ଜବତ ଲୁହାପଥର ଗୁଣ୍ଡ ଚୋରାଚାଲାଣ ଘଟଣା : ଜେଲ ହାଜତକୁ ଗଲେ କନଷ୍ଟେବଳଙ୍କ ସମେତ ୪ ଅଭିଯୁକ୍ତ

ଦେବଗଡ଼,୧୦ା୨ବାରକୋଟ ଥାନା ଅନ୍ତର୍ଗତ ରଞ୍ଜନ ଛକରେ ଥିବା ଲୁହାପଥର ଗୁଣ୍ଡ ଗଦାରୁ ଲୁହାପଥର ଗୁଣ୍ଡ ଚୋରାଚାଲାଣ ବେଳେ ପୋଲିସ ଶୁକ୍ରବାର ସୁନ୍ଦରଗଡ ଜକେଇକେଳା(ବଣାଇ)ର ପୋଲିସ କନେଷ୍ଟବଳ ସତ୍ୟାନନ୍ଦ ବେହେରା(୨୩), ବାରକୋଟ ଥାନା ବଲଣ୍ଡା ଗ୍ରାମର ସାଗର ସାହୁ(୩୧),ବଣାଇ ଥାନା ଅନ୍ତର୍ଗତ ଜକେଇକେଳା ଗ୍ରାମର ଅଜିତ କୁମାର ସାହୁ(୩୮)ଓ କେନ୍ଦୁଝର ଜିଲା ସ୍ୱାମପାଟଣା ଥାନା ଅନ୍ତର୍ଗତ କୁଆପୋଷି ଗ୍ରାମର ଯୁଧିଷ୍ଠିର ମହାନ୍ତ (୩୮)ଙ୍କୁ ଗିରଫ କରିଥିଲା । ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ବାରକୋଟ ଥାନା ଅନ୍ତର୍ଗତ ରଞ୍ଜ ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ବେଆଇନ ଲୁହାପଥର ଗୁଣ୍ଡ ଗଦାକୁ ସମ୍ବଲପୁର ସ୍ଥିତ ଖଣି ବିଭାଗ ଉପ ନିର୍ଦ୍ଦେଶକ ୨୦୦୮ ମସିହାରେ ଜବତ କରିଥିଲେ ।ଗୁରୁବାର ବିଳମ୍ବିତ ରାତ୍ରୀରେ କନେଷ୍ଟବଳ ସତ୍ୟାନନ୍ଦ, ସାଗର,ଅଜିତ ଓ ଯୁଧିଷ୍ଠିର ଏକ ବଲେରୋ ଗାଡି(ନଂ-ଓଡି୧୪-କ୍ୟୁ-୧୧୨୧) ଯୋଗେ ବାରକୋଟ ଥାନା ଅନ୍ତର୍ଗତ ରଞ୍ଜ ଗ୍ରାମରେ ପହଂଚିବା ପରେ ୪୯ନମ୍ବର ଜାତୀୟ ରାଜପଥ କଡରେ ଥିବା ଲୁହାପଥର ଗୁଣ୍ଡ ଗଦାରୁ ଏକ ଜେସିବି ମ୍ୟାସିନ(ନଂ-ଓଡି-୧୯ଡବ୍ଲୁ-୯୭୩୮)ଦ୍ୱାରା ଲୁହାଗୁଣ୍ଡ ଉଠାଇ ଏକ ଦୀର୍ଘକାୟ ୧୮ ଚକିଆ ଟ୍ରକ(ନଂ-ପିବି୦୫ଏଏଲ୍‌-୭୮୧୩) ରେ ଭର୍ତୀ କରୁଥିଲେ । ସୂଚନା ପାଇ ବାରକୋଟ ଥାନା ପୁଲିସ ସେଠାରେ ପହଂଚି ବ୍ୟବହୃତ ଉପରୋକ୍ତ ଟ୍ରକ, ଜେସିବି ମ୍ୟାସିନ ଓ ବଲେରୋ ଗାଡିକୁ ଜବତ କରିଥିଲା । ଏଥିସହ ଏ ଘଟଣାରେ ସମ୍ପୃକ୍ତ କନଷ୍ଟେବଳ ସତ୍ୟାନନ୍ଦ, ସାଗର, ଅଜିତ ଓ ଯୁଧିଷ୍ଠିରକୁ ଗିରଫ କରି ବାରକୋଟ ଥାନାକୁ ନେଇଥିଲା । ତେବେ ପୁଲିସକୁ ଦେଖି ଟ୍ରକ ଓ ଜେସିବି ମ୍ୟାସିନର ଚାଳକ ଫେରାର ହୋଇଯାଇଥିଲେ । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଦେବଗଡ ଏସ୍‌ଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ବାରକୋଟ ଥାନାରେ ପହଂଚି ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଗିରଫ ଅଭିଯୁକ୍ତ ମାନେ ନିଜ ନିଜର ଦୋଷ ସ୍ୱୀକାର କରିଥିଲେ । ଫଳରେ ପୁଲିସ ସେମନଙ୍କ ବିରୁଦ୍ଧରେ ଦଫା-୩୭୯,୪୧୧/୩୪ ଆଇପିସିରେ ଏକ ମାମଲା ଋଜୁକରି ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା ।

nis-ad
Leave A Reply

Your email address will not be published.