ଫୁଲବାଣୀ (୧୮/୦୪) : କନ୍ଧମାଳ ଜିଲ୍ଲାରେ ମାତୃ ଓ ଶିଶୁ ସ୍ଵାସ୍ଥ୍ୟ ଏକ ଚିନ୍ତା ଜନକ ବିଷୟ ଯାହା NFHS-4 (2015-16) ୦ ରୁ ୫ ବର୍ଷର କମ ଓଜନର ଶିଶୁ (ଓଜନ ଓ ଉଚ୍ଚତା) ଆଧାରରେ ୮.୪% ଶତକଡା ଥିଲା ତାହ ପରବର୍ତ୍ତି ସମୟରେ NFHS-5 (2019-21) ୧୨.୪ % ଶତକଡାକୁ ବୃଦ୍ଧି ପାଇଛି ଦେଖିବାକୁ ଗଲେ କନ୍ଧମାଳ ଜିଲ୍ଲାରେ ପାଖାପାଖି ୧୨୦୦ ଜଣ ଏହିଭଳି ପିଲା ୧୨ ଟି ବ୍ଲକରେ ଫେବୃଆରି ୨୦୨୪ ସରକାରଙ୍କ ପୋଷଣ ଟ୍ରାକର ଦ୍ଵାରା ଚିହ୍ନଟ ହୋଇଛି । ଗ୍ରାମିଣ ଅଂଚଳରେ ସଚେତନତା ଅଭାବ ହେତୁରୁ ଗର୍ଭବତୀ ମା ଓ ଶିଶୁ ମାନଙ୍କ ମଧ୍ୟରେ କୁପୋଷଣ ଓ ରକ୍ତ ହିନତା ଏକ ମୁଖ୍ୟ ସମସ୍ୟା ପରିଲିଖିତ ହୁଏ । ଜିଲ୍ଲାର ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ଅଂଚଳରେ ସ୍ବାତୀ ଓ କ୍ରାଏ ଅନୁଷ୍ଠାନର ମିଳିତ ଉଦ୍ୟମରେ ମାତୃ ଓ ଶିଶୁ ମାନଙ୍କ ପାଇଁ ବିଭିନ୍ନ ସଚେତନତା ମୁଳକ କାର୍ଯ୍ୟକ୍ରମ କରାଯାଉଛି ଯଥା ସନ୍ତୁଳିତ ଖାଦ୍ୟ, କୁପୋଷଣ,ଶିଶୁଙ୍କୁ ମା କ୍ଷୀର ପାନ, ମା ଓ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା, କିଶୋର ବାଳକ ଓ ବାଳିକା ମାନଙ୍କୁ ଜିବନ କୌଶଳ ଶିକ୍ଷା ଏହି ପ୍ରକଳ୍ପର କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ ଅଟେ । ମା ମାନଙ୍କ ଭିତରେ ଉପଯୁକ୍ତ ସଚେତନତା ଅଭାବରୁ ଜନ୍ମରୁ ଦୃବଳ ଶିଶୁ ମାନଙ୍କୁ ଉପଯୁକ୍ତ ମାଗଣା ସରକାରୀ ସ୍ବାସ୍ଥ୍ୟ ସେବା ପରିବର୍ତ୍ତେ , ପାରମ୍ପରିକ ଚିକିତ୍ସା କରି ଶିଶୁ ମାନଙ୍କର ସ୍ବାସ୍ଥ୍ୟରେ ଘୋର ଅବନତି ପରିଲିଖିତ ହୁଏ । ପୋଷଣ ଟ୍ରାକର, ଯାହା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଦ୍ବାରା ପରିଚାଳିତ, ତଥ୍ୟ ଅନୁଯାୟୀ ଫିରିଙ୍ଗିଆ ବ୍ଲକ ର ୮ ଟି ସେକ୍ଟରେ ୧୩୩ ଜଣ ଶିଶୁ ଚିହ୍ନଟ ହୋଇଛନ୍ତି, ବାଲନ୍ଦାପଡା