ସାଙ୍ଗ ସାଜିଲା ବଇରୀ,ରାତି ଅଧରେ କଥା କଟାକଟିରୁ କୋଡିରେ ହତ୍ୟା…


ସାଇଣ୍ଟଫିକ ଟିମର ତନାଘନା, ହତ୍ୟାରେ ବ୍ୟବହୃତ କୋଡି ଜବତ
ହିଞ୍ଜିଳିକାଟୁ, ୧୩ା୧(): ସାମାନ୍ୟ କଥାକୁ କେନ୍ଦ୍ର କରି ଆରମ୍ଭ ହୋଇଛି ବଚସା । ବଚସାରୁ ହାତାହାତି ପରେ କୋଡିରେ ଆକ୍ରମଣ କରି ହତ୍ୟା କରାଯାଇଛି । ଏଭଳି ଏକ ଘଟଣା ଶନିବାର ଭୋରରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମରେ ଦେଖିବାକୁ ମିଳିଛି । ବୃଦ୍ଧଙ୍କ କୋଡି ମାଡରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ବିଜୟ ପାଣିଗ୍ରାହୀ (୩୩) । ଏବଂ ଆକ୍ରମଣକାରୀ ଜଣଙ୍କ ସଂପୃକ୍ତ ଗ୍ରାମ ମଝି ସାହିର ରାମକୃଷ୍ଣ ସାହୁ(୫୪) ।ଉଭୟ ଵୟସ ତାରତମ୍ୟ ଥିଲେ ମଧ୍ଯ ଭଲ ସାଙ୍ଗ ଥିଲେ ।ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଘଟଣା ନେଇ ମୃତ ବିଜୟଙ୍କ ବାପା ସାହେବ ପାଣିଗ୍ରାହୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୯/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଆକ୍ରମଣକାରୀ ରାମକୃଷ୍ଣଙ୍କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ ଜାରୀ ରଖିଛି । ଘଟଣା ସ୍ଥଳରୁ ପୁଲିସ ରକ୍ତଭିଜା ଜରି ଅଖା ଓ ହତ୍ୟାରେ ବ୍ୟବହୃତ କୋଡିକୁ ଜବତ କରିଛି ।
ମିଳିଥିବା ସୂଚନା ପ୍ରକାରେ, ଶୁକ୍ରବାର ବିଳମ୍ବିତ ରାତିରେ ସଂପୃକ୍ତ ଗ୍ରାମର ରାମକୃଷ୍ଣ ଓ ବିଜୟ ପ୍ରଚୁର ମଦ୍ୟପାନ କରିବା ପରେ ରାମକୃଷ୍ଣଙ୍କ ଘରେ ଶୋଇ ପଡିଥିଲେ । ଶନିବାର ଭୋର ପ୍ରାୟ ସାଢେ ୪ ଘଣ୍ଟା ସମୟରେ କୌଣସି କଥାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦୁହେଁ ହାତାହାତି ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରାମକୃଷ୍ଣ ଘର ଭିତରେ ଥିବା ଏକ କୋଡିରେ ବିଜୟଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ । କୋଡିରେ ଆକ୍ରମଣ ପରେ ବିଜୟ ରକ୍ତ ଜୁଡୁବୁଡୁ ହୋଇ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ଘରୁ ବାହାରକୁ ଆସି ରାମକୃଷ୍ଣ ଙ୍କ ଘର ପଡିଶା ଗାଁ ଦାଣ୍ଡରେ ପଡି ଯାଇଥିଲେ । ଠୋରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଘର ଭିତରେ ଲୁଚି ରହିଥିବା ଆକ୍ରମଣକାରୀ ରାମକୃଷ୍ଣ ସାହୁଙ୍କୁ ଘଟଣା ସ୍ଥଳରୁ ଆଣି ଥାନାରେ ଅଟକ ରଖି ଘଟଣାର ପଚରା ଉଚୁରା କରୁଥିବା ଜଣାପଡିଛି । ପରେ ଖବର ପାଇ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ, ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନୀବାସ ସେଠି, ଏଏସଆଇ ମନୋଜ ସେନାପତି, ପୁଲିସ ଟିମ୍ ଓ ସାଇଣ୍ଟଫିକ ଅଧିକାରୀ ପ୍ରଭାତି ପଟ୍ଟନାୟକ ଓ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ହତ୍ୟା କରାଯାଇଥିବା ଘର ଭିତରୁ ପୁଲିସ ଏକ ରକ୍ତଭିଜା ଜରି ଅଖା ଓ ହତ୍ୟାରେ ବ୍ୟବହୃତ କୋଡିକୁ ଜବତ କରିଛି । ଧାର ଟଙ୍କାକୁ କେନ୍ଦ୍ର କରି ରାମକୃଷ୍ଣ, କୋଡି ସାହାର୍ଯ୍ୟରେ ବିଜୟଙ୍କୁ ହତ୍ୟା କରିଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ନେଇ ଆଇଆଇସି ସେଠି କହିଛନ୍ତି । ଖବର ଲେଖା ହେବା ସୁଦ୍ଧା ହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ଅନ୍ୟପକ୍ଷରେ ହତ୍ୟାକାଣ୍ଡକୁ କେନ୍ଦ୍ର କରି ନାନା କଥା ଗ୍ରାମରେ ଆଲୋଚନା ହେଉଛି । ପ୍ରକାଶ ଥାଉକି, କିଛି ବର୍ଷ ପୂର୍ବେ ଆକ୍ରମଣକାରୀଙ୍କ ବଡ ଭାଇ ସେହି ଗ୍ରାମର ଜଣେ ଯୁବକଙ୍କୁ କୁରାଢିରେ ଆକ୍ରମଣ କରି ହତ୍ୟା କରି ବର୍ତ୍ତମାନ ପର୍ଯ୍ୟନ୍ତ ଜେଲରେ ଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.