ଖ୍ରୀଷ୍ଟମାସ୍- ୨୦୨୩ କୁ ଶାନ୍ତିଓ ସଦ୍‌ଭାବନାର ସହ ପାଳନ ପାଇଁ ଜିଲ୍ଲା ସ୍ତରୀୟ ବୈଠକ…


ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟମାସ୍- ୨୦୨୩ ଏବଂ ନୂଆ ବର୍ଷ-୨୦୨୪କୁ ଶାନ୍ତି ଓ ସଦ୍‌ଭାବନାର ସହ ପାଳନ କରିବା ନିମନ୍ତେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଏଥିରେ ଅଧ୍ଯକ୍ଷତା କରି ଏହି ପର୍ବ ଦୁଇଟିକୁ ଶାନ୍ତି ଓ ସଦ୍‌ଭାବନାର ସହ ପାଳନ କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ପ୍ରଶାସନର ଏ ଦିଗରେ ସହଯୋଗ ମଧ୍ୟ ରହିବ । ଏହି ପର୍ବ ଦୁଇଟିକୁ ଭଲରେ ପାଳନ କରିବାକୁ ଯଦି କିଛି ଅସୁବିଧା ରହିଛି ତେବେ ସେ ବିଷୟରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ସେହିପରି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଲେ, ସମସ୍ତେ ଏକାଠି ହୋଇ ଏହାକୁ ଭଲରେ ପାଳନ କରିବା। ପୋଲିସ୍ ଅଧିକାରୀମାନଙ୍କୁ ଏହି ପର୍ବ ଦୁଇଟିକୁ ପାଳନ ସମୟରେ ନିରପେକ୍ଷ ରହିବାକୁ ପରାମର୍ଶ ଦେଇଥିଲେ । ଏହା ଉପରେ ଯଦିବି କିଛି ଅଭିଯୋଗ ଅଛି ତେବେ ଆଲୋଚନା ମାଧ୍ୟମରେ ଏହି ଠାରେ ସମାଧାନ କରିଯାଇପାରିବ ବୋଲି ଶ୍ରୀ ପାତ୍ର କହିଥିଲେ ।
ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବିଭିନ୍ନ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରୁଥିବା ବିଶେଷ କରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର କିଛି ବନ୍ଧୁ କହିଲେ, ବଡ଼ଦିନ ପାଳନରେ ବିଶୃଙ୍ଖଳା ହେବାର କୌଣସି ସମ୍ଭାବନା ନାହିଁ । ଆମେ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଶାନ୍ତି ଓ ସଦ୍‌ଭାବନାର ସହ ଏବଂ ଅନ୍ୟ ସମ୍ପ୍ରଦାୟର ବନ୍ଧୁମାନଙ୍କ ସହିତ ଖ୍ରୀଷ୍ଟମାସ ୨୦୨୩ ପାଳନ କରିବୁ। ମଦ୍ୟପାନ ଯୋଗୁଁ କେତେକ ସ୍ଥାନରେ ବିଶୃଙ୍ଖଳା ଦେଖାଦେଇ ପାରେ । ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍ ପ୍ରଶାସନର ସହଯୋଗ ନିହାତି ଆବଶ୍ୟକ । ପର୍ବ ପାଳନ ସମୟରେ ଅର୍ଥାତ୍ ଚଳିତ ମାସ ୨୩ ତାରିଖରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବିଜୁଳି କାଟ ନ କରିବାକୁ ଅନୁରୋଧ କରିଥିଲେ। ସେହିପରି ପୋଲିସ୍ ବିଭାଗ ଦ୍ୱାରା ରାତ୍ରୀ କାଳୀନ ପାଟ୍ରୋଲିଂ କରାଯିବାକୁ ମଧ୍ୟ ଅନୁରୋଧ କରିଥିଲେ ।
କୁଇ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରୁଥିବା ବନ୍ଧୁମାନେ ସେମାନଙ୍କ ତରଫରୁ କୌଣସି ବିଶୃଙ୍ଖଳା ସୃଷ୍ଟିହେବା ଭଳି କାର୍ଯ୍ୟ କରାଯିବ ନାହି ବୋଲି ପ୍ରତିଶ୍ରୁତି ଦେଇଥିଲେ । କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ବୈଠକ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କନ୍ଧମାଳ ଉପ-ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା- ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ରାଜେନ୍ଦ୍ର କୁମାର ରଞ୍ଜିତ୍, ଏସ୍.ଡି.ପି.ଓ., ବାଲିଗୁଡ଼ା ଇୟସ୍ ପ୍ରତାପ ଶ୍ରୀମଲ ଭା.ଘୁ.ସେ., ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାସୁଦେବ ସ୍ବାଇଁ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲ୍ଦାର, ଉପଖଣ୍ଡ ପୋଲିସ୍ ଅଧିକାରୀ, ଥାନା ଭାରପ୍ରାପ୍ତ ଅଧିକାରୀ , ବିଭିନ୍ନ ସମ୍ପ୍ରଦାୟର କର୍ମକର୍ତ୍ତା ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.