କ୍ଲଷ୍ଟରେ ଏହି ଭଳି ଦୃବଳ ଶିଶୁ ୫ ବର୍ଷରୁ କମ୍ ୨୨ ଜଣ ଅଛନ୍ତି । ଚିହ୍ନଟ ହୋଇଥିବା ଶିଶୁ ମାନଙ୍କୁ ପୁଷ୍ଟିସାଧନ କେନ୍ଦ୍ରକୁ ଆଣି ଉପଯୁକ୍ତ ଚିକିତ୍ସା ସେବା ଦେବା ସମ୍ଭବ ହୋଇ ପାରେନି କାରଣ ୧୫ ରୁ ୨୦ ଦିନ ନିଜ ଘର କାମ ଛାଡି ଆସିବା ତାଙ୍କ ମା ମାନଙ୍କ ପାଇଁ ଏକ କଷ୍ଟସାଧ୍ୟ ଅଟେ । ସ୍ବାତୀ ଏହି ମାନଙ୍କୁ ବାରମ୍ବାର ବୁଝେଇ ଓ ରାଜି କରାଇ ପୁଷ୍ଟିସାଧନ କେନ୍ଦ୍ରକୁ ଆଣିବାରେ ସକ୍ଷମ ହୋଇଛି । ଆସିଥିବା ମା ମାନେ ପ୍ରତିମା କହଁର, ବୁଦୁରି କହଁର, ରଶ୍ମିତା କହଁର, ପଦ୍ମାବତୀ କହଁର ଗତ ଏକ ସପ୍ତାହ ମଧ୍ୟରେ ପିଲାଙ୍କ ସ୍ବାସ୍ଥ୍ୟ ଉନ୍ନତି ଦେଖି ଏବଂ ପୋଷଣ ସମ୍ବନ୍ଧୀୟ ଜ୍ଞାନ ପାଇ ନିଜେ ଖୁସି ବ୍ୟକ୍ତ କରିବା ସହିତ ଯେଉଁ ମା ମାନେ ଏହି ସେବା ନବାକୁ ଇଛାପ୍ରକାଶ କରୁନାହାଁନ୍ତି ସେମାନଙ୍କୁ ବୁଝେଇବା ବୋଲି କହିଛନ୍ତି ।
ଆଗାମୀ ଦିନରେ ବାଲନ୍ଦାପଡା ସେକ୍ଟର ସବୁ ଦୃବଳ ଶିଶୁ କିପରି ପୃଷ୍ଟି ସାଧନ କେନ୍ଦ୍ରକୁ ଆସି ଉପଯୁକ୍ତ ସେବା ନେଇ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବେ ସ୍ବାତୀର ସଂପାଦକ ହରିଶଙ୍କର ରାଉତ କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ବିକାଶ ପ୍ରକଳ୍ପ ସମସ୍ତ ଅଧିକାରୀ ଓ ଗ୍ରାମ ସ୍ତରରେ ସ୍ଵାସ୍ଥ୍ୟ ସେବାକାରୀ କର୍ମୀ ସହଯୋଗ କରିଥିବା ବେଳେ, ସ୍ବାତୀର କ୍ଷେତ୍ର କର୍ମୀ ମାନସ ପ୍ରଧାନ, ବିନ୍ଧ୍ୟାରାଣି ପ୍ରଧାନ, ଅନୁପମା କହଁର, ସଞ୍ଜୟ ରଣା ଓ ରଶ୍ମିତା ଘିବାଲା ନିଜ ନିଜ କ୍ଷେତ୍ରରେ ଯଧାସାଧ୍ୟ ଉଦ୍ୟମ କରିଥିଲେ l କୁପୋଷଣକୁ ନିୟନ୍ତ୍ରଣ ଆଣିବାକୁ ହେଲେ ଜିଲ୍ଲା ଓ ବ୍ଳକ ସ୍ତରରେ ଜିଲ୍ଲା ପ୍ରଶାସନ ଏକ ଟ୍ୟାକ୍ସ ଫୋର୍ସ ଗଠନ କରି ନିୟମିତ ତଦାରଖ କଲେ ଏହାର ଉନ୍ନତି ଆସିବ ବୋଲି ପ୍ରକଳ୍ପ ସଂଯୋଜକ ପ୍ରଦୀପ କୁମାର ସ୍ବାଇଁ କହିଥିଲେ ।