କାରପଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ଗୁରୁତର

ହିଞ୍ଜିଳିକାଟୁ : ମଙ୍ଗଳବାର ସନ୍ଧ୍ୟାରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକରେ କାର ପଛପଟକୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ କାରରେ ଯାତ୍ରା କରୁଥିବା ୨ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କ ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରକାଶ ଯେ, ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର (ଓଡି୦୭ ଏଏଫ ୪୩୩୩)ପଛପଟକୁ ସମଦିଗରେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ (ଓଡି୦୭ ଡବ୍ଳ୍ୟୁ ୪୧୭୩) ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକରେ ଧକ୍କା ଦେଇଥିଲା। ଘଟଣା ପରେ ଉଭୟ ଗାଡି ଚାଳକଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଫଳରେ ଅଧଘଣ୍ଟା ଧରି ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

ଜାତୀୟ ରାଜପଥର ଉଭୟ ପ୍ବାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲା।‌ ପ୍ରକାଶ ଥାଉକି, ଶନିବାର ଭୋରରେ ସୋମପୁର ଛକ ନିକଟରେ ଦଣ୍ଡୁଆ ମାନଙ୍କୁ ନେଇ ଏକ ପିକଅପ ଭ୍ୟାନ ଓଲଟି ପଡିଥିଲା। ସଂପୃକ୍ତ ଦୂର୍ଘଟଣାରେ ୨ ଜଣ ଦଣ୍ଡଭୁକ୍ତାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଉର୍ଦ୍ଧ୍ଵ ଦଣ୍ଡୁଆ ଗୁରୁତର ଆହତ ହୋଇଥିଲେ। ସେହି ଦୂର୍ଘଟଣା ପରେ ସେହି ସ୍ଥାନରେ ଗତ ୨ଦିନ ମଧ୍ୟରେ ୧୦ ରୁ ଉର୍ଦ୍ଧ୍ଵ ଛୋଟ ବଡ ଦୂର୍ଘଟଣା ଘଟିଥିବା ନଜିର ରହିଛି। ସ୍ଥାନୀୟ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.