ବିଭିନ୍ନ ଦାବୀରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ରାଇତାବାହାଳ ଗ୍ରାମପଂଚାୟତ ବାସୀ

ଦେବଗଡ଼,୧୩ା୨ : ରେଙ୍ଗାଳି ବହୁମୂଖି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ବାରକୋଟ ବ୍ଲକ ରାଇତାବାହାଳ ପଂଚାୟତର ବିଭିନ୍ନ ଗ୍ରାମକୁ ରାଜସ୍ୱ ଗାଁ ଘୋଷଣା କରିବା ସହ ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ପ୍ରଦାନ କରିବାକୁ ଅଂଚଳ ବାସୀ ଦାବୀ ଜଣାଇଛନ୍ତି । ଆଜି ମଧ୍ୟାହ୍ନରେ ରାଇତାବାହାଳ ଗ୍ରାମ ପଂଚାୟତର ଚାରିମଂଚା, ହରିହରପୁର, ଗଣନାଥପୁର, ଗୋଠମଡା, ଭଗବତପୁର, ରତନପୁର ଓ ସୁନାମୁଣ୍ଡା ଆଦି ଗ୍ରାମର ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେହିପରି ଅବିଳମ୍ବର ଦାବୀ ପୂରଣ ନହେଲେ ସେମାନେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ । ଉପରୋକ୍ତ ଗ୍ରାମ ଗୁଡିକର ଜନସାଧାରଣ ରେଙ୍ଗାଳି ବହୁମୂଖି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇ ସମ୍ପୃକ୍ତ ଅଂଚଳରେ ବସବାସ କରି ଆସୁଥିଲେ ହେଁ ଘରଡିହ ନଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାରୁ ବାଦ ପଡିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏନେଇ ସେମାନେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହା ଅରଣ୍ୟ ରୋଦନରେ ପରିଣତ ହୋଇଥିବା ଅଂଚଳବାସୀ ଅଭିଯୋଗ କରିବା ସହ ଏଥର ଲଢେଇ ନିର୍ଣ୍ଣାୟକ ହେବ ଓ ଦାବୀ ପୁରଣ ନହେଲେ ଅଂଚଳବାସୀ ମତଦାନରୁ ବିରତ ରହିବେ ବୋଲି ଗଣାମଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.