ଆସିକା (୧୮/୪) : ଭାଇଚାରାର ମହତ୍ ସନ୍ଦେଶ ନେଇ ଆସିକା ବିଜ୍ଞାନ ମହାବିଦ୍ୟାଳୟର ହିନ୍ଦୀ ବିଭାଗୀୟ ଯୁକ୍ତ ତିନି ଅନ୍ତିମ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ପାଠଚକ୍ରର ଆୟୋଜନ କରାଯାଇଥିଲା, ଯାହାର ସଂଦର୍ଭ ହିନ୍ଦୀ ଭାଷାସାହିତ୍ୟରେ ଉଜ୍ଜ୍ବଳ ଭବିଷ୍ୟତ ଥିଲା। ଯୁକ୍ତ ତିନି ପ୍ରଥମ ଏବଂ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ବିଦ୍ୟାର୍ଥିମାନେ ହିନ୍ଦୀ ଶିକ୍ଷାରେ କିପରି ନିଜ ନିଜର ଭବିଷ୍ୟତ ଗଠନ କରିପାରିବେ ସେଥିପ୍ରତି ଦୃଷ୍ଟିରେ ରଖି ଏହି ବିଦାୟୀକାଳୀନ ସମ୍ବର୍ଦ୍ଧନା ମହୋତ୍ସବଟି ପାରମ୍ପରିକ ରୀତିରେ ପାଳିତ ହୋଇଯାଇଥିଲା।
ଶେଷବର୍ଷର ଛାତ୍ରଛାତ୍ରୀମାନେ ତିନି ବର୍ଷର ଗତାନୁଗତିକ ଶୈକ୍ଷିକ ବାତାବରଣ ଭିତରେ ହିନ୍ଦୀ ବିଭାଗର ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ମାର୍ଗଦର୍ଶନ, ପରିଶ୍ରମ ଏବଂ ପଠନ ପ୍ରକ୍ରିୟାକୁ ଭୂୟଷୀ ପ୍ରଶଂସା କରିଥିଲେ। ବିଭାଗୀୟ ମୁଖ୍ୟା ଡ. ଜିନିତ୍ ସବା ନିଜ ଆଶୀର୍ବଚନରେ ନିଜର ସ୍ନାତକ ପରେ ଉଜ୍ଜ୍ବଳମୟ ଭବିଷ୍ୟତକୁ କିପରି ଆପଣାଇ ପାରିବେ, ସେଥିପାଇଁ ଚୁମ୍ବକରେ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ନିଜର ମତ ରଖିଥିବା ବେଳେ ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ହିନ୍ଦୀ ଭାଷା ସାହିତ୍ୟକୁ ନେଇ କେତେ ପ୍ରକାରର ଭାରତ ସରକାର, ରାଜ୍ୟ ସରକାର, ଆନ୍ତର୍ଜାତୀୟ ତଥା ବେସରକାରୀ ସ୍ତରରେ ଚାକିରିର ସୁଯୋଗ ରହିଛି ତାହାର ସବିଶଦ ବିବରଣୀ ପାଠ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରିଥିଲେ।
ନବାଗତ ଅଧ୍ୟାପିକା ସୁଶ୍ରୀ କୁନିକା ଦାଶ ମଧ୍ୟ ସଂଦର୍ଭ ସହ ହିନ୍ଦୀର ମହତ୍ବକୁ ସମସ୍ତଙ୍କ ନିକଟରେ ପ୍ରତିପାଦନ କରିଥିଲେ। ନିଜ ମହାବିଦ୍ୟାଳୟର ଅନେକ ମେଧାବୀ ହିନ୍ଦୀ ଛାତ୍ରଛାତ୍ରୀମାନେ ଆସିକା ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଗଢିତୋଳିଥିବାର ଗର୍ବ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦିଆଯାଇଥିଲା। ଏହା ଏକ ଆନନ୍ଦର ବିଷୟ ଓଡ଼ିଶା ବାହାରେ ମଧ୍ୟ ଅନେକ ମେଧାବୀ ହିନ୍ଦୀ ଛାତ୍ରଛାତ୍ରୀ ହିନ୍ଦୀ ଭାଷାସାହିତ୍ୟରେ ଚାକିରି ପାଇବାର ସୁଯୋଗ ପାଇଛନ୍ତି। ଏହି ଉତ୍ସବରେ ଦିବଙ୍ଗତ ହିନ୍ଦୀ ରିଡର୍ ଡ. ଶେଖ୍ ସଇଦଙ୍କ ହିନ୍ଦୀ ବିଭାଗ ପ୍ରତି ଅଶେଷ ଅବଦାନକୁ ସ୍ମୃତିଚାରଣ କରାଯାଇଥିଲା। ମହାବିଦ୍ୟାଳୟରେ ହିନ୍ଦୀ ଭାଷା ସାହିତ୍ୟର ଚାହିଦାକୁ ଆଖି ଆଗରେ ରଖି ହିନ୍ଦୀ ସ୍ନାତକୋତ୍ତର ପାଠ୍ୟକ୍ରମର ଅୟମାରମ୍ଭ ହୋଇପାରିଲେ ଆସିକା ଅଞ୍ଚଳର ହିନ୍ଦୀ ଶିକ୍ଷାର୍ଥିମାନେ ବିଶେଷ ଉପକୃତ ହୋଇପାରିବେ ଏବଂ ହିନ୍ଦୀ ଭାଷା ସାହିତ୍ୟର ଉତ୍ତରୋତ୍ତର ଉନ୍ନତି ହୋଇପାରିବ ବୋଲି ଅଧ୍ୟାପକ ସାହୁ ନିଜ ବ୍ୟକ୍ତବ୍ୟ ରଖିଥିଲେ। ସୂଚନା ଯୋଗ୍ୟ ଯେ ଦୀର୍ଘ ୧୪ ବର୍ଷ ଧରି ଲଗାତାର ବ୍ରହ୍ମରୁର ବିଶ୍ବବିଦ୍ୟାଳୟରୁ ହିନ୍ଦୀ ସ୍ନାତକରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶ୍ରେଷ୍ଠତମ ରୂପେ ଯୋଗ୍ୟବିବେଚ଼ିତ ହୋଇଆସୁଛନ୍ତି। ନିଜ ମହାବିଦ୍ୟାଳୟରୁ ବିଦାୟ ନେଉଥିବା ଯୋଗୁଁ ଶେଷବର୍ଷର ଛାତ୍ରଛାତ୍ରୀମାନେ କିଛି ମୂହୁର୍ତ୍ତକୁ ମନୋରଞ୍ଜନ ଦୁନିଆରେ ନିଜକୁ ହଜାଇ ଦେଇଥିଲେ। ଏହି ଅବସରରେ ସ୍ବେଚ୍ଛାସେବୀ ଭାବେ ହିନ୍ଦୀ ଛାତ୍ରଛାତ୍ରୀ ଶିବପ୍ରସାଦ, ସିମାଞ୍ଚଳ, ଚନ୍ଦନ, ରୁଦ୍ର, ରୁଦ୍ର ନାହାକ, ରାଜକୁମାର, ସୁମନ, ସମିର, ଯମୁନା, ଅଙ୍କିତା, ସୋନାଲୀ, ଶୁଭଶ୍ରୀ, ସୁନୀତା ଇତ୍ୟାଦି ଛାତ୍ରଛାତ୍ରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।