ସୁବାସ ର ଭାଗ୍ୟ ରେ ଆବାସ ଯୋଜନା କେବେ ?… : ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ..??


ଧରାକୋଟ: ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଘର ଯୋଗାଇ ଦେବା ପାଇଁ ସରକାର ଡିଣ୍ଡିମ ପିଟୁଛନ୍ତି। ଏଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି । ହେଲେ କିଛି କ୍ଷେତ୍ରରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ବାଦ ପଡ଼ୁଛନ୍ତି।ବାରମ୍ବାର ଗୁହାରୀ କଲେ ମଧ୍ୟ ଶୁଣିବାକୁ କେହିନାହିଁ। ଦିନେ ନୁହେଁ ବର୍ଷେ ନୁହେଁ ଦୀର୍ଘ ଚାରି ବର୍ଷ ହେଲା ଆବେଦନ କରି ଆବାସ ଯୋଜନାରେ ନିଜକୁ ସାମିଲ କରିବା ପାଇଁ ଦରଖାସ୍ତ କରି ଚାହିଁ ବସିଛି ସୁବାସ । ହେଲେ ତାର ଭାଗ୍ୟରେ ଆବାସ ଜୁଟୁନାହିଁ। ଗାଁକୁ ଆସୁଥିବା ବି ଡି ଓ ଙ୍କ ଠାରୁ ତହସିଲଦାର ସମସ୍ତଙ୍କ ପାଖରେ ନେହୁରା ହୋଇ କହିଛି ବାବୁ ମତେ ଆବାସ ଦିଅ ,ହେଲେ ସରକାରୀ କଟକଣା ଓ ନିୟମାବଳୀ ଭିତରେ ଛନ୍ଦି ହୋଇ ମିଳେଇ ଯାଇଛି ସୁବାସ ର ସ୍ୱର । ସବୁପରେ ନିଜ କର୍ମକୁ ଆଦରି ଚାରି ପ୍ରାଣୀ କୁଟୁମ୍ବକୁ ନେଇ ପଡ଼ି ରହିଛି ଝାଟି ମାଟି ର କୁଡିଆ ଘରେ । ଧରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର ପଞ୍ଚାୟତ ର ଡାକିବଜା ଗ୍ରାମର ଭିକାରୀ ବେହେରାଙ୍କ ପୁଅ ସୁବାସ ବେହେରା । ଘରେ ସ୍ତ୍ରୀ ଗାୟତ୍ରୀ ,ଝିଅ ମାମାଲି ଓ ପୁଅ ଶୋମୁ କୁ ନେଇ ତାର ପରିବାର। ସ୍ବାମୀ ଓ ସ୍ତ୍ରୀ ଉଭୟେ ଦିନମଜୁରିଆ । ମୂଲ କଷ୍ଟ ନପଡ଼ିଲେ ଚୁଲି ଜଳେନି। ରାସନ କାର୍ଡ ଅଛି ହେଲେ ପିଲାଙ୍କ ନା ନାହିଁ । ଦୁଃଖ କଷ୍ଟ ମଧ୍ୟରେ ସରକାରୀ ସ୍କୁଲ ରେ ଝିଅକୁ ନବମ ଓ ପୁଅକୁ ପଞ୍ଚମ ଶ୍ରେଣୀରେ ପାଠ ପଢ଼ାଉଛନ୍ତି ସୁବାସ । ନିଜ ପରିବାର ପାଇଁ ଛାତ ଘରଟିଏ ଯୋଗାଇ ଦେବାକୁ ସରକାରୀ କାର୍ଯ୍ୟାଳୟ କୁ ଧାଇଁ ଧାଇଁ ନିରାଶ ହୋଇ କର୍ମ ଆଦରି ପଡ଼ି ରହିଛନ୍ତି ଚାରି ପ୍ରାଣୀ କୁଟୁମ୍ବ । ସୁବାସ କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ସମ୍ପର୍କରେ ଧରାକୋଟ ବି ଡି ଓ ଡେନିସ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ଆଗାମୀ ଦିନରେ ଆବାସ ଯୋଜନାରେ ସୁବାସ ବେହେରାଙ୍କୁ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସବୁଠାରୁ ଦୁଃଖ ଦାୟକ ଘଟଣାi ହେଲା ସୁବାସ ର ପଡୋଶୀ ବ୍ୟକ୍ତି ବ୍ଲକ ପ୍ରଶାସନ ସୁରେଇ ସାହୁଙ୍କୁ ଏହି ଯୋଜନାରେ ସାମିଲ କରିବା ସହ ବ୍ଲକ ର ପ୍ରଥମ ହିତାଧିକାରୀ ଭାବରେ ତାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରି ଭୂମିପୂଜନ କରିଥିବା ବେଳେ ପଡୋଶୀ ହୋଇ ମଧ୍ୟ ସୁବାସ ଏହି ଯୋଜନାରୁ ବାଦ ପଡିଛି।

nis-ad
Leave A Reply

Your email address will not be published.