ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ…


ସୁନ୍ଦରଗଡ -: ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ର ପରିସରରେ ଶୁଭାରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା। ଆଜିର ଏହି ମେଳାରେ ୬୦ଟି ଯନ୍ତ୍ରପାତି ଷ୍ଟଲ୍ ଲଗା ଯାଇଛି। ଏହି ଷ୍ଟଲ୍ ଗୁଡିକରେ ପ୍ରଚଳିତ ଯନ୍ତ୍ରପାତି, ପାରମ୍ପରିକ ଯନ୍ତ୍ରପାତି ତଥା ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରଦର୍ଶିତ ହେଉଛି। ଚାଷୀମାନଙ୍କୁ ସହାୟକ ହେଉଥିବା ଅନେକ ଉପକରଣ ମଧ୍ୟ ଏଥିରେ ରଖା ଯାଇଛି। ଚାଷୀମାନଙ୍କୁ ଏହି ଯନ୍ତ୍ରପାତି କିପରି ସୁଗମ ଭାବରେ ଉପଲବ୍ଧ ହେବ ସେହି ବିଷୟରେ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀଗଣ ତତ୍ପର ରହି ଉପସ୍ଥିତ ଚାଷୀ ତଥା ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରଗତିଶୀଳ ଚାଷୀ ଏହି ମେଳାରେ ଯୋଗ ଦେଇଥିଲେ। ଜିଲ୍ଲାରେ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ କୃଷି, ଉଦ୍ୟାନ, ମତ୍ସ୍ୟଚାଷ ଓ ମୃତ୍ତିକା ସଂରକ୍ଷଣ ବର୍ଗରେ ଚୟନିତ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ୩୦ରୁ ଉର୍ଦ୍ଧ୍ୱ ପ୍ରତିଭାଗୀ ଏଥିରେ ଅଂଶଗ୍ରହଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତମୁଗ୍ଧ କରିଦେଇଥିଲେ। ଏହା ପରେ ପୁରସ୍କାର ବିତରଣ କରାଯାଇଥିଲା। ଆଜି ଏହି ମେଳାରେ ଉପସ୍ଥିତ ଦର୍ଶକଙ୍କ ପାଇଁ ଅନ୍ୟ ଏକ ଆକର୍ଷଣ ଥିଲା ସଂପୂର୍ଣ୍ଣ ସ୍ୱଦେଶୀ କୃଷି ଉତ୍ପାଦକ କମ୍ପାନୀର ଖାଦ୍ୟ ଷ୍ଟଲ୍। ଏହି ଷ୍ଟଲ୍ ର ମୁଖ୍ୟ ଆକର୍ଷଣ ଥିଲା ମାଣ୍ଡିଆରେ ପ୍ରସ୍ତୁତ ସୁପ୍, ପକୁଡି ଓ ଅନ୍ୟାନ୍ୟ ତୁରନ୍ତ ପ୍ରସ୍ତୁତ ହେଉଥିବା ଖାଦ୍ୟ। ଆଜିର ଏହି ସମାଜରେ ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ଏହି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ତଥା ସଭ୍ୟମାନଙ୍କୁ ଲୋକେ ଏହି ପଦକ୍ଷେପ ପାଇଁ ସାଧୁବାଦ୍ ମଧ୍ୟ ଜଣାଇଥିଲେ


ଆଜିର ଏହି ଉଦଘାଟନୀ ଅବସରରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଯୋଗ ଦେଇ କୃଷି ଓ କୃଷକ କିପରି ସମାଜ ପାଇଁ ଜରୁରୀ ତାହା ବର୍ଣ୍ଣନା କରିଥିଲେ। ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ୍ ମହାଜନ, ଉତ୍ତର ଜୋନର କୃଷି ଅଧିକ୍ଷଣ ଯନ୍ତ୍ରୀ ପୃଥ୍ୱୀରାଜ ମହାନ୍ତି, ସୁନ୍ଦରଗଡ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହରିହର ନାଏକ, ସୁନ୍ଦରଗଡ କୃଷି ଏକ୍ଜିକ୍ୟୁଟିଭ ଯନ୍ତ୍ରୀ ପରମାନନ୍ଦ ପ୍ରଧାନ, କୃଷି ଉନ୍ନୟନ ଅଧିକାରୀ ଜଗଦୀଶ ବେହେରା ଓ ଜଗନ୍ନାଥ ଦାଶ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ଡ଼ିସେମ୍ବର ୧୬ ତାରିଖ ଯାଏଁ ଚାଲିବ ବୋଲି ଜିଲ୍ଲା କୃଷି ଅଧିକାରୀ ହରିହର ନାଏକ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.