ଭିତ୍ତିଭୂମି ନଥାଇ ଚାଲୁଛନ୍ତି ବେସରକାରୀ କଲେଜ : ଉଚ୍ଚମାଧ୍ୟମିକ ଶିକ୍ଷା ବିଭାଗ ନିଦାବିଷ୍ଣୁ

ଶିକ୍ଷା ବ୍ୟବସାୟୀଙ୍କ ହାତବାରିସି ସାଜିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ

ବ୍ରହ୍ମପୁର : ବର୍ତ୍ତମାନ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି, ଯାହାକୁ ଆଖିଆଗରେ ରଖି ସରକାରୀ କଲେଜଗୁଡ଼ିକ ସହ ବେସରକାରୀ କଲେଜ ଗୁଡ଼ିକରେ ମଧ୍ୟ ପିଲାମାନେ ନାମ ଲେଖାଇବାକୁ ବ୍ୟଗ୍ର । ଏହି ପରିପ୍ରେକ୍ଷୀରେ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ମଧ୍ୟ ବେସରକାରୀ କଲେଜଗୁଡ଼ିକ ବିନା ବାଧାରେ ବେଲଗାମ ଭାବେ ଚାଲିଥିବା ଦେଖିବାକୁ ମିଳିଛି । ଭିତ୍ତିଭୂମି ନଥିବା କଲେଜ ଗୁଡ଼ିକ ଉପରେ ଉଚ୍ଚଶିକ୍ଷାବିଭାଗ ପକ୍ଷରୁ କୌଣସି ଅଙ୍କୁଶ ନଲାଗିବା ଫଳରେ ସେମାନେ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କଲେଜଗୁଡ଼ିକ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କୋହଳ ମନୋଭାବର ରହସ୍ୟ କୁ ନେଇ ପ୍ରଶ୍ନ ଉଠିଛି । ତେଣୁ ଏଭଳି କଲେଜଗୁଡ଼ିକରେ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଦଲାଲ ମାନଙ୍କ ଶିକାର ନହୋଇ ଉପଯୁକ୍ତ ଅନୁସନ୍ଧାନ କରି ପିଲାମାନଙ୍କ ନାମ ଲେଖାଇବା ଜରୁରୀ ।

ବ୍ରହ୍ମପୁର ସହର ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ବହୁ ବେସରକାରୀ ଯୁକ୍ତ ୨ ରେସିଡ଼େନ୍‌ସିଆଲ୍ କଲେଜ ରହିଥିବାବେଳେ ଏହିଗୁଡ଼ିକ ମଧ୍ୟରୁ ଅଧିକାଂଶରେ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ମଧ୍ୟ ଏମାନେ ଛାତ୍ରଛାତ୍ରୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସମସ୍ତ ପ୍ରକାର ଭିତ୍ତିଭୂମି ଥିବା ଦର୍ଶାଇ ଏକ ଛୋଟିଆ କୋଠାରେ ମଧ୍ୟ କଲେଜ ନିର୍ମାଣ କରି ନାମ ଲେଖାଇବା ପାଇଁ ପ୍ରବର୍ତ୍ତାଉଛନ୍ତି । ସେହିପରି ସମରକୋର୍ସ ନାମରେ ଅଭିଭାବକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ନିଜ କଲେଜକୁ ଡ଼ାକିଆଣି ପିଲାମାନଙ୍କୁ ଶିକ୍ଷାନାମରେ ବିମୋହିତ କରି ମାସେ କାଳ ଅତି ଯତ୍ନ ସହକାରେ ରଖି ପରବର୍ତ୍ତୀ ସମୟରେ ଏମାନଙ୍କୁ ଶୋଷଣ କରି ଚାଲିଥାନ୍ତି । ଅଭିଭାବକମାନେ ବିମୋହିତ ହୋଇ ନିଜ ପିଲାର ଉଜ୍ୱଳ ଭବିଷ୍ୟତକୁ ଆଖି ଆଗରେ ରଖି ଫଶି ଯାଆନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶିକ୍ଷାଲାଭରୁ ବଂଚିତ ହେଉଛନ୍ତି ଏବଂ ଶେଷରେ ନିଜର ଭବିଷ୍ୟତ ଅନ୍ଧାରକୁ ଯିବା ଦେଖି ମୁଣ୍ଡରେ ହାତ ଦେଇ ବସନ୍ତି ।

