ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦାନ ପାଇଁ ଶ୍ରୀ ଗୋପାଳଜୀଉ ଓ ଶ୍ରୀ ଝାଡେଶ୍ୱର ମନ୍ଦିରକୁ ନିମନ୍ତ୍ରଣ

ଦେବଗଡ,୨୮ା୧୨: ଆଗାମୀ ଜାନୁୟାରୀ ୧୭ ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀ ଠାରେ ଆୟୋଜିତ ହେବାକୁ ଥିବା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ଗୁରୁବାର ଦେବଗଡ ସହରର ଶ୍ରୀ ଗୋପାଳଜିଉ ମନ୍ଦିର ଓ ଶ୍ରୀ ଝାଡେଶ୍ୱର ମନ୍ଦିରକୁ ନିମନ୍ତ୍ରଣ କରାଯାଇଛି । ପୂରୀରୁ ଆସିଥିବା ସେବାୟତ ନରସିଂହ ମହାପାତ୍ର ଓ ନାରାୟଣ ମହାପାତ୍ର ସ୍ଥାନୀୟ ଶ୍ରୀ ଗୋପାଳଜିଉ ମନ୍ଦିରରେ ପହଂଚି ଉଭୟ ମନ୍ଦିର ପରିଚାଳନା ଟ୍ରଷ୍ଟି ଓ ସଦସ୍ୟ ମାନଙ୍କୁ ପାରମ୍ପରିକ ରୀତି ନୀତି ଅନୁଯାୟୀ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ସେବାୟତ ମାନଙ୍କୁ ଦେବଗଡ ଜିଲା ପ୍ରଶାସନ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଦେବଗଡ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ନିଜେ ଉପସ୍ଥିତ ରହି ଶଙ୍ଖ, ଘଂଟ, ହୁଳହୁଳି ଶବ୍ଦ ମଧ୍ୟରେ ସେମବାୟତ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଅନୁରୂପ ଭାବେ ଶ୍ରୀ ଗୋପାଳଜିଉ ମନ୍ଦିର ଓ ଶ୍ରୀ ଝାଡେଶ୍ୱର ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ସ ସଦସ୍ୟ ମାନେ ମଧ୍ୟ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ପୁରୀରୁ ଆସିଥିବା କୃଷି ବିଭାଗ ଅଧିକାରୀ ସମ୍ବିତ ଆଚାର୍ଯ୍ୟ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସବିଶେଷ ସୂଚନା ପ୍ରଦାନ କରିବା ସହ ଉକ୍ତ ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଭବ୍ୟ ତଥା ଦିବ୍ୟ କରିବା ପାଇଁ ରାଜ୍ୟର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଥିବା ସୂଚନା ଦେବା ସହ ପ୍ରଥମେ ମହାପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ପରେ ବିଭିନ୍ନ ଜିଲାର ବିଭିନ୍ନ ମନ୍ଦିର ଗୁଡିକୁ ନିମନ୍ତ୍ରଣ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଆଜି ପୂର୍ବାହ୍ନରେ ସେବାୟତ ମାନେ ଦେବଗଡ ସହରର ପୁରୁଣା ପୋଷ୍ଟ ଅଫିସ ଛକ ଠାରେ ପହଂଚିବା ପରେ ସେମାନଙ୍କୁ ବହୁ ଜନସାଧାରଣ , ସରକାରୀ ଅଧିକାରୀ ଓ ନିର୍ବାଚିତ ଲୋକ ପ୍ରତିନିଧି ମାନେ ସର୍କୀର୍ତନ୍ୟ ତାଳେତାଳେ ଭବ୍ୟ ସ୍ୱାଗତ କରି ଶ୍ରୀ ଗୋପାଳଜୀଉ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ସେମାନଙ୍କୁ ସ୍ୱାଗତ କରିବା ପାଇଁ ଦେବଗଡ ଜନସାଧାରଣଙ୍କ ପକ୍ଷରୁ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଝୋଟି ଓ ରଙ୍ଗୋଲି ଆଦି ଅଙ୍କା ଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଦେବଗଡ ଜିଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ,ଦେଇଜ୍ଞଙ୍ଗ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ଜିଲା ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୂମ୍ନ କୁମାର ମିଶ୍ର, ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗ,ଦେବଗଡ ଜିଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଉପ ଜିଲାପାଳ ପରକ୍ଷୀତ ସାହୁ, ଜିଲା ନୋଡାଲ ଅଫିସର ତଥା ଡେପୁଟୀ କଲେକ୍ଟର ଅଞ୍ଜନୀ କୁଜୁର, ଜିଲା ପରିଷଦ ସଦସ୍ୟା ଗୀତାଞ୍ଜଳୀ ପାଣି, ଜିଲା ସରପଂଚ ସଂଘର ସବାପତି ସତ୍ୟ ନାରାୟଣ ପାଣି, ଶ୍ରୀ ଝାଡେଶ୍ୱର ମହାଦେବ ମନ୍ଦିରର ପରିଚାଳନା ଟ୍ରଷ୍ଟି ଅମରେନ୍ଦ୍ର ଗଙ୍ଗଦେବ, ଶ୍ରୀ ଗୋପାଳଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟି ଲକ୍ଷ୍ମଣ କୁମାର ପ୍ରଧାନ ଓ ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ଓ ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଧିରେନ୍ଦ୍ର ନାୟକଙ୍କ ସମେତ ବହୁ ଜନସାଧାରଣ ,ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ , ସ୍ୱେଚ୍ଛାସେବୀ ଓ ସ୍ୱୟଂ ସହାୟିକା ଗୋଷ୍ଠିର ମହିଲା ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.