ହିଞ୍ଜିିଳିକାଟୁ : ହିଞ୍ଜିଳିକାଟୁ ତହସିଲ ଅଧିନ ବିଭିନ୍ନ ଗ୍ରାମାଞ୍ଚଳର ନଦୀପଠା ଠାରୁ ଆରମ୍ଭ କରି ରାସ୍ତାକଡ଼ରେ ଗଢି ଉଠିଛି ମାଳମାଳ ମାଟିପୋଡ଼ା ଇଟାଭାଟି । ତାହା ବି ପ୍ରଶାସନର ଗୋଚରରେ । ଅଦାଲତ, ସରକାର ଓ ପ୍ରଶାସନର ଅଙ୍କୁଶକୁ ବି ଖାତିର ନାହିଁ । ଆଉ ଏହା ଉପରେ ରୋକ୍ ଲଗାଇବାରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ସାହସ ଜୁଟାଇପାରୁନି । ସବୁ ଆଇନ କେବଳ ଟେବୁଲ ତଳ ଫାଇଲ, ଭାଷଣ ସମେତ କାଗଜ କଲମ ମଧ୍ୟରେ ସୀମିତ ହୋଇ ରହିଥିବା ବେଳେ ବିଭାଗୀୟ ଅଧିକାରୀ ସତେ ଯେପରି ନିଘୋଡ଼ ନିଦ୍ରାରେ ଶୋଇଥିବା ଭଳି ମନେ ହେଉଛି । ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ସରକାର ଫ୍ଲାଏଆସ୍ ଇଟାର ବ୍ୟବହାରକୁ ଗୁରୁତ୍ୱ ଦେଉଥିବା ବେଳେ ଏହାକୁ ଇଟାଭାଟି ମାଲିକ ମାନେ ମାନିବାକୁ ନାରାଜ । ସରକାରଙ୍କ ସମସ୍ତ ନିର୍ଦ୍ଦେଶକୁ ବେଖାତିର କରି ସେମାନେ ମନମାନି ଚଳାଉଛନ୍ତି । ହିଞ୍ଜିିଳିକାଟୁ ତହସିଲ ଅଧିନ ଖରିଡ଼ା, ଆଲପୁର, ଚାନ୍ଦୁଲି, ବାଳକୃଷ୍ଣପୁର, ବେଲଗାଁ, ଗଣ୍ଡଳା, ଭାବନ୍ଦ, ଶିଖରପୁର ଭଳି ବିଭିନ୍ନ ଗ୍ରାମରେ ଛତୁ ଫୁଟିଲା ଭଳି ବେଆଇନ ମାଟି ପୋଡ଼ା ଇଟାଭାଟି ଦେଖିବାକୁ ମିଳୁଛି । ସବୁଠାରୁ ଉଦବେଗର ବିଷୟ ହେଲା ଏ ସମସ୍ତ ଇଟାଭାଟି ରାଜସ୍ୱ ନିୟମକୁ ଖୋଲାଖୋଲି ଉଲଙ୍ଘନ କରୁଛନ୍ତି ।
ରାଜସ୍ୱ ନିୟମ ଅନୁସାରେ ଜନବସତି, ନଦୀତଟ, ରାଜରାସ୍ତାଠୁ ୫ଶହ ମିଟର ଦୂର ଓ ଚାଷ ଜମିରେ ଇଟାଭାଟି ନିର୍ମାଣ ଉପରେ ନିଷେଧାଦେଶ ଜାରି କରାଯାଇଛି । କିନ୍ତୁ ହିଞ୍ଜିଳିକାଟୁ ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ଏଭଳି ସ୍ଥାନରେ ହିଁ ଗଢି ଉଠିଛି ମାଟିପୋଡ଼ା ଇଟାଭାଟି । କେତେକ ଗ୍ରାମର ଜନବସତି ନିକଟରେ, ରାସ୍ତା କଡ଼ରେ ଓ ନଦୀ ତଟରେ ହିଁ ଇଟାଭାଟି ତିଆରି କରି ପ୍ରଶାସନକୁ ମାଲିକ ମାନେ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି । ଏଥି ସହ ସେମାନଙ୍କ ପାଖରେ ପରିବେଶ ମଞ୍ଜୁରୀ ନଥିବା ବେଳେ ପଞ୍ଜିକରଣ ନିୟମକୁ ବି ମାନୁନାହାନ୍ତି । ପରିତାପର ବିଷୟ, ଏସବୁ ଦେଖିବି ପ୍ରଶାସନିକ ଅଧିକାରୀ ମାନେ ନିରବଦ୍ରଷ୍ଟା ସାଜିଛନ୍ତି । କେବଳ ଉପର ଠାଉରିଆ ଚଢାଉ କରାଯାଉଛି ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି ।ଆଉ ସବୁ ଇଟାଭାଟି ମାଲିକ ମାନେ ଜରିମାନା ଦେଇ ପୁଣି ଲକ୍ଷାଧିକ ଟଙ୍କାର ବେପାର ଆରମ୍ଭ କରି ଦେଉଛନ୍ତି । ସେହିପରି ଇଟା ପୋଡ଼ିବାକୁ କୋଇଲା ଓ ତସୁର ବ୍ୟବହାର ଦ୍ୱାରା ପ୍ରଦୂଷଣ ମାତ୍ରା ବି ବଢୁଛି । ମାଟିପୋଡ଼ା ଇଟାଭାଟି ଦ୍ୱାରା ସଂପୃକ୍ତ ଏବଂ ନିକଟବର୍ତ୍ତୀ ଅଞ୍ଚଳର ଜମିର ଉର୍ବରତା ହ୍ରାସ ପାଇବା ସହ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯକ୍ଷ୍ମା ରୋଗରେ ପିଡ଼ିତ ହେଉଥିବାର ନଜିର ରହିଛି । ସେପଟେ ବର୍ଷାକୁ ଆଖି ଆଗରେ ରଖି ମାଲିକ ମାନେ ଇଟା ପୋଡ଼ି ସଞ୍ଚୟ କରି ରଖିଛନ୍ତି ।
ସରକାରୀ ନିୟମାନୁସାରେ, ଏକ ହଜାର ଇଟା ପାଇଁ ରାଜସ୍ୱ ୧୦୫ ଟଙ୍କା, ଜଳକର ୩୦ ଟଙ୍କା, ସରଫେସ୍ ରେଣ୍ଟ ୩୬୦ ଟଙ୍କା ଓ ଶତକଡ଼ା ୨ ପ୍ରତିଶତ ଆୟକର ଜମା କରିବା ପାଇଁ ନିୟମ ରହିଛି । ଏଥିସହ ହେକ୍ଟର ପିଛା ପ୍ରତିବର୍ଷକୁ ଡ଼େଟ ରେଣ୍ଟ ହିସାବରେ ବର୍ଷକୁ ୧୦ ହଜାର ୫ ଶହ ଟଙ୍କା ପ୍ରଦାନ କରିବା ସହ ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ଼ର ସମସ୍ତ ନିୟମକୁ ଇଟାଭାଟି ମାଲିକ ମାନେ ମାନିବାକୁ ବାଧ୍ୟ ଅଟନ୍ତି । ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।