ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ:- ୧୬/୧୧- ସୁନ୍ଦରଗଡ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ସ୍ଥାନୀୟ ବିକାଶ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ଼ା. ପରାଗ ହର୍ଷଦ ଗାଭାଲୀ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ସଦର ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ରାଜଗାଙ୍ଗପୁର ବିଧାୟକ ଡଃ. ରାଜେନ ଏକ୍କା, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ , ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମନୋଜ ମହାଜନ, ବଣାଇ ଉପ ଜିଲ୍ଲାପାଳ ସୁରଞ୍ଜନ ସାହୁ ଯୋଗ ଦେଇ ଜିଲ୍ଲାର ଧାନ ସଂଗ୍ରହ ପ୍ରକିୟା ଉପରେ ଆଲୋଚନା କରିଥିଲେ।
ଚାଷୀମାନଙ୍କୁ ସବନିମ୍ନ ସହାୟକ ମୂଲ୍ୟ ଯୋଗାଇ ଦେବା, ଧାନରୁ ଏକ ପ୍ରକାର ପ୍ର୍ରକ୍ରିୟାକରଣ କରି ଚାଉଳ ବାହାର କରିବା ଆଦି ଲକ୍ଷ୍ୟ ନେଇ ଚଳିତ ବର୍ଷ ଖରିଫ ଧାନ ନିମନ୍ତେ ଡିସେମ୍ବର ମାସ ୧୫ ତାରିଖ ଧାନ ସଂଗ୍ରହ ତାରିଖ ଏହି ବୈଠକ ରେ ଧାର୍ଯ୍ୟ କରାଯାଇଅଛି। ଏଥିପାଇଁ ଜିଲ୍ଲାରେ ୧୩୪ ଗୋଟି ଧାନ ସଂଗ୍ରହ କେନ୍ଦ୍ର ଖୋଲାଯିବାର ଲକ୍ଷ୍ୟ ରଖା ଯାଇଛି, ଯେଉଁଥିରେ କି ୮ ଗୋଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠି, ୪୪ ଟି ଲ୍ୟାମ୍ପସ, ଗୋଟିଏ ଏମପିସିଏସ ଏବଂ 2 ଟି
ଆରସିଏମଏସ ରହିଛି।

 ଚଳିତ ବର୍ଷ ପଂଜୀକୃତ ହୋଇଥିବା ୫୩୭୯୮ ଜଣ ଚାଷୀଙ୍କ ଠାରୁ  ଧାନ ସଂଗ୍ରହ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଥି ନିମନ୍ତେ ସରକାର ପ୍ରଥମ ପର୍ଯ୍ୟାୟରେ ୧୮୯୪୧୧.୭୬୫ ମେଟ୍ରିକ୍ ଟନ ଧାନ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି ଧାନ ସଂଗ୍ରହ କାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମଧ୍ୟ ସହାୟତା ନିଆଯିବ । ଚଳିତ ବର୍ଷ ପରି ଏଥର ମଧ୍ୟ ୮ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି କାମରେ ଲଗାଯିବ । ଏହି ଧାନ ସଂଗ୍ରହ ପ୍ରକ୍ରିୟାକୁ ସହଜ  କରିବା ପାଇଁ ଜିଲ୍ଲା ସ୍ତରରେ କଂଟ୍ରୋଲ ରୁମ ସ୍ଥାପନ କରାଯାଇ ଏକ ସ୍ୱତନ୍ତ୍ର ହେଲ୍ପ ଲାଇନ୍ ନମ୍ବର ୧୮୦୦୪୩୫୭୪୬୧ ଜାରୀ କରାଯାଇଛି,  ଏହାଛଡା ଧାନ ସଂଗ୍ରହ ନିମନ୍ତେ ଅନ୍ୟାନ୍ୟ ସୂଚନା କିମ୍ବା ପ୍ରଶ୍ନ ରହିଥିଲେ ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ ର ବରିଷ୍ଠ ଅଧିକାରୀ ମାନଙ୍କୁ ମଧ୍ୟ ଚାଷୀମାନେ ଯୋଗାଯୋଗ କରିପାରିବେ। ଧାନ ସଂଗ୍ରହ ମଣ୍ଡିରେ ଗୋଦାମ, ପିଣ୍ଡି, ପରୀକ୍ଷା ଉପକରଣ, ପାନୀୟ ଜଳ ଏବଂ ଶୌଚାଳୟ ଇତ୍ୟାଦି ପ୍ରସ୍ତୁତ କରି ରଖିବାକୁ ସବୁ ଅନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ପଞ୍ଜୀକୃତ ହୋଇଥିବା ଚାଷୀ କେବେ ଆଉ କେତେ ପରିମାଣର ଧାନ ବିକି ପାରିବେ ସେ ନେଇ ଆଗୁଆ ସୂଚନା ଚାଷୀମାନଙ୍କୁ ଏସଏମଏସ ମାଧ୍ୟମରେ ମିଳିପାରିବ ବୋଲି ବୈଠକ ରେ ସୂଚନା ଦିଆଯାଇଥିଲା । ସବୁ ବର୍ଷ ପରି ଏବର୍ଷ ମଧ୍ୟ ମଣ୍ଡି ପରିଚାଳନା ଭାର ପ୍ରାଥମିକ କୃଷି ସମବାୟ ସମିତି ଏବଂ ମହିଳା ସ୍ୱୟଂ ସହାୟକ ଦଳମାନଙ୍କ ଉପରେ ନ୍ୟସ୍ତ ହେବ ବୋଲି ସୂଚନା ଦିଆଯାଇଥିଲା।
ଆଜିର ଏହି ବୈଠକ ରେ ଜିଲ୍ଲା ଯୋଗାଣ ଅଧିକାରୀ ଦୁର୍ଗା ଚରଣ ବେଶ୍ରା, ଅତିରିକ୍ତ ଯୋଗାଣ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବହୁ ସଂଖ୍ୟା ରେ ଚାଷୀ ଏବଂ ମିଲର୍ସ୍ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.