ଗଣତନ୍ତ୍ର ଦିବସ ପାଳନ…

ଆର,ଉଦୟଗିରି : ଆମେ ଭାରତର କୃଷକ, ଶ୍ରମିକ ଏବଂ ସମସ୍ତ ବର୍ଗର ଜନଗଣ,ଭାରତୀୟ ଜନତା ନିଜକୁ ଭାରତୀୟ ସମ୍ବିଧାନ ପ୍ରଦାନ କରିଥିବାର ଏହି ୭୪ତମ ବାର୍ଷିକୀ ଅବସରରେ ଭାରତର ସମ୍ବିଧାନ ଅନୁଯାୟୀ ସମ୍ମାନଜନକ ଜୀବନ ଏବଂ ଜୀବିକାର ସୁରକ୍ଷା ପାଇଁ ସଂଘର୍ଷ କରିବାକୁ ସଂକଳ୍ପ ନେଉଛୁ, ଏବଂ ଯାହା ଆଜି ବିଜେପି ନିୟନ୍ତ୍ରିତ କେନ୍ଦ୍ର ସରକାରଙ୍କ ନିର୍ଲଜ୍ଜ କର୍ପୋରେଟ୍ ସମର୍ଥକ କୃଷି ନୀତି ଦ୍ୱାରା ବିପନ୍ନ ହୋଇ ପଡ଼ିଛି।
ବିଜୁଳି ଓ ଯନ୍ତ୍ରପାତି ସମେତ ମୁଲ୍ୟବାନ କଞ୍ଚାମାଲ ପରି ସାମଗ୍ରୀକୁ ନିୟନ୍ତ୍ରଣ ଓ ବିକ୍ରି କରିବା ପାଇଁ କର୍ପୋରେଟ୍ ପ୍ରୟାସକୁ ପ୍ରତିହତ କରିବାକୁ ଆମେ ଦୃଢ ସଂକଳ୍ପ କରୁଛୁ । କର୍ପୋରେଟ୍ ପରିଚାଳିତ ବଜାରକୁ ସୁହାଇବା ପରି ଫସଲ ପ୍ରଣାଳୀକୁ ପରିବର୍ତ୍ତନ କରିବା; କୃଷି ସବସିଡିକୁ ବିଲୋପ କରିବା ଏବଂ ଫସଲର ନିଶ୍ଚିତ ମୂଲ୍ୟ ଉଠାଇ ନେବା ଏବଂ ସରକାରଙ୍କ ଦ୍ୱାରା ଫସଲର କ୍ରୟ ବ୍ୟବସ୍ଥାକୁ ବନ୍ଦ କରିବା; ଖାଦ୍ୟ ସଂରକ୍ଷଣକୁ ନିୟନ୍ତ୍ରଣ କରିବା ଏବଂ ଏହା ଦ୍ୱାରା ଅତ୍ୟଧିକ ଲାଭ ପାଇବା ପାଇଁ ଖାଦ୍ୟ ଯୋଗାଣକୁ ନିୟନ୍ତ୍ରଣ କରିବା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଖାଦ୍ୟ ବଜାରକୁ ନିଜ ଅକ୍ତିଆରକୁ ନେବା; ଗରିବଙ୍କ ହିତରେ ଖାଦ୍ୟ ପଦାର୍ଥର ଗଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ର ସୁରକ୍ଷାକୁ କ୍ଷୁର୍ଣ୍ଣ କରିବା; ଏବଂ ଚାଷ ଜମି, ଜଙ୍ଗଲ ଏବଂ ଜଳ ସମ୍ପଦକୁ ଅକ୍ତିଆର କରିବା ଏବଂ ତାର ବ୍ୟବସାୟୀକରଣ କରିବା ପାଇଁ ଚାଲିଥିବା କର୍ପୋରେଟ୍ ପ୍ରୟାସକୁ ପ୍ରତିହତ କରିବାକୁ ଆମେ ଦୃଢ ସଂକଳ୍ପବଦ୍ଧ ।
