୨ବର୍ଷ ହେଲା ସାଧାରଣତନ୍ତ୍ର ଦିବସ ଅବସରରେ ହେଉଥିବା ସାଧାରଣ ସଭା ବନ୍ଦ ପାଇଁ ଦାୟୀ କିଏ?

ମାଲକାନଗିରି/ବାଲିମେଳା : ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଠାରୁ ଅଦ୍ୟାବଧି ପଲ୍ଲୀ ଠାରୁ ଦିଲ୍ଲୀ ଚଳଚଞ୍ଚଳ ଏବଂ ଉତ୍ସବ ମୁଖରିତ ହୋଇଥାଏ ଏହି ଜାତୀୟ ଦିବସ ପାଳନ ଅବସରରେ । ଏହି ମହାଡମ୍ବରରୁ ବାଦ୍ ପଡ଼େନି ଆଦିବାସୀ ଅଧ୍ୟୁଷିତ, ମାଓ ଉପଦ୍ରୁତ ତଥା ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ସୀମାନ୍ତ ଜିଲ୍ଲା ମାଲକାନଗିରି । ପୂର୍ବରୁ ଯଦିଓ ନକ୍ସଲବାଦୀ କାର୍ଯ୍ୟକଳାପ ଏବଂ ଲାଲ୍ ଆତଙ୍କ ଦ୍ଵାରା ଘେରାବନ୍ଦୀ ରହିଥିଲା ଏହି ଜିଲ୍ଲା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ କିନ୍ତୁ ଗତ ପ୍ରାୟ ୪ବର୍ଷ ଧରି ସ୍ବାଭିମାନ ଅଞ୍ଚଳରେ ମଧ୍ୟ ଭାରତ ମାଆର ସେହି ସମ୍ମାନ ସୂଚକ ତ୍ରିରଙ୍ଗା ପତାକା ସ୍ଵାଧୀନ ଭାବେ ଫରଫର ହୋଇ ଉଡ଼ି ଆସୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାର ସମସ୍ତ ଅଞ୍ଚଳ ଅର୍ଥାତ୍ ଖାସ୍ କରି ଜିଲ୍ଲାର ସଦରମହକୁମା ମାଲକାନଗିରି, ଚିତ୍ରକୋଣ୍ଡା ସମେତ ସ୍ବାଭିମାନ ଅଞ୍ଚଳର ସମସ୍ତ ଜନସାଧାରଣ ଖୁବ୍ ଜାକଜକମରେ ତ୍ରିରଙ୍ଗାମୟ ପରିବେଶ ଭିତରେ ସମବେତ ହୋଇ ଗଣତନ୍ତ୍ରର ଏହି ପର୍ବ ପାଳନ କରୁଥିବା ନଜରକୁ ଆସେ । କିନ୍ତୁ ସବୁଠାରୁ ବଡ଼ ବିଡ଼ମ୍ବନା ହେଲା, ଗଲା ଦୁଇ ବର୍ଷ ଧରି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଦୀର୍ଘ ବର୍ଷରୁ ପାଳିତ ହୋଇ ଆସୁଥିବା ଏହି ସାମୂହିକ ମହୋତ୍ସବ ବନ୍ଦ୍ ହୋଇଯାଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ସ୍ଵାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ଭଳି ଦୁଇ ପ୍ରମୁଖ ଜାତୀୟ ଦିବସ ମଧ୍ୟରୁ ବିଜ୍ଞାପିତ ଅଞ୍ଚଳ ବାଲିମେଳା ଆନୁକୁଲ୍ୟରେ ପାଳନ ହୋଇ ଆସୁଥିଲା କେବଳ ସାଧାରଣତନ୍ତ୍ର ଦିବସ। ଯେଉଁ ଦିନ ତଥାକଥିତ ସ୍ଥାନୀୟ ଅଫିସର୍ ଫିଲ୍ଡ ଏବଂ ସାମ୍ପ୍ରତିକ ଏନ୍.ଏ.ସି. ମିନି ଷ୍ଟାଡିୟମରେ ପ୍ଲେ-ସ୍କୁଲ୍ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ସମସ୍ତ ନର୍ସରୀ ଠାରୁ ଦଶମ ଶ୍ରେଣୀ ଥିବା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାମୁହିକ ପ୍ୟାରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପୁରସ୍କାର ବିତରଣ ଗୋଟିଏ ଢାଞ୍ଚାଗତ ପରମ୍ପରାରେ ବଦଳି ସାରିଥିଲା । କିନ୍ତୁ ଗଲା ବର୍ଷ ଅର୍ଥାତ୍ ୨୦୨୩ ଠାରୁ ଏହି ପରମ୍ପରା ସାମୂହିକ ପାଳନ କ୍ଷେତ୍ରରେ ବ୍ୟାହାତ ଘଟିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ସାମୂହିକ ମହୋତ୍ସବ ଆଢୁଆଳରେ ଜନସମାଗମ ବିଶେଷ କରି ଛାତ୍ର ଛାତ୍ରୀ, ଯୁବଗୋଷ୍ଠୀ ଏବଂ ସାଧାରଣ ନାଗରିକ ଅର୍ଥାତ୍ ସମସ୍ତ ବୟସ ବର୍ଗର ବ୍ୟକ୍ତି ମାନଙ୍କ ପାଇଁ ଏକମାତ୍ର ମିଳୁଥିବା ଏହି ଅବସର ବନ୍ଦ୍ ହୋଇଯାଇଛି। ଜାତୀୟ ଦିବସ ପାଳନରୁ ଦୀର୍ଘ ବର୍ଷ ଧରି ବିରତ ରହିଥିବା ମାଲକାନଗିରି ଜିଲ୍ଲାର ଗୋଟିଏ ବୃହତ୍ ଭାଗ ଅର୍ଥାତ୍ ସ୍ବାଭିମାନ ଅଞ୍ଚଳ ଯେତେବେଳେ ଗଣତନ୍ତ୍ରର ଏହି ପର୍ବ ଗୁଡ଼ିକରେ ଆଜି ସାମିଲ୍ ହୋଇ ଉତ୍ସବ ମୁଖରିତ ହେଉଛି, ସମାନ୍ତରାଳ ଭାବେ ସେହି ସମାନ ସମୟରେ କିନ୍ତୁ ଦୀର୍ଘ ବର୍ଷ ଧରି ତ୍ରିରଙ୍ଗା ପତାକା ତଳେ ସମବେତ ଭାବେ ଗଣତନ୍ତ୍ର ଦିବସରେ ଉତ୍ସବ ମୁଖରିତ ହୋଇ ଆସୁଥିବା ବିଜ୍ଞାପିତ ଅଞ୍ଚଳ ବାଲିମେଳା କିନ୍ତୁ ନିଃଶବ୍ଦ ଓ ନୀରବି ଯାଇଛି । ଯଦିଓ ପୂର୍ବରୁ ନକ୍ସଲବାଦର ଭୟ ଅବା ଆତଙ୍କ ଜନଗଣଙ୍କୁ ଗଣତନ୍ତ୍ରର ଏହି ମହାନ୍ ପର୍ବ ପାଳନ ଦିଗରେ ଏକ ପ୍ରମୁଖ ଆହ୍ଵାନ ବୋଲି ଅଭିହିତ କରାଯାଉଥିଲା କିନ୍ତୁ ବର୍ତ୍ତମାନ ଅଞ୍ଚଳରେ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ଉଦାସୀନତା ଓ ପ୍ରାଶାସନିକ ଅବହେଳା ଏବଂ ଦାୟିତ୍ବହୀନତା କାରଣରୁ ଏଭଳି ଅବ୍ୟବସ୍ଥା ହେଉଥିବା ବାୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗଣତନ୍ତ୍ରର ଏହି ପର୍ବକୁ ଆବଦ୍ଧ କରି କେବଳ ଏନ୍.ଏ.ସି. ଅଫିସ୍ ପ୍ରାଚୀର ଭିତରେ ସୀମିତ କରାଯାଉଥିବା ଆରୋପରେ ଧୀରେ ଧୀରେ ଏକ ପୁଞ୍ଜିଭୂତ ଜନ ଅସନ୍ତୋଷକୁ ଜନ୍ମ ଦେଉଥିବା ପୂର୍ବାନୁମାନ କରାଯାଇପାରେ ।

