୍ତ୍ତି ପାଇଁ ଅପେକ୍ଷା କରିଥିଲେ l ସୂଚନା ଯୋଗ୍ୟ ଯେ ଏବେ ୧୩ ଜଣିଆ କାଉନସିଲରେ ବିଜେଡିର ୭ ଜଣ କାଉନସିଲର ଥିବାବେଳେ ବିଜେପିର ୪ ଓ ଦୁଇ ଜଣ ସ୍ବାଧୀନ କାଉନସିଲର ଅଛନ୍ତି। ନିଜେ ପୌରାଧ୍ୟକ୍ଷା ବିଜେପି ଦଳର ହୋଇଥିବାବେଳେ ଅନାସ୍ଥା ଆଣିଥିବା ୧୧ ଜଣଙ୍କ ମଧ୍ୟରେ ୨ ଜଣ ବିଜେପି କାଉନସିଲର ସାମିଲ ଅଛନ୍ତି।

nis-ad
Leave A Reply

Your email address will not be published.