ମାଲକାନଗିରି ଜିଲ୍ଲାରେ ନୂଆ-ଓ ଏବଂ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ…

ମାଲକାନଗିରି : ଯୁବପିଢୀଙ୍କ ଭିତରେ କ୍ରୀଡା, କଳା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ସେବା କାର୍ଯ୍ୟର ଭାବଧାରା ଉଦ୍ରେକ କରି ଯୁବଶକ୍ତିକୁ ଆଗକୁ ଆଗେଇ ନେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ମୁଖ୍ୟ ଅତିଥି ଭାବେ ଯୁବ ସେବା ଓ କ୍ରୀଡା, ଆଇଟି ଓ ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି । ସେ କହିଛନ୍ତି ଯୁବଶକ୍ତି ହେଉଛନ୍ତି ନୂଆ ଓଡ଼ିଶାର ବିଶ୍ଵକର୍ମା। ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପରିକଳ୍ପନା ଯେଉଁଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇ ପରିପ୍ରକାଶ ହୋଇପାରିବ। ସଂସ୍କୃତି, କ୍ରୀଡା ଓ ସମାଜସେବା ମାଧ୍ୟମରେ ଯୁବଶକ୍ତି ନୂଆ ଓଡ଼ିଶା, ବିକଶିତ ଓଡ଼ିଶା ଓ ସମ୍ପୂର୍ଣ୍ଣ ଓଡ଼ିଶା ଗଠନ ରେ ସହାୟକ ହେବେ।
ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ଗଣ ଶିକ୍ଷା ମନ୍ତ୍ରୀ, ସୁଦାମ ମାରାଣ୍ଡି, ଲୋକସଭା ସାଂସଦ, ରମେଶ ଚନ୍ଦ୍ର ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା, ପ୍ରଦୀପ ମାଝୀ, ଚିତ୍ରକୋଣ୍ଡା ବିଧାୟକ, ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଲକାନଗିରି ଅଧ୍ୟକ୍ଷ, ଆଡମା ରାବା, ଜିଲ୍ଲାପାଳ, ବିଶାଲ ସିଂ ଓ ଆରକ୍ଷୀ ଅଧିକ୍ଷକ, ନୀତେଶ ୱାଧୱାନି ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନଙ୍କ ବାର୍ତ୍ତାକୁ ପ୍ରଦର୍ଶନ କରଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ରାଶି ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରା ଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୩୨ ଗୋଟି ମହାବିଦ୍ୟାଳୟରୁ ପ୍ରାୟ ୧୪ ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଉତ୍ସବକୁ ଆକର୍ଷଣ କରିବା ନିମନ୍ତେ ଓଲିଉଡ ଗାୟକ କୁଲଦୀପ ପଟ୍ଟନାୟକ, ଇଣ୍ଡିଆନ ଆଇଡଲ୍ ପ୍ରତିଯୋଗୀ ରହନ ବିଶ୍ଵାଳ, ହରିହର ଦାସ ଗ୍ରୁପ୍ ଓ କଳ୍କୀ ରାପରଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେମାନଙ୍କ ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ସମସ୍ତ ଛାତ୍ରଛାତ୍ରୀ ମନୋଭରି ଉପଭୋଗ କରିଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ ତଦାରଖରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତ୍ରିନାଥ ମାଝୀ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ , ଉପ ଜିଲ୍ଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତପନ ନାରାୟଣ ରଥ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ପ୍ରୋଗ୍ରାମ ମାନେଜର, ମାନସ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ, ମାଧବ ପାଙ୍ଗିଙ୍କ ସମେତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ ଏହାକୁ ଆୟୋଜନ କରିବାରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.