ମାଲକାନଗିରି ସହର ଉପକଣ୍ଠରେ ଭାଲୁ ପଲ, କାବୁ କରିବାକୁ ଉଦ୍ୟମ କରୁଛି ବନ ବିଭାଗ

ମାଲକାନଗିରି, ୧୧।୩ : ମାଲକାନଗିରି ସହର ଉପକଣ୍ଠରେ ଭାଲୁ ପଲ୍ଲ ବୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ସୂଚନା ଅନୁଯାୟୀ ମାଲକାନଗିରି ସଦର ମହକୁମାରୁ ଛତିଶଗଡକୁ ସଂଯୋଗ ପାଇଁ ଥିବା ମୁଖ୍ୟ ରାସ୍ତାରେ ଗୋଟିଏ ମା ଭାଲୁ ସହ ଦୁଇ ଶାବକ ସହ ବୁଲୁଥିବା ବେଳେ କିଛି ଲୋକେ ଏହାକୁ ଦେଖି ଭୟବିତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । ତେବେ ଲୋକଙ୍କ ଗହଳି ଯୋଗୁଁ ଭାଲୁ ଗୁଡିକ ନିକଟସ୍ଥ ପଲିଟେକ୍ନିକ କଲେଜ ପାର୍ଶ୍ଵରେ ଏକ ବୁଦା ମଧ୍ୟରେ ପଶି ଅଟକି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ପୂର୍ବରୁ ବନ ବିଭାଗର ଏକ ଟିମ ସେଠାରେ ପହଞ୍ଚି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାଲକାନଗିରି ଏସିଏଫ ମନସୁନ ଖେମୁଣ୍ଡୁଙ୍କ ନେତୃତ୍ୱରେ ପ୍ରାୟ ୪୦ ଜଣ ବନ କର୍ମଚାରୀ ଭାଲୁକୁ ଜଗିବସିଥିବା ବେଳେ ପୋଲିସର ମଧ୍ୟ ସାହାଯ୍ୟ ଲୋଡ଼ାଯାଇଛି । ଏହାସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଭାଲୁ ଥିବା ସ୍ଥାନରୁ ହଟାଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଭାଲୁ ଗୁଡିକୁ କାବୁ କରିବା ପାଇଁ ବନ ବିଭାଗ ପକ୍ଷରୁ ଯନ୍ତା ମଧ୍ୟ ଲଗାଯାଇଥିବା ବେଳେ ବର୍ତ୍ତମାନ ସୁଧା ଭାଲୁ ଗୁଡିକ ସେଠାରେ ହି ରହିଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.