ଅଧିକ ଫି ଦେଇ ନାମଲେଖାଇ ମଧ୍ୟ ଉପଯୁକ୍ତ ଶିକ୍ଷକଙ୍କ ଅଭାବ ଯୋଗୁଁ କପି କରି ପାସ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ସମୟରେ ପ୍ରଶ୍ନପତ୍ର ପ୍ରଘଟ କରୁଥିବା ନଜିର ମଧ୍ୟ ରହିଛି । ବ୍ରହ୍ମପୁର ସହରର ବିଭିନ୍ନ ବେସରକାରୀ କଲେଜଗୁଡ଼ିକର ନିଜସ୍ୱ କୋଠା ମଧ୍ୟ ନାହିଁ । ଶିକ୍ଷାକୁ ବ୍ୟବସାୟର ଏକ ସରଳ ମାଧ୍ୟମ କରିଛନ୍ତି କଲେଜ ମାଲିକମାନେ । ଆବଶ୍ୟକ ଭିତ୍ତିଭୂମି ପ୍ରଦାନ ପାଇଁ ଏନ୍‌ଓସି ଆଣିବାକୁ ଦରକାର ହେବାକୁ ଥିବାବେଳେ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ସମୟ ମଧ୍ୟରେ କାଗଜପତ୍ର ଦାଖଲ କରିନଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଗୁଡ଼ିକୁ ସବୁଜ ସଂକେତ ପ୍ରଦାନ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି ।

ଏଥି ନିମନ୍ତେ ପୂର୍ବରୁ କଲେଜ ଗୁଡ଼ିକ ଯାଞ୍ଚ ପାଇଁ ସମୟ ସୀମା ଦିଆଯାଇଥିଲା । ଭିତ୍ତିଭୂମି ମଧ୍ୟରେ କଲେଜ୍ ଗୁଡ଼ିକର ବର୍ତ୍ତମାନର ସ୍ଥିତି, ପାଠ୍ୟକ୍ରମ, ପାଠାଗାର, କମନ୍‌ରୁମ୍‌, ପାଇଖାନା ଏବଂ ନାମଲେଖା ଫିସ୍ ଆଦି ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ହୋଇଥିଲା । ସେହିଭଳି କଲେଜ କୋଠା ନିଜସ୍ୱ ଜମିରେ ପ୍ରତିଷ୍ଠା ହୋଇଛି କି ନାହିଁ, କେତେଜଣ ଶିକ୍ଷକ ଏବଂ ଅଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି, ସେମାନେ ସ୍ଥାୟୀ କର୍ମଚାରୀ କିମ୍ବା ଅସ୍ଥାୟୀ ଏବଂ କଲେଜ୍‌କୁ କେବେଠାରୁ ସ୍ୱୀକୃତି ମିଳିଛି ପ୍ରଭୃତି ତଥ୍ୟ ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ପାଣିର ଗାର ସଦୃଶ ହୋଇଛି । କିନ୍ତୁ ଏହି ଶିକ୍ଷା ବ୍ୟବସାୟୀ ମାନଙ୍କ ଜାଲରେ ଯେପରି କୋମଳମତି ଛାତ୍ରଛତ୍ରୀ ନପଡ଼ନ୍ତି ସେଥିପ୍ରତି ଛାତ୍ରଛାତ୍ରୀ ଏବଂ ଅଭିଭାବକ ସତର୍କ ରହିବା ଜରୁରୀ ।

ସୂଚନା ଥାଉକି ଦିନକୁ ଦିନ ଶିକ୍ଷାର ମାନଦଣ୍ଡ ଭୁସୁଡି ବାକୁ ବସିଲାଣି ସେଥିର ଫାଇଦା ନେଉଛନ୍ତି ଏହି ଶିକ୍ଷା ବ୍ୟବସାୟୀ ଦଲାଲ | ଏ ଦିଗରେ ୫-ଟି ତୁରନ୍ତ ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହେଉଛି |

nis-ad
Leave A Reply

Your email address will not be published.