ଝାରସୁଗୁଡ଼ା ଡ଼ଙ୍ଗା ବୁଡି ଘଟଣାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଶୋକ

ଭୁବନେଶ୍ବର : ଝାରସୁଗୁଡ଼ା ଜିଲ୍ଲା ମହାନଦୀରେ ଡଙ୍ଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଯେ ଓଡ଼ିଶାର ଝାରସୁଗୁଡ଼ା ନିକଟରେ ମହାନଦୀରେ ନୌକାବୁଡ଼ି ହେବା ଯୋଗୁଁ ଅନେକ ଲୋକଙ୍କର ପ୍ରାଣହାନି ଘଟିଛି ଜାଣି ମୁଁ ଦୁଃଖିତ। ଶୋକସନ୍ତପ୍ତ ପରିବାରଗୁଡ଼ିକ ପ୍ରତି ମୁଁ ସମବେଦନା ଜ୍ଞାପନ କରୁଛି। ନୌକାବୁଡ଼ିରେ ଆଘାତପ୍ରାପ୍ତ ଲୋକମାନଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଲଖନପୁର ମହାନଦୀରେ ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ଶନିବାର ସକାଳ ସୁଦ୍ଧା ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଛି। ଶୁକ୍ରବାର ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ଡଙ୍ଗା ବୁଡିଯାଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ମହିଳା ଓ ୩ ଶିଶୁଙ୍କ ସମେତ ୭ ଜଣ ନିଖୋଜ ରହିଥିଲେ। ଡଙ୍ଗାରେ ପ୍ରାୟ ୫୦ ଜଣ ଥିଲେ। ଏମାନେ ବରଗଡ ବାଞ୍ଜିପାଲିକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ପ୍ରାୟ ୪୩ ଜଣ ଲୋକଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଉଦ୍ଧାର କରିଥିଲେ।

nis-ad
Leave A Reply

Your email address will not be published.