ଆର,ଉଦୟଗିରି : ଗଜପତି ଜିଲ୍ଲା ପାରଳାଖେମଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ତୁରନ୍ତ ରାସ୍ତା ନିର୍ମାଣ ଦାବିରେ ଆର,ଉଦୟଗିରି ବ୍ଲକର ଅନଗାଁ ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁମନ୍ତ ରାସ୍ତା ନିର୍ମାଣ ଦାବି କରିଥିଲେ । ମୁଖ୍ୟମନ୍ତୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସୂଚନା ମୁତାବକ ଆର,ଉଦୟଗିରି ପଞ୍ଚାୟତର ୧୩ ନମ୍ବର ଓ୍ବାର୍ଡର ତୁବୁରିସିଂଠାରୁ ବାଲିଗୁମ୍ମା ଓ ବେନୁସାହି ଠାରୁ ଅନଘା ପର୍ଯ୍ୟନ୍ତ ପ୍ରାୟ ୭ କିମି ଚାଲି ଚାଲି ଯିବାକୁ ପଡୁଛି । ରାସ୍ତା ଖରାପ ଥିବାରୁ ଜରୁରୀକାଳୀନ ସମୟରେ ରୋଗୀକୁ ଡାକ୍ତରଖାନାକୁ ନେବାକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ ।
ଫଳରେ ଗ୍ରାମରେ ରହୁଥିବା ପ୍ରାୟ ୧୧୨ ପରିବାରର ୫୦୦ରୁ ଉଦ୍ଧ୍ବ ଲୋକେ ଗମନାଗମନ ପାଇଁ ପ୍ରତିଦିନ ବିଭିନ୍ନ ପ୍ରକାରର ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଦିନ ହେବ ବାରମ୍ବାର ପ୍ରଶାସନକୁ ଏହି ରାସ୍ତାର ଅବସ୍ଥା ସମ୍ପର୍କ ଜଣାଇଥିଲେ ମଧ୍ୟ ବତ୍ତମାନ ଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ ।ତେଣୁ ବାଧ୍ୟ ହୋଇ ଆଜି ଏହି ପଦକ୍ଷେପ ଗ୍ରହଣ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଯଦି ରାସ୍ତା ନିର୍ମାଣ କରା ନ ଯାଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ମାଝୀ ରଇତ, ବନିତା ରଇତ, ସୁଲୋଚନା ବଡମୁଣ୍ଡି ସନ୍ତୋଷ କୁମାର ଜାନି ପ୍ରମୁଖ ଉପସ୍ଥିତ ଥିଲେ ।