ପୋକରା ଚାଉଳ ବଣ୍ଟନରୁ ହିତାଅଧିକାରୀ ଅସନ୍ତୁଷ୍ଟ

ଆର ଉଦୟଗିରି : ପୋକରା ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ବୃଦ୍ଧି ପାଇଛି ତୀବ୍ର ଅସନ୍ତୋଷ । ଘରକୁ ଚାଉଳ ନେବା ବଦଳରେ ପଞ୍ଚାୟତକୁ ଫେରାଇଦେଇଥିଲେ ହିତାଧିକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକର ଶବରପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ । ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ହିତାଧିକାରୀଙ୍କୁ ମାଗଣାରେ ୪ ମାସର ଚାଉଳ ଯୋଗାଇ ଦେଉଥିବା ବେଳେ ଶନିବାର ଶବରପଲ୍ଲୀ ପଞ୍ଚାୟତର ବାୟାଗୁଡା, ଜିରାଙ୍ଗ, ଅଞ୍ଜରସାହି ଓ ଫଟାଚାଞ୍ଚଡା ଗାଁର ରାସନ୍ କାର୍ଡ ହିତାଧିକାରୀ ୪ ମାସର ପିଡିଏସ୍ ଚାଉଳ ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଗାଡି ଭଡା କରି ଆସିଥିଲେ । ଯୋଗାଣ ସହାୟକଙ୍କ ଠାରୁ ଚାଉଳ ନେବା ପରେ ସେହି ସବୁ ଚାଉଳ ପୋକରା ଓ ବିଲେଇ ମଳ ସହ ଆବର୍ଜନା ବାହାରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ବହୁ ଦୂର ଦୂରାନ୍ତରୁ ଆସିଥିବା ହିତାଧିକାରୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସହ ସରପଞ୍ଚ ଓ ପିଇଓଙ୍କୁ ଡାକିଥିଲେ । କିନ୍ତୁ ପିଇଓ ଅନ୍ୟକାମରେ ଯାଇଥିରୁ ଆସିପାରିନଥିଲେ । ସରପଞ୍ଚଙ୍କ ସ୍ବାମୀ ଆସି ଘଟଣାକୁ ଦୃଡତା ସହ ନିନ୍ଦା କରିଥିଲେ । ଗଛିତ ଥିବା ଚାଉଳ ବସ୍ତାରେ ରିପେକିଂ କରାଯାଇଥିବା ବେଳେ ତଳ ଭାଗ ଓଦା ହୋଇ ଅଖା ଚିରି ଫାଟି ଯାଇଛି ।

ପଞ୍ଚାୟତର ଗୋଦାମରେ ଥିବା ଚାଉଳ ବସ୍ତା ଖୋଲି ଦେଖିବାରେ ତାହା ବି ପୋକରା ସହ ଅସନା ହୋଇ ରହିଥିଲା । ଆସିଥିବା ୪ ଖଣ୍ଡ ଗ୍ରାମବାସୀ ଚାଉଳ ନନେଇ ଖାଲି ହାତରେ ଘରକୁ ଫେରି ଯାଇଥିଲା । ତୁରନ୍ତ ଭଲ ଚାଉଳ ଦେବାକୁ ଦାବି କରିଛନ୍ତି । ସଂପକ୍ତ ଖାଦ୍ୟ ଯୋଗାଣ ସହାୟକ ପ୍ରସନ ରଇତଙ୍କୁ ଏ ନେଇ ପଚାରିବାରୁ କେବେ ଏହିଭଳି ଅବ୍ୟବସ୍ଥା ହେଉନଥିଲା ଚଳିତ ଥର ୬୦ କ୍ବିଣ୍ଟାଲରୁ ଉଦ୍ଧ୍ବ ହେବ ଖରାପ ଅପମିଶ୍ରଣ ଚାଉଳ ଆସିଥିବା କହିଛନ୍ତି । ଯୋଗାଣ ନିରୀକ୍ଷକ ତାପସ ତ୍ରିପାଠୀ କହିଛନ୍ତି ଖରାପ ଥିବା ଚାଉଳ ସବୁ ଫେରସ୍ତ କରାଯାଇ ଖୁବ୍ ଶୀଘ୍ର ଭଲ ଚାଉଳ ଯୋଗାଇ ଦିଆଯିବ । ତେବେ ଏତେ ପରିମାଣ ଖରାପ ଚାଉଳ କିଭଳି ରିପେକିଂ କରି ପଞ୍ଚାୟତକୁ ପଠାଗଲା ସେ ନେଇ ଜିଲ୍ଲାଖାଉଟି ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ପଚାରିବାରୁ ଗଜପତି ପିଡିଏସ ଗୋଦାମରେ ଗଞ୍ଜାମ ଜିଲ୍ଲାର ଚାଉଳ ଦୀର୍ଘଦିନ ଧରି ଗଛିତ ରହିଥିଲା । ତେଣୁ ଏଭଳି ଅସୁବିଧା ହୋଇ ଥାଇପାରେ ବୋଲି କହିଛନ୍ତି । ତୁରନ୍ତ ଉକ୍ତ ପଞ୍ଚାୟତକୁ ଭଲ ଚାଉଳ ପଠାଯିବା ବ୍ୟବସ୍ଥା କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

nis-ad
Leave A Reply

Your email address will not be published.