ମୋଟର ସାଇକେଲ ଦୁର୍ଘଟଣାରେ ୨ ଗୁରୁତର

ହିଞ୍ଜିଳିକାଟୁ : ମଙ୍ଗଳବାର ସକାଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ସିନେମାହଲ ଛକରେ ମୋଟର ସାଇକେଲ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହେବା ସହ ମୋଟର ସାଇକେଲ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣଙ୍କ ହେଲେ ହିଞ୍ଜିଳି ଥାନା ପୋଚିଲିମା ଗ୍ରାମର ଜି. ଯମୁନା ଓ ବାଇକ ଚାଳକ ଜଣଙ୍କ ହେଲେ କୋଟିନଡା ଥାନା ଆସିକା କଲେଜ ଛକ ଅଞ୍ଚଳର ବଳରାମ ମହାରଣା।‌ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଅଗ୍ନିଶମ ସେବା ଗାଡି ଯୋଗେ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାରିକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ମଙ୍ଗଳବାର ସକାଳେ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ବଳରାମ ବାଇକ୍ (ଓଡି୩୨ଏଫ ୭୭୨୯) ଯାଉଥିବା ବେଳେ ମହିଳା ଜଣଙ୍କ ନିକଟସ୍ଥ ବ୍ୟାଙ୍କରୁ କାମ ସାରି ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ବାଇକ ଚାଳକ ଜଣଙ୍କ ମହିଳାଙ୍କୁ ଧକ୍କା ଦେଇଥିଲେ।‌ ପ୍ରକାଶ ଥାଉକି, ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ନପହଞ୍ଚିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ହିଞ୍ଜିଳିକାଟୁ ମେଡିକାଲକୁ ୨ଟି ଏବଂ ସ୍ଥାନୀୟ ବ୍ଳକ ବେଲଗାଁ ମେଡିକାଲ ସକାଶେ ଗୋଟିଏ ୧୦୮ ଆମ୍ବୁଲାନ୍ସ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି।‌ ବହୁ ସମୟରେ ସଂପୃକ୍ତ ୩ଟି ୧୦୮ ଆମ୍ବୁଲାନ୍ସ ଗୁଡିକୁ କଟକ ମେଡ଼ିକାଲକୁ ପଠାଯାଉଥିବା ଯୋଗୁଁ ବହୁ ସମୟରେ ସ୍ଥାନୀୟ ଅଞ୍ଚଳର ଗୁରୁତର ଆହତ କିମ୍ବା ଅସୁସ୍ଥ ବ୍ୟକ୍ତିମାନେ ୧୦୮ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଥିବା ଜଣାପଡ଼ିଛି। ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି ଜଣାଇଛନ୍ତି।

nis-ad
Leave A Reply

Your email address will not be published.