ତ୍ରିଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ: ପୁରୁଣାପାଣି ଚମ୍ପିୟାନ

ଦେବଗଡ : ବାରକୋଟ ବ୍ଲକ ରମ୍ଭେଇ ଗ୍ରାମ ପଂଚାୟତ ଅନ୍ତର୍ଗତ ବୁଟିଆଡିହୀ ଗ୍ରାମରେ ଇଲେଭେନ ବ୍ରଦର୍ସ କ୍ଲବ ଆନୁକୂଲ୍ୟରେ ଗତ ମଙ୍ଗଳବାର ଦିନ ଆରମ୍ଭ ହୋଇଥିବା ତ୍ରିଦିବସୀୟ ଫୁଟବଲ ପ୍ରତିଯୋଗିତା ଗୁରୁବାର ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଶିରୋଡିହି ଫୁଟବଲ ଦଳକୁ ପରାସ୍ତ କରି ପୁରୁଣାପାଣି ଫୁଟବଲ ଦଳ ଚମ୍ପିୟାନ ହୋଇଛି । ଆଜି ସଂଧ୍ୟାରେ ଆୟୋଜକ ଇଲେଭେନ ବ୍ରଦର୍ସ କ୍ଲବର ସଭାପତି ସନାତନ କିସାନଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଯୋଗଦେଇ ଚମ୍ପିୟାନ ପୁରୁଣାପାଣି ଫୁଟବଲ ଦଳ ଓ ରନର୍ସ ଅପ୍ ଶିରୋଡିହୀ ଫୁଟବଲ ଦଳକୁ ଟ୍ରଫିସହ ନଗଦଅର୍ଥ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗ୍ରାମର ବରିଷ୍ଠ ନାଗରିକ ବନମାଳୀ ଖଡିରତ୍ନ ଓ ଲକ୍ଷ୍ମଣ କୁମାର ସାହୁ ଯୋଗ ଦେଇଥିଲେ । ଶେଷରେ କ୍ଲବର ସମ୍ପାଦକ ପ୍ରହ୍ଲାଦ ଉଦାବର ଧନ୍ୟବାଦ ଅର୍ପଣ କରିଥିଲେ । ରେଫରୀ ଭାବେ ପଦ୍ମଚରଣ ଗୁରୁ, ରିଙ୍କୁ ସିଂ, କାଳିଚରଣ ବେହେରା ଓ ବିପିନ ବିହାରୀ ନାୟକ ମ୍ୟାଚ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ଫକୀର ମୋହନ ଦଳବେହେରା, କୃଷ୍ନଚନ୍ଦ୍ର ନାୟକ ଓ ପ୍ରାଣବନ୍ଧୁ ଖିଲାର ମ୍ୟାଚର ଧାରା ବିବରଣି ପ୍ରଦାନ କରିଥିଲେ । ଗତ ମଙ୍ଗଳବାର ଦିନ ଆରମ୍ଭ ହୋଇଥିବା ଏହି ତ୍ରି ଦିବସୀୟ ପ୍ରତିଯୋଗିତାକୁ ମୂଖ୍ୟ ଅତିଥି ଭାବେ ରମ୍ଭେଇ ଗ୍ରାମ ପଂଚାୟତର ସରପଂଚ ରଶ୍ମିତ ରଞ୍ଜନ ବେହେରା ଉଦଘାଟନ କରିଥିଲେ ।

nis-ad
Leave A Reply

Your email address will not be published.