ସାଧାରଣ ନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ଇସ୍ତାହାର ଓ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚିତ

ଦେବଗଡ଼ : ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟୀ ପକ୍ଷରୁ ଦେବଗଡ ଜିଲାରେ ଶନିବାର ଆନୁଷ୍ଠାନିକ ଭାବେ ଇସ୍ତାହାର ପ୍ରକାଶ ପାଇଛି । ସ୍ଥାନୀୟ ଏକ ଘରୋଇ ହୋଟେଲରେ ଜିଲା କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ସିଦ୍ଧେଶ୍ୱର ଗୁରୁଙ୍କ ଆବାହକତ୍ୱ ଓ ଜିଲା କଂଗ୍ରେସ କମିଟୀ ସଭାପତି ସେମ୍ ହେମ୍ରମଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ପ୍ରଦେଶ କଂଗ୍ରେସ କମିଟୀର ଗଣମାଧ୍ୟମ ଓ ଯୋଗାଯେଗ ବିଭାଗ ଅଧ୍ୟକ୍ଷ ଓ ମୁଖପାତ୍ର ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି ଏହି ଇସ୍ତାହାରକୁ ଉନ୍ମୋଚିତ କରିବା ସହ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିବା ଗ୍ୟାରେଂଟି ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଡକ୍ଟର ମହାନ୍ତି ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ କହିଥିଲେ ଯେ, ରାଜ୍ୟରେ ଦୀର୍ଘ ୨୪ ବର୍ଷ ହେଲା ବିଜେଡି ଓ କେନ୍ଦ୍ରରେ ଦୀର୍ଘ ୧୦ ବର୍ଷ ହେଲା ବିଜେପି ସରକାର ଚାଲିଥିଲେ ହେଁ ଜନସାଧାରଣଙ୍କ ଆଶା ପୂରଣ କରିବାରେ ବିଫଳ ହୋଇଛି । ବିଗତ ନିର୍ବାଚନରେ ଉଭୟ ଦଳ ବିଭିନ୍ନ ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିଲେ ହେଁ କୌଣସି ପ୍ରତିଶୃତି ପାଳନ ନକରି ଲୋକଙ୍କୁ ପ୍ରତାରିତ କରିଛି । ଏଣୁ ଜନସାଧରାଣଙ୍କ ସାମଗ୍ରୀକ ବିକାଶ ନିମନ୍ତେ ଆଗାମୀ ନିର୍ବାଚନରେ କଂଗ୍ରେସ ହିଁ ଏକ ମାତ୍ର ବିକଳ୍ପ ଭାବେ ଠିଆ ହୋଇଛି । ଯଦି କଂଗ୍ରେସ ଦଳ କ୍ଷମତାକୁ ଆସେ ତେବେ ଗୃହ ଜ୍ୟୋତି, ଯୁବ ବିକାଶ, କୃଷକ ବନ୍ଧୁ, ଗୃହ ଲକ୍ଷ୍ମୀ ଏବଂ ଜନକଲ୍ୟାଣ ଆଦି ଯୋଜନା କାର୍ଯ୍ୟକାରୀ କରିବ ବୋଲି ଗ୍ୟାରେଂଟି ଦେଇଛି । ସେହିପରି ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ ବିଦ୍ୟୁତ ଦେୟ ଛାଡ, ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା,ବେକାରୀ ଭତା ମାସକୁ ୩ ହଜାର, ଧାନର ବୋନସ ସହିତ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୩ ହଜାର ଟଙ୍କାକୁ ବୃଦ୍ଧି , କୃଷି ଋଣ ଛାଡ, କୃଷକ ପାଇଁ ମାସିକ ପେନସନ ୨ ହଜାର ଟଙ୍କା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ, ମହିଳା ମାନଙ୍କୁ ମାସିକ ୨ ହଜାର ଟଙ୍କା ଭତା ଓ ଆଦିବାସୀ ଦଳିତ ମହିଳାଙ୍କୁ ୩ ହଜାର ଟଙ୍କା ପ୍ରଦାନ, ୫ ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବାକୁ କଂଗ୍ରେସ ନିର୍ବାଚନୀ ଇସ୍ତହାର ଦେଇଛି । ଏଥିସହ ଜନକଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ୨୫ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ବ୍ୟବସ୍ଥା, ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତା ୨ ହଜାର ଟଙ୍କାକୁ ବୃଦ୍ଧି , ଚିଟଫଣ୍ଡ ଜମାକାରୀଙ୍କୁ ୬ ମାସ ଭିତରେ ସୁଧ ସହ ଜମାରାଶି ଫେରସ୍ତ, ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭ ପ୍ରଶିକ୍ଷତ ସଂରକ୍ଷଣ, ଆଦିବାସୀ ଓ ଦଳିତଙ୍କୁ ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୁର୍ଣ୍ଣ ଅଧିକାର, ୧୦୦ ଦନ ଭିତରେ ପେସା ଆଇନକୁ କଡାକଡି କରିବା ପାଇଁ ଏହି ଅବସରରେ ଇସ୍ତହାର ପ୍ରକାଶ କରାଯାଇଥିଲା । ଜିଲା କଂଗ୍ରେସ କମିଟୀ ସଭାପତି ଶ୍ରୀ ହେମ୍ରମ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ବିଜେପି ଓ ବିଜେଡି ଦଳ ମଧ୍ୟରେ ଗୁପ୍ତ ବୁଝାମଣା ରହିଥିବା , ବିଜେପି ଦଳର ଉଭୟ ବିଧାୟକ ଓ ସାଂସଦ କୌଣସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପରିବର୍ତେ ନିଜ ନିଜର ପକେଟ ଗରମ କରିବା ପାଇଁ ପିସି ଆଦାୟ କରୁଥିବା ଆଦି ଅଭିଯୋଗ କରିବାସହ ଆଗାମୀ ନିର୍ବାଚନରେ ଦେବଗଡ ଜିଲା ବାସୀ ସେମାନଙ୍କୁ ପ୍ରତ୍ୟାଖାନ କରି କଂଗ୍ରେସକୁ ଆପଣେଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଶେଷରେ ଜିଲା କଂଗ୍ରେସ ଉପ ସଭାପତି ମଞ୍ଜୁଳ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟୀ ମୁଖପାତ୍ର ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା , ଜିଲା କଂଗ୍ରେସ ଓବିସି ସେଲ ସଭାପତି ସୁବାସ ଚନ୍ଦ୍ର ଭୋଇ, ରିଆମାଳ ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ତିଲେଇବଣି ବ୍ଲକ କଂଗ୍ରେସ ସବାପତି ସୁରେନ୍ଦ୍ର କୁମାର ସାହୁ,ଜିଲା ଯୁବ କଂଗ୍ରେସ ସଭାପତି ସଲମାନ ହେନେଜ, ଜିଲା ଛାତ୍ର କଂଗ୍ରେସ ସବାପତି ଆନନ୍ଦ କୁଲା ଓ ଶ୍ରୀତମ କୁମାର ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲା କଂଗ୍ରେସ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବାସହ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ଇଂ. ଅଲେଖ ନାଏକ, ଇଂ. ଆକାଶ କୁମାର ଦାସ, ଇଂ. ଜିତୁ ବେହେରା,ଇଂ. ସୁନୀଲ ମହାକୁଳ, ଦେବେନ୍ଦ୍ର ପ୍ରଧାନ, ଅର୍ଜୁନ ଯାଦବ, ମୁକେଶ ସାମଲ, ମହେନ୍ଦ୍ର ସାଏ, ଭଗବାନ ଗଡନାୟକ, ସୁରେନ ବେହେରା, ମୁକ୍ତେଶ୍ୱର ଭଇଁଷା ଓ ପ୍ରବୋଧ କୁଜୁରଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଯୁବକ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦାନ କରିଥିଲେ । ମଂଚାସୀନ କଂଗ୍ରେସ ନେତୃବୃନ୍ଦ ସେମାନଙ୍କୁ ଦଳୀୟ ଟୋପି ଓ ଉତରୀୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିଲେ ।

nis-ad
Leave A Reply

Your email address will not be published.