ଆନ୍ତଃଜିଲା ଚୋର ଗିରଫ : ୨ ବାଇକ, ଗୋଟିଏ ଲ୍ୟାପ୍‌ଟପ୍ ଓ ୭ଟି ମୋବାଇଲ ଜବତ

ଦେବଗଡ,୨୧ା୩ : ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଏକ ମୋବାଇଲ ଚୋରୀ ଘଟଣାର ଖିଅ ଖୋଜୁଖୋଜୁ ଦେବଗଡ ଥାନା ପୁଲିସକୁ ମିଳିଛି ବଡ ସଫଳତା । ଏହି କ୍ରମରେ ଦେବଗଡ ଥାନା ପୁଲିସ ଆଜି ଦେବଗଡ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମର ମୋହିତ ବେହେରା ଓରଫ ରୋହିତ(୨୧)କୁ ଗିରଫ କରିବାସହ ତା ନିକଟରୁ ୭ ଟି ଦାମୀ ସ୍ମାର୍ଟ ଫୋନ, ଗୋଟିଏ ଲ୍ୟାପ୍‌ଟପ୍ ଏବଂ ୨ ଟି ବାଇକ ଜବତ କରିଛି । ଆଜି ଗିରଫ ଅଭିଯୁକ୍ତ ମୋହିତକୁ କୋର୍ଟ ଚାଲାଣ କରାଯାଇଥିଲେ ହେଁ ଅଦାଲତରେ ଜାମିନ ଆବେଦନ କାରଜ ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏନେଇ ଆଜି ପୂର୍ବାହ୍ନରେ ଦେବଗଡ ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଗଣମାଧ୍ୟମକୁ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି । ଏସଡିପିଓ ଶ୍ରୀ ମଲ୍ଲିକ ସୂଚନା ଅନୁଯାୟୀ ଗତ ୧୬ ତାରିଖ ପୂର୍ବାହ୍ନରେ ଦେବଗଡ ସହର ମଧ୍ୟସ୍ଥଳୀ ପୁରୁଣାପୋଷ୍ଟ ଅଫିସ ଛକ ନିକଟରେ ଥିବା ତୁଷାରକାନ୍ତ ସଂଗ୍ରାମ କେଶରୀ କପରଦାରଙ୍କ ମୋବାଇଲ ଦୋକାନ(ଇପସିତା ମୋବାଇଲ)ରୁ ଏକ ୱାନ ପ୍ଲସ ମୋବାଇଲ ଚୋରି ହୋଇଥିଲା । ଏନେଇ ଶ୍ରୀ କପରଦାର ଦେବଗଡ ଆଦର୍ଶ ଥାନାରେ ଏକ ମାମଲା ଋଜୁ କରିବା ସହ ଶ୍ରୀ କପରଦାରଙ୍କ ଦୋକାନ ନିକଟରେ ଲାଗିଥିବା ସିସି ଟିଭି ଫୁଟେଜ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଦେବଗଡ ଥାନା ଇନ୍ସପେକ୍ଟର ସରୋଜ ସେଠୀଙ୍କ ତତ୍ୱାବଧାନରେ ସବ ଇନ୍ସପେକ୍ଟର ଦିବ୍ୟ ଓରାମ ଏ ଘଟଣାର ତଦନ୍ତ କରି ଚୋରକୁ ଚିହ୍ନଟ କରିବାସହ ସେ ସୁନାମୁା ଗ୍ରାମର ମୋହିତ ବେହେରା ଓରଫ ରୋହିତ ବୋଲି ଜାଣିବାକୁ ପାଇ ତାକୁ ଦେବଗଡ ଆଦର୍ଶ ଥାନାରେ ଅଟକ ରଖି ପଚରା ଉଚରା କିରିଥିଲେ । ପଚରା ଉଚରା ସମୟରେ ରୋହିତ ଉପରୋକ୍ତ ଇପସିତା ମୋବଇଲ ଦୋକାନରୁ ମୋବାଇଲ ଫୋନ ଚୋରୀ କରିଥିବା ଓ ଦେବଗଡ ସମେତ ସୁନ୍ଦରଗଡ, ରାଉରକେଲା ଆଦି ଅଂଚଳରୁ ନିୟମିତ ଭାବେ ଚୋରୀ କରୁଥିବା ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲା । ସେ ରାଉରକେଲା ଅଂଚଳରୁ ଏକ ହିରୋ ଗ୍ଲେମର ବାଇକ (ନଂ-ଓଆର୧୪ଏମ-୩୨୬୦) ଓ ଅନ୍ୟଏକ ବଜାଜ ପ୍ଲାଟିନା ବାଇକ (ନଂ-ଓଡି୧୬କେ-୧୯୯୦), ଏକ ଡେଲ୍ ଇନ୍ସପରନ ଲ୍ୟାପ୍‌ଟପ୍ ଓ ଭିନ୍ନ ଭିନ୍ନ ସ୍ଥାନରୁ ଚୋରୀ କରି ଆଣିଥିବା ୭ ଗୋଟି ଦାମୀ ମୋବାଇଲ ସ୍ମାର୍ଟ ଫୋନ ଜବତ କରିବା ସହ ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜିର ଏହି ସାମ୍ବାଦିକ ସମ୍ମଳନୀରେ ଏସଡିପିଓ ଶ୍ରୀ ମଲ୍ଲିକଙ୍କ ସମେତ ତଦନ୍ତକାରୀ ସବ ଇନ୍ସପେକ୍ଟର ଦିବ୍ୟ ଓରାମ ମଧ୍ୟ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.