ସମାଜର ଧର୍ମନିରପେକ୍ଷ ଢାଞ୍ଚାକୁ ନଷ୍ଟ କରୁଥିବା ସାମ୍ପ୍ରଦାୟିକ-କର୍ମସୂଚୀର ଆକ୍ରମଣ,ଯାହା ଆମ ସମ୍ବିଧାନରେ ଥିବା ଧାର୍ମିକ ସଂଖ୍ୟାଲଘୁଙ୍କ ସମାନ ଭାବରେ ବଞ୍ଚି ରହିବାର ଗଣତାନ୍ତ୍ରିକ ଅଧିକାର ପ୍ରତି ବିପଦ ସୃଷ୍ଟି କରୁଛି; ସେହି ବିଷୟରେ ଆମେ ଆମ ସହଯୋଗୀ ଗ୍ରାମବାସୀଙ୍କୁ ସଚେତନ କରାଇବା ପାଇଁ ମଧ୍ୟ ସଂକଳ୍ପ କରୁଛୁ। ଏବଂ ଜାତି-ବର୍ଣ୍ଣକୁ ପ୍ରାଧାନ୍ୟ ଦେଉଥିବା ମନୁବାଦୀ ନୀତି, ଯେଉଁଥିରେ ମହିଳା, ଅବହେଳିତ ଜାତି ଏବଂ ଜନଜାତିମାନଙ୍କୁ ଆଜ୍ଞାବହ କ୍ରୀତଦାସତୁଲ୍ୟ ବ୍ୟବହାର କରାଯାଇଥାଏ, ଏବଂ ସେମାନଙ୍କୁ ସୁରକ୍ଷିତ ଏବଂ ନିରାପଦ କର୍ମ ସଂସ୍ଥାନ ସହିତ ସମାନ, ବୌଦ୍ଧିକ ଏବଂ ସମ୍ମାନଜନକ ଜୀବନ ଏବଂ ଜୀବିକା ଧାରଣ କରିବାର ଅଧିକାରରୁ ବଞ୍ଚିତ କରାଯାଇଥାଏ, ସେହି ମନୁବାଦୀ ନୀତି ବିରୋଧରେ ଦେଶର କୃଷକ, ଶ୍ରମିକ ଏବଂ ସମସ୍ତ ଲୋକଙ୍କୁ ଏକଜୁଟ କରିବା ନିମନ୍ତେ ଆମେ ପ୍ରତିଜ୍ଞାବଦ୍ଧ ।
ଆମେ, ଆଜିର ଏହି ଦିବସରେ, ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ସଂଗଠିତ ସମସ୍ତ ଅନ୍ୟାୟ, ବିରୋଧରେ ଏବଂ ବିଶେଷକରି ଦମନ ଏବଂ ଲୋକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି ସଂଗଠିତ ସମସ୍ତ ଅନ୍ୟାୟ ବିରୋଧରେ ବ୍ୟାପକ ସ୍ତରରେ ଲଢ଼ିବା ପାଇଁ ପ୍ରତିବଦ୍ଧତା ସ୍ୱୀକାର କରୁଛୁ । ସମ୍ବିଧାନରେ ଥିବା ସମସ୍ତ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଓ ଆଧୁନିକ ପଥରେ ଉନ୍ନୟନ ଅଧିକାରକୁ ସମ୍ମାନ ଜଣାଇବା ସହ ବଳବତ୍ତର କରିବା ପାଇଁ ଆମେ ସଂକଳ୍ପ କରୁଛୁ l
ଏକଛତ୍ରବାଦ,ରାଷ୍ଟ୍ର କ୍ଷମତାର ମାତ୍ରାଧିକ ପ୍ରୟୋଗ, ଜୀବନ-ଜୀବିକା ଉପରେ ଆକ୍ରମଣର ବିଲୋପ ପାଇଁ ଏବଂ ସମ୍ବିଧାନ ପ୍ରଦତ୍ତ ସଂଘୀୟ ଅଧିକାର ରକ୍ଷା କରିବା ପାଇଁ , ଆମର ବହୁଜାତୀୟ ଦେଶର ବିବିଧତାକୁ ରକ୍ଷା କରିବା ପାଇଁ ଆମେ ସମଗ୍ର ଭାରତରେ ଜନସାଧାରଣଙ୍କ ଐକ୍ୟବଦ୍ଧ, ଗଣତାନ୍ତ୍ରିକ ଆନ୍ଦୋଳନକୁ ଉଜ୍ଜୀବିତ/ଉଦ୍ଜୀବିତ ତଥା ପ୍ରାଣବନ୍ତ କରିବାକୁ ପ୍ରତିଜ୍ଞା କରୁଛୁ ।

nis-ad
Leave A Reply

Your email address will not be published.