ବିଶିଷ୍ଟ ନାଟ୍ୟକାର ରବି ନାରାୟଣ ବେହେରାଙ୍କ ତିନୋଟି ନାଟକ ସଂକଳନ ପୁସ୍ତକ ଉନ୍ନମୋଚିତ
ବ୍ରହ୍ମପୁର : ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ନାଟ୍ୟକାର ତଥା ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ତିନିଗୋଟି ନାଟକକୁ ନେଇ ଏକ ପୁସ୍ତକ ‘ଅଶାନ୍ତ ଚରିତ ଓ ଅନ୍ୟାନ୍ୟ ନାଟକ’ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି ।
ଓଡ଼ିଶାର ଅନ୍ୟତମ ପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ଐତିହାସିକ ଉତ୍କଳ ଆଶ୍ରମ ସଭାଗୃହରେ ‘ମହାବିଷୁବ ସାରସ୍ୱତ ସମାରୋହ’ ଏକ ବର୍ଣ୍ଣାଢ୍ୟ ଭାବପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ପୁସ୍ତକ ଲୋକାର୍ପଣ ହୋଇଛି l ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦେଶକ ତଥା କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ମଞ୍ଚ ଉଦ୍ଘୋଷକ ତଥା ବ୍ରହ୍ମପୁର ଆକାଶବାଣୀର ପ୍ରାକ୍ତନ କେନ୍ଦ୍ର ନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀ , ସ୍ନାତକୋତ୍ତର ଇତିହାସ ବିଭାଗ ପ୍ରାକ୍ତନ ମୁଖ୍ୟ ତଥା ବିଶିଷ୍ଟ ପ୍ରବାଚକ ପ୍ରଫେସର୍ ମଦନ ମୋହନ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ଅଧ୍ୟାପକ ଡ. ହୃଷୀକେଶ ପଣ୍ଡା , ବିଶ୍ୱ ଭାରତୀ ଶାନ୍ତିନିକେତନ ସହକାରୀ ପ୍ରଫେସର ତଥା ସଂପାଦକ ଡ. ଶରତ କୁମାର ଜେନା, ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପ ସଚିବ ତଥା ସାହିତ୍ୟ ସମାଜର କାର୍ଯ୍ୟକାରୀ ସମିତି ସଦସ୍ୟ ଡ. କୁଳମଣି ଓଝା, ପ୍ରାକ୍ତନ ଅଧକ୍ଷ ତଥା ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ତଥା ବହୁ ସାହିତ୍ୟିକ ଏବଂ ବହୁ ନାଟ୍ୟ କଳାକାର ମାନଙ୍କ ଗହଣରେ ନାଟ୍ୟକାର ରବି ନାରାୟଣ ବେହେରାଙ୍କ ବିରଚିତ ଓ ସଫଳ ମଞ୍ଚସିନ ତିନିଟି ନାଟକର ସଂକଳିତ ପୁସ୍ତକ ‘ଅଶାନ୍ତ ଚରିତ ଓ ଅନ୍ୟାନ୍ୟ ନାଟକ’ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା l ଏଠାରେ ପ୍ରକାଶ ଥାଉ କି ନାଟ୍ୟକାର ଶ୍ରୀ ବେହେରାଙ୍କ ଏହି ତିନୋଟି ନାଟକ ବିଭିନ୍ନ ସ୍ଥାନରେ ପରିବେଷଣ ହୋଇ ଅନେକ ପୁରସ୍କାର ପାଇବା ସାଥେ ସାଥେ ସର୍ବ ଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଛି ।