ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ : ସାହିତ୍ୟିକ ସମାବେଶ ଓ କବିତା ପାଠୋତ୍ସବ

ହିଞ୍ଜିଳିକାଟୁ : ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ପାଳନ ଅବସରରେ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ସାହିତ୍ୟିକ ସମାବେଶ ଓ କବିତା ପାଠୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବହୁ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ୩ ଦିନ ଧରି ଏହି କାର୍ଯ୍ୟକ୍ରମ ରାଜ୍ୟ ରେ ଚାଲିବାକୁ ଥିବା ବେଳେ ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜନ ପାଇଁ ନିଷ୍ପତି ହୋଇଛି। ଶନିବାର ପୂର୍ବାହ୍ନ ରେ ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମ ପରିସରରେ ପୂର୍ବାହ୍ନରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଭୁବନେଶ୍ଵର ଜନତା ମଇଦାନରେ ଅନୁଷ୍ଠିତ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ରେ ମୁଖ୍ୟମନ୍ତ୍ରୀ ଓ ସାହିତ୍ୟିକ ଓ ଭାଷାବିତ ଙ୍କ ଅଭିଭାଷଣର ସିଧା ସଳଖ ପ୍ରସାରଣକୁ ବଡ଼ ପରଦାରେ ପ୍ରଦର୍ଶନ କରାଯାଇଥିଲା। ପରେ ଏକ ଭାଷା ସାହିତ୍ୟ ରଥକୁ ପତକା ଦେଖାଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଓ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଶୁଭାରମ୍ଭ କରିଥଲେ। ଏହି ରଥ ପୌର ପରିଷଦ ର ବିଭିନ୍ନ ଅଂଚଳରେ ଓଡ଼ିଆ ଭାଷାର ମହନୀୟତା ଉପରେ ଜନ ସଚେତନତା ସୃଷ୍ଟି କରିଛି।
ହିଞ୍ଜିଳିକାଟୁ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ଠାରେ ଅନୁଷ୍ଠିତ ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଙ୍କ ପୌରହିତ୍ୟରେ ଅଞ୍ଚଳର ସାହିତ୍ୟିକ, କଳାକାର ଓ ବୁଦ୍ଧିଜୀବିମାନଙ୍କ ଉପସ୍ଥିତିରେ ସାହିତ୍ୟ ଆଲୋଚନା ଚକ୍ର ” ବିଶ୍ବ ଦରବାରରେ ଓଡ଼ିଆ ସାହିତ୍ୟ” ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପରେ କବିତା ପାଠୋତ୍ସବ ଓ ସୁନାମଧନ୍ୟ ସାହିତ୍ୟିକା ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ଅଞ୍ଚଳର ସାହିତ୍ୟିକ ଡଃ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଡଃ ଅରବିନ୍ଦ ପଣ୍ଡା, ନିତ୍ୟାନନ୍ଦ ସାହୁ, ଶିଶୁ ସାହିତ୍ୟିକ ପ୍ରମୋଦ ପଣ୍ଡିତ, ହରିହର ଚୌଧୁରୀ, ପ୍ରଶାନ୍ତ ପଟ୍ଟନାୟକ, ରୀତାଞ୍ଜଳି ମିଶ୍ର , ପାରଦ ପାଢି, ଦ୍ବିତୀକୃଷ୍ଣ ପଣ୍ଡା,ନୀଳମଣି ପଟ୍ଟନାୟକ, ରାଜେଶ ପାତ୍ର, ଚିନ୍ମୟ ପଲେଇ , ପପୁ ପରିଡ଼ା , ଆକାଶ ପଟ୍ଟନାୟକ ପ୍ରମୁଖ ସାହିତ୍ୟିକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ରବିବାର ଯୁବ ସମାବେଶ ଓ ସୋମବାର ଜିଲ୍ଲା ର ଅନ୍ୟ ସାରସ୍ଵତ ସାଧକଙ୍କୁ ନେଇ ସମ୍ବର୍ଦ୍ଧନା ଓ ସାହିତ୍ୟ ଚର୍ଚ୍ଚା ଆୟୋଜନ ହେବ ବୋଲି ପ୍ରକାଶ।

nis-ad
Leave A Reply

Your email address will not be published.