ଫୁଲବାଣୀ : ରାଜ୍ୟର ଅଗ୍ରଣୀ ଓ ପୁରାତନ ସାମ୍ବାଦିକ ସଂଘ,ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୨୬ ତମ ଦ୍ବିବାର୍ଷିକ ସମ୍ମିଳନୀ, ଭୁବନେଶ୍ବର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧି ମାନେ ସମାଜର ଜାଗ୍ରତ ପ୍ରହରୀ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଗୃହ ବିଭାଗ ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟସଭା ସାଂସଦ ହବିବୁଲ୍ଲା ଖାଁ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁରପ୍ରସାଦ ରାଉତରାୟ ପ୍ରମୁଖ ଯୋଗଦେଇ ଓଡ଼ିଆ ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱକୁ ପ୍ରସଂସା କରିଥିଲେ। ତାଙ୍କର ବଳିଷ୍ଠ ନେତୃତ୍ବରେ ସାମ୍ବାଦିକ ମାନଙ୍କ ବିଭିନ୍ନ କଲ୍ୟାଣ ଯୋଜନା ଫଳବତୀ ହେଉଛି। ବୋଲି କହିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରସନ୍ନ ମହାନ୍ତି ପ୍ରାରମ୍ଭିକ ଭାଷଣରେ ସଂଘର ଇତିହାସ ଏବଂ ଏହାର ପ୍ରାଥମିକ ସଦସ୍ୟ ମାନଙ୍କ ବାବଦରେ ସୁଚନା ଦେଇଥିଲେ। ରାଜ୍ୟ ସମ୍ପାଦକ ଅଶୋକ ନନ୍ଦ ବାର୍ଷିକ ବିବରଣୀ ପ୍ରଦାନ କରିବା ସହିତ ସଂଘର ମିଳିତ ସଂଘର୍ଷ ଯୋଗୁଁ ସବୁ ପ୍ରକାରର ସଫଳତା ହାସଲ ସମ୍ଭବ ହୋଇଛି, ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ସହଯୋଗ ରହୁଛି ତେଣୁ ସମସ୍ତ ଜିଲ୍ଲାର ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସଂଘର ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କ ନାମ କୁ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ସାହୁ ଘୋଷଣା କରିଥିଲେ। ରାଜ୍ୟ ସଭାପତି ଭାବେ ପୁନର୍ବାର ପ୍ରସନ୍ନ ମହାନ୍ତି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ସାଧାରଣ ସମ୍ପାଦକ ଭାବେ କମ୍ବୁପାଣି ମିଶ୍ର, ଉପସଭାପତି ଭାବେ ରାଜୀବ ମହାନ୍ତି ଓ ରାଜେଶ ପଟ୍ଟନାୟକ ଏବଂ ସମ୍ପାଦକ ଭାବେ ଫୁଲବାଣୀ ର ପ୍ରଶାନ୍ତ କୁମାର ବେହେରା ଏବଂ ପ୍ରସନ୍ନ ପାଇକରାୟ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରିଥିଲେ। ଏହି ଅବସରରେ ଅତିଥି ମାନେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦୀର୍ଘ ବର୍ଷ ପରେ କନ୍ଧମାଳର ସଦସ୍ୟ ପ୍ରଶାନ୍ତ କୁମାର ବେହେରା ନିର୍ବାଚିତ ହୋଇଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନର ସଭାପତି ଅଶୋକ ମହାନ୍ତି, ସମ୍ପାଦକ ଅସିତ ବେହେରା ଏବଂ ଅନ୍ୟ କର୍ମକର୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।