ରାଉରକେଲାରେ ଉଦଯାପିତ ହେଲା ‘ନୂଆ-ଓ’ କାର୍ଯ୍ୟକ୍ରମମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଲେ ୨୨ ଶହରୁ ଉର୍ଦ୍ଧ୍ବ କ୍ରୀଡ଼ାବିତ…

ସୁନ୍ଦରଗଡ/ରାଉରକେଲା,: କ୍ରୀଡ଼ା ମାଧ୍ୟମରେ ସଶକ୍ତ ଯୁବ ଗୋଷ୍ଠୀ ଗଠନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ସାରା ଓଡ଼ିଶାରେ ‘ନୂଆ-ଓ ଯୁବ ଓଡ଼ିଶା ନବୀନ ନବୀନ ଓଡ଼ିଶା ‘ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ତୃଣମୂଳସ୍ତରରୁ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ସରକାରଙ୍କ ଏହି ଦୂରଦର୍ଶୀ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ଗତ ଡିସେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଥିବା ରାଉରକେଲା ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ଉଦଯାପନୀ ସମାରୋହ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉଦିତ ନଗର ପଡ଼ିଆରେ ଏକ ଭବ୍ୟ ସମାରୋହ ଆୟୋଜନ କରାଯିବା ସହ ପୁରସ୍କାର ବିତରଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କ୍ରୀଡ଼ା ପ୍ରତିଯୋଗିତାର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ଉପସ୍ଥିତ ରହି କହିଥିଲେ ଯେ, ” ଯୁବ ଶକ୍ତିଙ୍କୁ ସଶକ୍ତ କରିବା ପାଇଁ ଏହି ‘ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା’ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପ ବିଶେଷ ସହାୟକ ହେବ। କ୍ରୀଡ଼ା ତଥା କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ରାଜ୍ୟ ସରକାର ଉତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି ତିଆରି କରୁଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ଵାରା ରାଉରକେଲାର ଅନେକ ପ୍ରତିଭାବାନ୍ ଖେଳାଳି ଦେଶ ତରଫରୁ ପ୍ରତିନିଧିତ୍ବ କରିବା ସହ ରାଉରକେଲା ତଥା ଓଡ଼ିଶା ପାଇଁ ଆଗାମୀ ଦିନରେ ନିଶ୍ଚୟ ସୁନାମ ଆଣିବେ, ” ବୋଲି କହିଥିଲେ ମନ୍ତ୍ରୀ ସାରଦା ପ୍ରସାଦ ନାୟକ।

ଏହି କ୍ରୀଡ଼ା ପ୍ରତିଯୋଗିତାରେ ରାଉରକେଲାର ୨୨୦୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ କ୍ରିକେଟ, ଫୁଟବଲ୍, ଭଲିବଲ୍, ହକି, କବାଡ଼ି ଓ ଖୋ-ଖୋ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। ମହିଳା ଖୋ-ଖୋରେ ଇସ୍ପାତ କଲେଜ ଖୋ ଆର୍ମି ବାଲୁଘାଟ ଆସୋସିଏସନକୁ ହରାଇ ଚମ୍ପିଆନ ହୋଇଥିଲା। ସେହିପରି ଭାବେ ପୁରୁଷ ଖୋ-ଖୋରେ ମୁନିସିପାଲ କଲେଜ ୱାରିଅର ବେଦବ୍ୟାସ କଲେଜକୁ ହରାଇ ଚାମ୍ପିଅନ ହୋଇଥିଲା। କ୍ରିକେଟରେ ସିଭିଲ ଚାର୍ଜର୍ସ ଓ ଖତରନାକ ଖିଲାଡୀ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ବେଳେ ଏଥିରେ ସିଭିଲ ଚାର୍ଜର୍ସ ଚାମ୍ପିଆନ୍ ହୋଇଥିଲା । ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ରାଇଜିଂ କ୍ଲବ ବିଆର ଆମ୍ବେଦକର କ୍ଲବ ଜଲଦାକୁ ହରାଇ ବିଜେତା ହୋଇଥିଲା। ପୁରୁଷ ହକି ପ୍ରତିଯୋଗିତାରେ ଫାର୍ସାଟୋଲା ହକି ଚାମ୍ପିଆନ୍ ହୋଇଥିବା ବେଳେ ରାଇଜିଂ ଷ୍ଟୁଡେଣ୍ଟସ ରନର୍ସଅପ ହୋଇଥିଲା । ମହିଳା ହକିରେ ଫାର୍ସାଟୋଲା ମହିଳା ହକି ଦଳ ଏକମାତ୍ର ଦଳ ଭାବେ ଅଂଶ ଗ୍ରହଣ କରିଥିବାରୁ ବିଜେତା ଘୋଷିତ ହୋଇଛି। ସେହିପରି ଭାବେ ପୁରୁଷ ଫୁଟବଲରେ ରାଉରକେଲା ରେଡ୍ ଚାମ୍ପିଆନ୍ ହୋଇଥିବା ବେଳେ ଉଦିତନଗର ଏଫସି ରନର୍ସଅପ ହୋଇଥିଲା । ମହିଳା ବର୍ଗରେ ଅନୁଷ୍ଠିତ ଫୁଟବଲ୍ ଫାଇନାଲରେ ଆରଏସପି ଏ ଟିମ୍ ବିଜେତା ହୋଇଥିବା ବେଳେ ଉଦିତନଗର ଏଫସି ରନର୍ସଅପ ହୋଇଛି ।

ରାଉରକେଲା ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୩୩ଟି ଦଳ ଭାଗ ନେଇଥିବା ବେଳେ ଭଲିବଲ୍ ନିମନ୍ତେ ୧୬ଟି ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା । ଏଥି ସହ ଫୁଟବଲ୍ ଓ ହକିରେ ପୁରୁଷ ବିଭାଗରେ ଯଥାକ୍ରମେ ୩୯ ଓ ୧୧ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ମହିଳା ବର୍ଗରେ ୩ ଓ ଗୋଟିଏ ଟିମ୍ ଭାଗ ନେଇଥିଲେ । ସେହିପରି ଭାବେ କବାଡ଼ି ପ୍ରତିଯୋଗିତା ନିମନ୍ତେ ୨୪ଟି ପୁରୁଷ ଦଳ ଓ ୧୦ଟି ମହିଳା ଦଳ ଅଂଶଗ୍ରହଣ କରିବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଖୋ-ଖୋ ପ୍ରତିଯୋଗିତାରେ ୧୪ଟି ପୁରୁଷ ଦଳ ଓ ୮ଟି ମହିଳା ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତାର ନିଜର ସର୍ବଶ୍ରେଷ୍ଠ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କ୍ରୀଡ଼ାବିତ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ପ୍ରତିଯୋଗିତାରେ ଚାମ୍ପିଆନ୍ ହୋଇଥିବା ଦଳ ଗୁଡ଼ିକ ଆଗାମୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ଦଳ ରାଜ୍ଯ ସ୍ତରୀୟ ପ୍ରତିଯୋଗିତା ନିମନ୍ତେ ଯୋଗ୍ୟ ବିବେଚିତ ହେବେ। ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଚାମ୍ପିଅନ ଟିମ୍ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଓ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ ଟିମକୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଭାବେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳକୁ ୨୦ ହଜାର ଲେଖାଏଁ ଟଙ୍କା ଦିଆଯାଇଛି।

ଏହି ଉଦଯାପନୀ ଦିବସରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରେକଲା ଡିଏଫଓ ଯଶୋବନ୍ତ ସେଠୀ, ଡେପୁଟି କମିଶନର ସୁଧାଂଶୁ ଭୋଇ, ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଇଡି ପ୍ରୋଜେକ୍ଟ୍ସ ପ୍ରଦୀପ କୁମାର ସାହୁ, ବିଭିନ୍ନ କ୍ରୀଡ଼ା ଆସୋସିଏସନର ସଦସ୍ୟ ତଥା ଆରଏମସି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.