ଜାନୁଆରୀ ୧୮ ତାରିଖରୁ ପ୍ରାଣୀ ଚିକିତ୍ସକଙ୍କ ସମୂହ ଛୁଟି…

ଫୁଲବାଣୀ : ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ତରଫରୁ ବର୍ଷ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବା ପରିତାପର ବିଷୟ । ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ରାଜ୍ୟରେ ପ୍ରାଣୀ ପାଳନର ପରିଭାଷା ବଦଳିଛି । ପ୍ରାଣୀ ପାଳକମାନେ ଆଜିର ସମୟରେ ବଡ ବଡ ସଂଗଠିତ ଫାର୍ମ ତିଆରି କରି ଅଧିକ ସଂଖ୍ୟାରେ ପ୍ରାଣୀ ପାଳନ କରୁଛନ୍ତି ତଥା ଦେଶୀ ପ୍ରାଣୀସମ୍ପଦ ସ୍ଥାନରେ ଆଜି ବିଦେଶୀ ଓ ଉନ୍ନତ ପ୍ରଜାତିର ପ୍ରାଣିପାଳନ କରାଉଛନ୍ତି। ତାହା ସହିତ ଔଦ୍ୟୋଗି କରଣ ଓ ସୂଚନା-ପ୍ରଯୁକ୍ତି ବିଦ୍ୟାର ପ୍ରଭୃତ ପ୍ରଗତି ମଧ୍ୟ ରାଜ୍ୟରେ ପ୍ରାଣୀପାଳନ ବ୍ୟବସ୍ଥାକୁ ବହୁ ପରିମାଣ ରେ ପ୍ରଭାବିତ କରିବା ସହ ପ୍ରାଣୀ ପାଳକ ମାନଙ୍କର ଆୟ ବହୁଗୁଣିତ ହୋଇ ପାରିଛି । ଆଜି ପ୍ରାଣୀପାଳକ ମାନେ ନିଶୁଳ୍କ ଚିକିତ୍ସା ସେବା, ୨୪ ଘଣ୍ଟିଆ ବିଶେଷଜ୍ଞ ସେବା, ରେଫରାଲ ସୁବିଧା
ସେବା, ଦ୍ବାରଦେଶରେ ଚିକିତ୍ସା, ଇତ୍ୟାଦି ଦାବି କରୁଥିବା ବେଳେ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ବିଭାଗରେ ଏପରି ବ୍ୟବସ୍ଥା ନ ଥିବା ଦୁର୍ଭାଗ୍ୟଜନକ। ଏଣୁ ପ୍ରାଣୀପାଳକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥ‌ିବା ବେଳେ ପ୍ରାଣୀ ଚିକିତ୍ସକ ମାନେ ବିନା ଦୋଷରେ ସେମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ରାଜ୍ୟରେ ୧୯୧୦ ଡାକ୍ତରଙ୍କ କାମ ୧୩୦୦ ଡାକ୍ତର ତୁଲାଉଥିବା ବେଳେ ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁବିଧା ନ ଥ‌ିବା ସେମାନଙ୍କୁ ହତୋତ୍ସାହିତ କରିଛି। ଦୀର୍ଘ ୨୨-୨୩ ବର୍ଷ ସେମାନଙ୍କୁ ଗୋଟିଏ ଦରମା ହାରରେ କାର୍ଯ୍ୟ କରିବାକୁ ପଡୁଛି । ପାଖାପାଖୁ ୪୦% ଅଧସ୍ତନ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି, ଯାହାକି ପ୍ରାଣିଚିକିତ୍ସକ ମାନଙ୍କୁ ଅଧିକ ଚାପଗ୍ରସ୍ତ କରିଛି । ସେହିପରି କାର୍ଯ୍ୟ ସମୟ ପରେ ଓ ଛୁଟି ଦିନରେ ମଧ୍ୟ ସରକାରୀ କାମ ପାଇଁ ବାଧ୍ୟ କରାଯିବା, କାର୍ଯ୍ୟ ସମୟ ଉପରାନ୍ତେ ପ୍ରାକ୍ଟିସ କରୁଥିବା ପ୍ରାଣୀ ଚିକିତ୍ସକ ମାନଙ୍କୁ ବିଭିନ୍ନ ପ୍ରକାରେ ହଇରାଣ ହରକତ କରାଯିବା ଇତ୍ୟାଦି ଯୋଗୁଁ ଆଜି ରାଜ୍ୟର ପ୍ରାଣୀ ଚିକିତ୍ସକ ମାନେ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି। ଏଣୁ ପ୍ରାଣିପାଳନ ବିଭାଗର ସମ୍ପୂର୍ଣ୍ଣ ରୂପାନ୍ତରଣ ସହିତ ସେଥିପାଇଁ ଆବଶ୍ୟକ କ୍ୟାଡ଼ର ପୂର୍ନଗଠନ ପାଇଁ ସଂଘ ଦାବି କରିଛି। ତତ୍ ସହିତ କେନ୍ଦ୍ରୀୟ ହାରରେ ଡି .ଏ .ସି .ପି ଏବଂ ଏନ.ପି.ଏ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ଯ ସଂଘ ତରଫରୁ ଦାବି କରାଯାଇଛି। ଶିକ୍ଷାଗତ ଓ ବୃତ୍ତିଗତ ସମାନତା ଆଧାରରେ ପଞ୍ଚମ, ଷଷ୍ଠ ଓ ସପ୍ତମ ବେତନ କମିଶନ ସାଧାରଣ ବର୍ଗ ଡାକ୍ତର ଓ ପ୍ରାଣିଚିକିତ୍ସକ ମାନଙ୍କପାଇଁ ସମାନ ଦରମା ଓ ପଦୋନ୍ନତି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଦେଶରେ ଅନ୍ୟରାଜ୍ୟମାନେ ଏପରି ସମାନତା ବଜାୟ ରଖୁଥ‌ିବା ବେଳେ ଓଡ଼ିଶା ସରକାର କ୍ରମାଗତ ଭାବରେ ଏଥ‌ିରେ ବ୍ୟତିକ୍ରମ କରିଚାଲିଛନ୍ତି । ମାନ୍ୟବର କୃଷି, ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଠ ଇତ୍ୟାଦି ବହୁବାର ସଂଘ ସହିତ ଆଲୋଚନା କରି ଉପରୋକ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆ ନ ଯାଇ କେବଳ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଛନ୍ତି।ଅତଏବ ଆସନ୍ତା ଜାନୁଆରୀ ୧୭ ତାରିଖ ମଧ୍ୟରେ ଯଦି ସରକାର ସେମାନଙ୍କର ଅଭିଯୋଗ ଗୁଡିକୁ ବିଚାର କରି ଯଥୋଚିତ ବିଜ୍ଞପ୍ତି ପ୍ରକାଶ ନ କରନ୍ତି ତେବେ କନ୍ଧମାଳ ଜିଲ୍ଲାର ସମସ୍ତ ପ୍ରାଣି ଚିକିତ୍ସକ ଏକକାଳୀନ ୧୮ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଜିଲ୍ଲା ସଂଘର ପ୍ରତିନିଧି ମାନେ ଆଜି ଜଣାଇଛନ୍ତି । ତେବେ ଏଥି ଯୋଗୁଁ ରାଜ୍ୟର ପ୍ରାଣି ପାଳକ ମାନଙ୍କୁ ହେବାକୁ ଥ‌ିବା ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିବା ସହିତ ଏଥୂପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ସଂଘ କହିଛି।

nis-ad
Leave A Reply

Your email address will not be published.