ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ଦଣ୍ଡକାଳୀ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ହରିଜନ ସାହିର ବି.ମଙ୍ଗଳା (୬୭) । ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ବୃଦ୍ଧ ଜଣଙ୍କ ଗାଧୋଇବାକୁ ଗ୍ରାମ ନିକଟସ୍ଥ ଦଣ୍ଡକାଳୀ ପୋଖରୀକୁ ଯାଇଥିବା ବେଳେ ହଠାତ୍ ପୋଖରୀ ଭିତରକୁ ଖସି ବୁଡି ଯାଇ ଥିଲେ। ପୋଖରୀ ହୁଡ଼ାରେ ଜଣେ ମହିଳା ଘଟଣା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ଖବର ପାଇ ଗ୍ରାମର କିଛି ଲୋକେ ପୋଖରୀ ଭିତରକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ଗ୍ରାମବାସୀ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ କୁ ଖଵର ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ବୃଦ୍ଧ ଜଣଙ୍କ ବଞ୍ଚିଥିବା ଆଶା କରି ବୃଦ୍ଧଙ୍କୁ ମେଡିକାଲ ନେବାକୁ ଗ୍ରାମବାସୀ ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ବୃଦ୍ଧଙ୍କୁ ମେଡ଼ିକାଲକୁ ଆଣିନଥିଲେ । ଫଳରେ କିଛି ସମୟ ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର, ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୮/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବୁଧବାର ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ପୁଲିସ କହିଛି।
Sign in
Sign in
Recover your password.
A password will be e-mailed to you.