ହିଞ୍ଜିଳିକାଟୁ : ଗତ ୬ ତାରିଖରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ନିକଟରୁ ଜଣେ ଯୁବକଙ୍କୁ ହିଞ୍ଜିଳି ଥାନା ଅଞ୍ଚଳର କିଛି ଯୁବକ ଅପହରଣ କରିଥିବା ନେଇ ଅପହୃତଙ୍କ ମା’ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅପହୃତା ଯୁବକ ଜଣଙ୍କ ବ୍ରହ୍ମପୁର ସଦରଥାନା ଲାଞ୍ଜିପଲ୍ଲୀ ଅଞ୍ଚଳର କାମନା ଗୌଡ। ଘଟଣା ନେଇ ଅପହୃତ ଯୁବକଙ୍କ ମା’ ବିଷ୍ଣୁ ଗୌଡ ବୁଧବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୧୪୭/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ପ୍ରକାରେ, ଗତ ୬ ତାରିଖ ଦିନ ଆସିକା ଥାନା ଅଞ୍ଚଳର ଜଣେ ଯୁବତୀ ଫୋନ୍ ଯୋଗେ କାମନା ଗୌଡଙ୍କୁ ହିଞ୍ଜିଳିକାଟୁକୁ ଡାକିଥିଲେ। ଯୁବକ ଜଣଙ୍କ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପହଞ୍ଚିବା ପରେ ସଂପୃକ୍ତ ସମୟରେ ହିଞ୍ଜିଳିକାଟୁ ଅଞ୍ଚଳର ୮/୧୦ ଜଣ ଯୁବକ ହଠାତ୍ ବସ୍ ଟର୍ମିନାଲ ପରିସରରେ ପହଞ୍ଚି କାମନା ଗୌଡଙ୍କୁ ମାଡ ମାରିବା ସହ ତାଙ୍କୁ ଏକ କାର ଯୋଗେ ଜୋର ଜବରଦସ୍ତ ଅପହରଣ କରି ନେଇଥିବା ଏବଂ ଅପହରଣକାରୀ ମାନେ ଯୁବକଙ୍କ ଠାରୁ ୧ ହଜାର ଟଙ୍କା, ମୋବାଇଲ ଫୋନ ଏବଂ ମୋଟର ସାଇକେଲ ଲୁଟି ନେବା ସହ ଆସିକା ଥାନାରେ ସଂପୃକ୍ତ ଯୁବକଙ୍କ ଏକ ମିଥ୍ୟା ମାମଲାରେ ଅଭିଯୋଗ କରିଥିବା ଅପହୃତଙ୍କ ମା’ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ଅପହୃତ ଯୁବକ ଜଣଙ୍କ ଆସିକା ସବଜେଲରେ ରହିଥିବା ଜଣାପଡିଛି। ଘଟଣା ନେଇ ହିଞ୍ଜିଳି ପୁଲିସ ସହ ଯୋଗାଯୋଗ କରିଥିଲେ ମଧ୍ୟ ପୁଲିସ ନିରବ ସାଜିଛି। ଯୁବକଙ୍କୁ ଅପହରଣ ଘଟଣା ପରେ ମଧ୍ୟ ପୁଲିସ ନିଷ୍କ୍ରିୟତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଥାଉକି, ଗତ କିଛି ମାସ ଧରି ପ୍ରତ୍ୟହ ସନ୍ଧ୍ୟା ଠାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି। ବହୁତ ସମୟରେ ଅସାମାଜିକ ବ୍ୟକ୍ତି ମାନେ ରୀତିମତ ମଦ୍ୟପାନ କରି ଗଣ୍ଡଗୋଳ କରୁଥିବା ନଜିର ରହିଛି। ହିଞ୍ଜିଳି ଥାନା ଠାରୁ ମାତ୍ର ୨ଶହ ମିଟର ଦୂରରେ ବସ୍ ଟର୍ମିନାଲ ରହିଥିଲେ ମଧ୍ୟ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ପଦେକ୍ଷପ ଗ୍ରହଣ କରାଯାଉନାହିଁ। ଏଭଳି ପରିସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ଏକ ବଡ ଧରଣର ହିଂସାକାଣ୍ଡ ଘଟିବା ଆଶଙ୍କା ରହିଅଛି। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.