ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମ-ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ

ଆସିକା ତା ୨/୩ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ନାରୀ ସଶକ୍ତିକରଣର ପ୍ରାୟୋଜିତ କାର୍ଯ୍ୟକ୍ରମ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଉଦ୍ଘାଟନ କରାଯାଇଥିଲା। ଉକ୍ତ ଅବସରରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ମୁଖ୍ୟବକ୍ତା ରୂପେ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ରୂପେ ସ୍ବ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ରୂପେ ସ୍ବ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ତଥା ବିଭାଗ ମୁଖ୍ୟା ଡ. ସ୍ମିତାରାଣୀ ପଣ୍ଡା ମଞ୍ଚାସୀନ ଥିଲେ। ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦ ପାଠ ଦ୍ବାରା ମଞ୍ଚାସୀନ ଅତିଥି ଦେବ ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। ସଂଯୋଜିକା ସୁ୍ଶ୍ରୀ ମିନତି ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ। ଯୁକ୍ତ ତିନି ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ତାଲିମ ଶିବିରଟି ତା ୨.୩.୨୦୨୪ ରିଖ ଠାରୁ ଆରମ୍ଭ ହୋଇ ୩୦.୩.୨୦୨୪ ମଧ୍ୟରେ ସମାପ୍ତ ହେବାର ସୂଚ଼ନା ରହିଛି। ଆତ୍ମସୁରକ୍ଷା କୌଶଳର ସଦବିନିଯୋଗ ହିଁ ଆତ୍ମସୁରକ୍ଷା ତାଲିମର ସାର୍ଥକତା ବୋଲି ଅଧ୍ୟକ୍ଷ ନିଜର ସ୍ବାଗତ ଭାଷଣରେ ମତ ରଖିଥିଲେ। ଆଜିର କୁତ୍ସିତ ମନୁଷ୍ୟ ସମାଜରେ ଦୈନିକ ନାରୀ ମାନଙ୍କ ପ୍ରତି ହେଉଥିବା ଅହେତୁକ ଯୌନ ଉତ୍ପୀଡନ, ଅତ୍ୟାଚାର, ବ୍ୟଭିଚାର, ଅଶ୍ଳିଳ ଇଙ୍ଗିତ ତଥା ମନ୍ତବ୍ୟ, ପାରିବାରିକ ହିଂସା, ଯୌତୁକ ନିର୍ଯ୍ୟାତନା, ଏସିଡ୍ ଫିଙ୍ଗିବା, ଅସଦାଚରଣ ଇତ୍ୟାଦି ବୈମାନୁଷିକ ଆଚ଼ରଣ ତଥା କାର୍ଯ୍ୟକଳାପରୁ ବର୍ତ୍ତିବା ପାଇଁ ଏହା ଏକ ଓଡ଼ିଶା ସରକାରଙ୍କ ଅଭିନବ ଆୟୋଜନ ବୋଲି ସମସ୍ତ ଅତିଥି ନିଜର ମତ ସାବ୍ୟସ୍ତ କରିଥିଲେ ଏବଂ ଓଡିଶା ସରକାରଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ସମସ୍ତେ କହିଥିଲେ କେବଳ ନାରୀ ସମାଜରେ ଆତ୍ମନିର୍ଭରଶୀଳ ହେବା ଯଥେଷ୍ଟ ନୁହେଁ, ତତ୍ପଶ୍ଚାତ ଆତ୍ମସୁରକ୍ଷା ମଧ୍ୟ ଏକାନ୍ତ କାମ୍ୟ। କୁତ୍ସିତ ତଥା ହିନମନ୍ୟତା ପୁରୁଷ ସମାଜକୁ ଉଚ଼ିତ୍ ଜବାବ୍ ଦେବାକୁ ହେଲେ ଆତ୍ମସୁରକ୍ଷା ନିତାନ୍ତ ପ୍ରୟୋଜନ ବୋଲି ପ୍ରାୟ ସମସ୍ତ ମଞ୍ଚାସୀନ ଅତିଥି ଯୁକ୍ତି ବାଢିଥିଲେ। ଛାତ୍ରୀମାନଙ୍କ ମାନସିକ ତଥା ଶାରିରୀକ ବିକାଶରେ ମଧ୍ୟ ଆତ୍ମସୁରକ୍ଷା ତାଲିମର ଆବଶ୍ୟକ ଅଛି ବୋଲି କହିଥିଲେ। ଆତ୍ମସୁରକ୍ଷା ନାରୀ ସଶକ୍ତିକରଣର ଏକ ଅଂଶ ବିଶେଷ ବୋଲି ମୁଖ୍ୟବକ୍ତା କହିଥିଲେ। ଛାତ୍ରୀମାନଙ୍କୁ ଭାରତ ବର୍ଷର ବିଦୁଶୀ ତଥା ମହିୟଶୀ ନାରୀମାନଙ୍କ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଏବଂ ସମାଜର ସମସ୍ତ କ୍ଷେତ୍ରରେ ନାରୀମାନଙ୍କ ଉପସ୍ଥିତି କାମନା କରିଥିଲେ। ଉପସ୍ଥିତ ବୁଦ୍ଧି ହିଁ ଆତ୍ମସୁରକ୍ଷାର ମୂଳମନ୍ତ୍ର ବୋଲି ମୁଖ୍ୟ ଅତିଥି ଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। ଆତ୍ମସୁରକ୍ଷା ତାଲିମ ନାରୀମାନଙ୍କ ପାଇଁ ଏକ ରକ୍ଷାକବଚ ବୋଲି ସମ୍ମାନିତ ଅତିଥି ମତ ଦେଇଥିଲେ। ମାଷ୍ଟର ଟ୍ରେନର ପ୍ରାକ୍ତନ ଛାତ୍ରୀ ଦ୍ବୟ ସୁଶ୍ରୀ ଶୀବାନି ମହାରଣା ଏବଂ ଲିଜାରାଣୀ ପାତ୍ରଙ୍କ ଦ୍ବାରା ଆତ୍ମସୁରକ୍ଷା ତାଲିମର କେତେକ ନିତ୍ସକ କୌଶଳ ପରିବେଷଣ କରାଯାଇଥିଲା।
ଆତ୍ମସୁରକ୍ଷା କ୍ଳବର ଅଧ୍ୟାପିକା ଶୈଲ କୁମାରୀ ଝା, ରେଶମା ପାତ୍ର, ଡ. ଜିନିତ ସବା ଓ କୁନିକା ଦାଶ ତାଲିମ ଶିବିରର ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିବାରେ ସହଯୋଗ କରିଥିଲେ। ପରିଶେଷରେ ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ରଶ୍ମିପ୍ରିୟା କାଲୋ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.