ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଉତ୍ସବ ପାଳିତ

ସଂମ୍ମାନିତ କରାଗଲା ଶ୍ରେଷ୍ଠ ବ୍ୟକ୍ତି ବିଶେଷଙ୍କୁ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ଜାନୁଆରୀ ୨ ତାରିଖ ପୂର୍ବହ୍ନରେ ଭଞ୍ଜବିହାରସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ହରପ୍ରସାଦ ଦାସ ମୁଖ୍ୟ ଅତିଥି ଓ ଦିଲ୍ଲୀସ୍ଥିତ ଜବାହାରଲାଲ ନେହରୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡ଼ି ପଣ୍ଡିତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳ ଦାଶ ସଭାରେ ଅଧ୍ୟକ୍ଷତା କରି ବିଶ୍ବବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପ୍ରଗତି ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। କବି ହର ପ୍ରସାଦ ଦାସଙ୍କୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ପ୍ରତିଷ୍ଠା ଦିବସର ସର୍ବଶ୍ରେଷ୍ଠ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଶିକ୍ଷାବିତ୍ କାମାକ୍ଷୀ ପ୍ରସାଦ ଦାସ ଓ ବିଶିଷ୍ଟ ଗୀତିକାର ଓ ନାଟ୍ୟ ସମାଲୋଚକ ତଥା ନାଟ୍ୟକାର ବିପିନ ବିହାରୀ ମହାପାତ୍ରଙ୍କୁ ବିଶ୍ଵବିଦ୍ୟାଳୟ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି। ସେହିପରି ବରିଷ୍ଠ କୃଷ୍ଣ ଲୀଳା ସାଧକ ଗୋପୀନାଥ ସ୍ବାଇଁ ଓ ଗାହାଣ ଗାୟକ ଅଭିମନ୍ୟୁ ରାଉତଙ୍କୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ପ୍ରଦାନ କରା କୋଡିଏ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ଦିଆଯାଇଛି।

ଶ୍ରେଷ୍ଠ ପୁରାତନ ଛାତ୍ର ସମ୍ମାନ ପାଇଛନ୍ତି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ ଶିକତା ଦାସ। ଏଥି ସହ ସମସ୍ତ ବିଭାଗର ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସ୍ମାରକୀ ବୃତ୍ତି ଅର୍ଥରାଶି ପ୍ରଦାନ କରାଯାଇଛି। ଅନ୍ତଃ ମହାବିଦ୍ୟାଳୟ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ, ଅଣ-ଶିକ୍ଷକ କର୍ମଚାରୀ ପ୍ରବନ୍ଧ ପ୍ରତିଯୋଗିତାର ବିଜେତାଙ୍କ ସମେତ ଶ୍ରେଷ୍ଠ ଏନ୍ଏସ୍ଏସ୍ ଅଧିକାରୀ ଏବଂ ସ୍ବେଛାସେବୀଙ୍କୁ ପୁରସ୍କାର ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଅତିଥି ପରିଚୟ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କୁଳସଚିବ ସଚ୍ଚିଦାନନ୍ଦ ନାୟକ। ବ୍ରହ୍ମପୁରର ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହାନ୍ତି, ମେଜର ରମାରମଣ ପାଢ଼ୀ, ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ପ୍ରଫେସର ପ୍ରକାଶ ମିଶ୍ର, ପ୍ରଫେସର ମାନସ ରଞ୍ଜନ ଦାସ, ଉପକୂଳ ସଚିବ ଡ ବାବୁଜି ସାମଲ, Giving ପରୀକ୍ଷା ନିୟନ୍ତ୍ରକ ଡ ସତ୍ୟବ୍ରତ ପାତ୍ର, ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ, ଜାତୀୟ ସେବା ସହିତି ସଂଯୋଜକ ଜୟନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଡ ଶାରଦା ପ୍ରସାଦ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ଡ ଶଙ୍କର ମାଝୀ, ବନ୍ଦିତା ପଣ୍ଡା, ଡ ସୁମନ କଲ୍ୟାଣ ଚୌଧୁରୀ ଡ ମିହିର କୁମାର ତ୍ରିପାଠୀ, ସୁଶାନ୍ତ କୁମାର ସାହୁ, ରାମ ନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.