ସ୍କୁଲ ଆସିଲେନି ଶିକ୍ଷକ, ଛାତ୍ରଛାତ୍ରୀ ଫାଟକ ବାହାରେ ବସି ପଢିଲେ ପାଠ

ଦାରିଙ୍ଗବାଡ଼ି,୫/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବଡ଼ାବାଙ୍ଗା ପଞ୍ଚାୟତ ଅଧିନସ୍ତ ଡିଡ୍ରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅନୁପସ୍ଥିତି କୁ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିଯୋଗ ହୋଇଛି। ଡ଼ିଡ୍ରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ତିନିଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ହେଲେ ଗତକାଲି ତିନିଜଣ ଶିକ୍ଷକ ଅନୁପସ୍ଥିତ ରହିବାରୁ, ସ୍କୁଲରେ ତାଲା ପଡ଼ି ରହିବା ଫଳରେ ଛାତ୍ରଛାତ୍ରୀ ମାନେ ଫାଟକ ବାହାରେ ବସି ଅପେକ୍ଷା କରି ନିଜେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। ମଧ୍ୟାହ୍ନ ଭୋଜନ ନ ପାଇ ଦିନ ତମାମ ଭୋକରେ ରହିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ପ୍ରକାରେ ଉକ୍ତ ବିଦ୍ୟାଳୟ ର ଶିକ୍ଷକ ମାନେ ପ୍ରାୟତଃ ଅଧିକାଂଶ ଦିନ ମାନଙ୍କରେ ଅନିୟମିତତା ଭାବେ ବିଦ୍ୟାଳୟକୁ ଆସିବା ସହିତ ଛାତ୍ରଛାତ୍ରୀ ଙ୍କୁ ଶ୍ରେଣୀ କୋଠରୀ ଭିତରେ ବସେଇଦେଇ ବିଭିନ୍ନ କାମର ବାହାନାରେ ବାହାରକୁ ଯାଇ ମଦ୍ୟ ପାନ କରି ଆସିବା ମଧ୍ୟ ସାଧାରଣ ରେ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ଉକ୍ତ ଡିଡ୍ରବାଡ଼ି ଗ୍ରାମ ପ୍ରଥମେ ରାଇକିଆ ବ୍ଲକ ଅଧୀନରେ ରହିଥିଲା। ଲୋକଙ୍କର ସୁବିଧା ପାଇଁ ବର୍ତ୍ତମାନ ତାହା ଦାରିଙ୍ଗବାଡ଼ି ବ୍ଲକ ଅଧୀନରେ ସାମିଲ କରାଯାଇଛି। ହେଲେ ଡିଡ୍ରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନକୁ ଆସିବା ପରିବର୍ତ୍ତେ ରାଇକିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ବର୍ତ୍ତମାନ ଯାଏ ରହି ଆସିଛି। ଶିକ୍ଷକଙ୍କ ଅବହେଳାରୁ ଛାତ୍ର ଛାତ୍ରୀ ଶିକ୍ଷା ପାଇବାରେ ବଞ୍ଚିତ ରହିବା ନେଇ ସ୍କୁଲ କମିଟି ସଭାପତି ଯୁଗଳ ନାୟକ ସହିତ ଅଭିଭାବକ ଜୟଲଳିତା ଦିଗାଲ ତଥା ଗ୍ରାମବାସୀ ଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କୌଣସି ହସ୍ତକ୍ଷେପ ନ କରିବା ସାଧାରଣ ରେ ଅଭିଯୋଗ ହେଉଛି। ଏଣୁ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମ ବାସୀ ପକ୍ଷରୁ ଦାବୀ ହେଉଛି ।

nis-ad
Leave A Reply

Your email address will not be published.