ଚାଷୀଙ୍କୁ ଘାରିଛି ଲଘୁଚାଷ ବର୍ଷା ଆଶଙ୍କା : ବର୍ଷା ହେଲେ ଝଡିପଡିବ ପାଚିଲା ଧାନ…


ହିଞ୍ଜିଳିକାଟୁ, ୨/୧୨ : ଧାନକ୍ଷେତରେ ପାଚିଲା ଧାନକେଣ୍ଡା ହସି ଉଠୁଛି । ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଧାନକଟା । ଏଭଳି ସ୍ଥିତିରେ ଚାଷୀଙ୍କୁ ମନରେ ଭୟର ସଞ୍ଚାର ଦେଖାଦେଇଛି ଲଘୁଚାପ ବର୍ଷା । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ହିଞ୍ଜିଳିକାଟୁ ଅଞ୍ଚଳର ଚାଷୀକୂଳ । ଲଘୁଚାପ ପ୍ରଭାବରେ ଯଦି ଦକ୍ଷିଣ ଓଡିଶାର ଗଞ୍ଜାମ ଜିଲ୍ଲା ସମେତ ୫ଟି ଜିଲ୍ଲାରେ ପ୍ରବଳ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯଦି ବର୍ଷା ହୁଏ ତେବେ ଧାନ କ୍ଷେତରେ ହସି ଉଠୁଥିବା ପାଚିଲା ଧାନକେଣ୍ଡା ଝଡି ନଷ୍ଟ ହୋଇଯିବ ବୋଲି ସ୍ଥାନୀୟ ଅଞ୍ଚଳର ଚାଷୀକୂଳ ଆଶଙ୍କା କରିଛନ୍ତି । ଏହିକ୍ରମରେ ଆଗୁଆ ଚାଷ ହୋଇଥିବା ଗାଁ ଗୁଡିକରେ ଚାଷୀ ମାନେ ଧାନକାଟି ସୁରକ୍ଷିତ ସ୍ଥାନକୁ ନେଇଯାଉଥିବା ଦେଖିବାକୁ ମିଳିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨ ଦିନ ଧରି ବର୍ଷା ହେବ ବୋଲି ଅନୁମାନ କରାଯାଉଥିଲା । ହେଲେ ଶନିବାର ଅପରାହ୍ନରେ ସ୍ଥାନୀୟ ଅଞ୍ଚଳରେ ପାଗ ମେଘୁଆ ରହିଛି । କେତେବେଳେ ଯେ ବର୍ଷା ହେବ ତାହାର କିଛି ଠିକ୍ ଠିକଣା ନାହିଁ । ବର୍ଷା ଆଶଙ୍କା କରି ଚାଷୀ ମନରେ ଭୟ ଆଶଙ୍କା ଦେଖାଦେଇଛି । ଆଗାମୀ ସପ୍ତାହେ ମଧ୍ୟରେ ଯଦି ବର୍ଷା ହୁଏ ତାହଲେ ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ଅମଳ କରିଥିବା ବର୍ଷଯାକର ସୁନାର ଫସଲ ନଷ୍ଟ ହୋଇଯିବ ଏବଂ ଆଗକୁ ଏହା ବିପଦ ଆଣିବ ବୋଲି ଚାଷୀକୂଳ ଆଶଙ୍କା କରିଛି । ଚଳିତ ଖରିଫ ଋତୁରେ ହିଞ୍ଜିଳିକାଟୁ ବ୍ଳକରେ ୯୭୦୩ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିବା କୃଷି ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ପ୍ରତିବର୍ଷ ଧାନ ଫସଲ ନଷ୍ଟ ହେଉଛି । ଏବେ ଯଦି ବର୍ଷା ହୁଏ, ତେବେ ଚାଷୀଙ୍କ ପାଚିଲା ଧାନ ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବ । ବର୍ଷାମାଡରେ ଧାନର ରଙ୍ଗ ଫିକା ପଡିବା ସହିତ ଚାଉଳ ଗଡି ଗଡି ହୋଇଯିବାର ଆଶଙ୍କା ରହିଛି ବୋଲି ଚାଷୀକୂଳ କହିଛନ୍ତି । ଅନ୍ୟପକ୍ଷରେ ବର୍ଷା ଅଭାବ ଯୋଗୁଁ ବିଳମ୍ବରେ ରୂଆ ବେଉଷଣ ହୋଇଥିବା କିଛି ଜମିରେ ଏଯାବତ ଧାନକେଣ୍ଡା ଭଲ ଭାବରେ ବାହାରିନଥିବା ବେଳେ କିଛିଟା ବର୍ଷାର ଆବଶ୍ୟକତା ରହିଛି ବୋଲି କିଛି ଚାଷୀ କହିଛନ୍ତି ।

nis-ad
Leave A Reply

Your email address will not be published.