ଚାଷୀଙ୍କ ବିରୋଧକୁ ଦେଖି ସର୍ବସାଧାରଣଙ୍କ ପାଇଁ ଲାଲକିଲ୍ଲା ସିଲ

ନୂଆଦିଲ୍ଲୀ: ଚାଷୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ପୁଲିସ ଓ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ସୁରକ୍ଷା କାରଣରୁ ଐତିହାସିକ ଲାଲକିଲ୍ଲାକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଏଏସଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ସୋମବାର ବିଳମ୍ବିତ ରାତିରେ ଲାଲକିଲ୍ଲାକୁ ବନ୍ଦ ରଖାଯାଇଛି | ଅର୍ଥାତ ପରିଦର୍ଶକମାନେ ବର୍ତ୍ତମାନ ଲାଲକିଲ୍ଲାକୁ ଯାଇପାରିବେ ନାହିଁ | ଅଧିକାରୀ କହିଛନ୍ତି ଯେ କେତେବେଳେ ଏହା ପରିଦର୍ଶକଙ୍କ ପାଇଁ ଖୋଲାଯିବ, ଏହା ସୁରକ୍ଷା ଏଜେନ୍ସି ଉପରେ ନିର୍ଭର କରିବ। ଦିଲ୍ଲୀ ଅଭିମୁଖେ ଯାଉଥିବା ଚାଷୀଙ୍କୁ ଦୃଷ୍ଟିରେ ରଖି ମଙ୍ଗଳବାର ସକାଳେ ଦିଲ୍ଲୀ ମେଟ୍ରୋର ଆଠଟି ଷ୍ଟେସନରେ ମୁଖ୍ୟ ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ବନ୍ଦ ରହିଥିଲା।
ତେବେ ସାଧାରଣ ଯାତ୍ରୀମାନଙ୍କୁ ଅନ୍ୟ ଫାଟକ ଦେଇ ପ୍ରବେଶ ଏବଂ ଯିବାକୁ ଅନୁମତି ଦିଆଯାଇଛି | ଉଲ୍ଲେଖ ଥାଉ କି କୃଷକମାନେ ଯେଭଳି ଦିଲ୍ଲୀରେ ପ୍ରବେଶ ନକରିବେ ସେଥିପାଇଁ ସିଙ୍ଗୁ, ଟିକ୍ରି ଏବଂ ଗାଜୀପୁର ସୀମା ବନ୍ଦ କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ବ୍ୟାରିକେଡ଼ ଲଗାଇବା ସହ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଉଲ୍ଲେଖ ଥାଉ କି ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ପ୍ରଣୟନ। ତେବେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଏବେ ଚାଷୀ ସଂଗଠନର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ କରୁଛନ୍ତି |

nis-ad
Leave A Reply

Your email address will not be published.