ତେବେ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା ସହ ଏକାଧିକ ପ୍ରଶ୍ନ ସାମ୍ନାକୁ ଆସିଛି। ଯେପରିକି, ଗତ ନିର୍ବାଚନ ପରଠାରୁ ହିଁ ନିର୍ଦ୍ଦିଷ୍ଟ ଭାବେ ଏଭଳି ଏକ ପ୍ରମୁଖ ଗଣପର୍ବ କାହିଁକି ବନ୍ଦ୍ କରାଯାଉଛି? କାହାର ଏଭଳି ଅଯୋଗ୍ୟପଣ ଗଣତନ୍ତ୍ରର ଉତ୍ସବ ପାଳନ କ୍ଷେତ୍ରରେ ଏକ କଳୁଷିତ ଅଧ୍ୟାୟ ତିଆରି କରୁଛି? କାହା ଇଙ୍ଗିତରେ ନା କେଉଁ ହୀନ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ୍ କରାଯାଉଛି ସମବେତ ଭାବେ ପାଳନ ହେଉଥିବା ଏହି ଜନରାଜ୍ୟ ଦିବସ? ସର୍ବୋପରି ଏହି ପର୍ବରୁ ବଞ୍ଚିତର କାରଣ; ନିର୍ବାଚିତ ଜନପ୍ରତିନିଧି ମାନଙ୍କ ଇଚ୍ଛାଶକ୍ତି ଅଭାବ! ନା ପ୍ରଶାସନିକ ଉଦାସୀନତା!! ତାହା ସ୍ପଷ୍ଟ ଭାବରେ ଜଣା ପଡୁନାହିଁ। ତେବେ ଘଟଣାର ପଛରେ ଉହ୍ୟରେ ସଂଶ୍ଳିଷ୍ଟ ଦିଗ ସମ୍ପର୍କିତ କୌଣସି ପ୍ରତିକ୍ରିୟା କୌଣସି ଅଧିକାରୀଙ୍କ ପକ୍ଷରୁ ଗ୍ରହଣ କରାଯାଇ ପାରିନଥିବା ସ୍ଥଳେ ସମସ୍ତ ସନ୍ଧି ଓ ଅଭିସନ୍ଧିକୁ ଜଳାଞ୍ଜଳି ଦେଇ ଗଣତନ୍ତ୍ରର ଉଭୟ ମହାନ ପର୍ବ ଯଥା ସାଧାରଣତନ୍ତ୍ର ଦିବସ ଏବଂ ସ୍ଵାଧୀନତା ଦିବସକୁ ସ୍ଥାନୀୟ ଅଞ୍ଚଳରେ ସାମୂହିକ ଭାବେ ପାଳନ କରିବା ନିମନ୍ତେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ବିଧିବଦ୍ଧ ପ୍ରାବଧାନ ତିଆରି କରନ୍ତୁ ବୋଲି ସାଧାରଣରେ ଦାବି ଜୋର୍ ଧରିଛି ।

nis-ad
Leave A Reply

Your email address will not be published.