ଭୁବନେଶ୍ବର : ଗତ ୧୪ ନଭେମ୍ବର ୨୦୨୩ ରେ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ପ୍ରେସ ବିବୃତି ଜାରି କରାଗଲା । ବିବୃତି ମୁତାବକ, ଅନୁସୂଚିତ ଜନଜାତି ମାନଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟରେ ଅନୁସୂଚିତ ଅଞ୍ଚଳରେ ରେଗୁଲେସନ-୨,୧୯୫୬ ଆଇନ ପ୍ରଚଳନ ହୋଇ ଆସୁଅଛି । ୨୦୦୨ମସିହାରେ ଏହି ଆଇନରେ କେତେକ ସଂଶୋଧନ ଫଳରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ତା’ର ସ୍ଥାବର ସମ୍ପତ୍ତି କେବଳ ସେହି ବର୍ଗର ବ୍ୟକ୍ତିକୁ ହିଁ ହସ୍ତାନ୍ତର କରିପାରିବ । ଏହି ଆଇନ ଅନୁଯାୟୀ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି, କେବଳ କୃଷି ଉଦ୍ଦେଶ୍ୟରେ ତା’ର ଜମିକୁ ଯେକୌଣସି ସର୍ବସାଧାରଣ ଅର୍ଥକରି ସଂସ୍ଥାରେ ବନ୍ଧକ ରଖୁପାରିବ । ଆଇନରେ ଏପରି ବ୍ୟବସ୍ଥା ଦ୍ବାରା ଅନୁସୂଚିତ ଜନଜାତି ବର୍ଗର ଶିକ୍ଷିତ ଯୁବକ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଅସୁବିଧାକୁ ହୃଦୟଙ୍ଗମ କରି ଅନୁସୂଚିତ ଜନଜାତି ପରାମର୍ଶଦାତା ପରିଷଦର ସୁପାରିଶକୁ ଭିଭିକରି ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଆଇନରେ କେତେକ ସଂଶୋଧନ କରିବାକୁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଅଛି ।
ଯାହାଫଳରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଉପ-ଜିଲ୍ଲାପାଳଙ୍କ ଠାରୁ ଲିଖିତ ଅନୁମତି କ୍ରମେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉପହାର କରିପାରିବେ ଅଥବା କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କର ଉଚ୍ଚ ଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସର୍ବସାଧାରଣ ଅର୍ଥକରି ସଂସ୍ଥାରେ ବନ୍ଧକ ରଖି ଋଣ ଆହରଣ କରିବା ସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବ । ହେଲେ ଏହି ବ୍ୟକ୍ତି ଯେପରି ଭୂମିହୀନ ବା ଗୃହଶୂନ୍ୟ ନହୁଏ, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ ଉଚିତ । ଯଦି ଉପ-ଜିଲ୍ଲାପାଳ ଅନୁମତି ନ ଦିଅନ୍ତି, ତାହେଲେ ସେ ବ୍ୟକ୍ତି ଛଅ ମାସ ମଧ୍ୟରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ, ଯାହାକି ଚୁଡାନ୍ତ ନିଷ୍ପତ୍ତି ହେବ ।
ତେବେ ନିର୍ବାଚନ ପୂର୍ବରୁ ଏହା ଆଦିବାସୀଙ୍କ ପ୍ରତି ଛଳନାତ୍ମକ ଆସ୍ପର୍ଦ୍ଧା ବୋଲି ପ୍ରାୟ ସମସ୍ତ ବିରୋଧୀ ଦଳ ମାନେ ମତବ୍ୟକ୍ତ କରିଛନ୍ତି । ସେପଟେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ,ଏଥର ଅଣ ଆଦିବାସୀ ଧନୀ ଲୋକ ଓ କର୍ପୋରେଟ ମାନଙ୍କ ପାଇଁ ଆଦିବାସୀଙ୍କ ଜମି ନେବା ଏକଦମ୍ ସହଜ ହୋଇଗଲା । ଏହା ସହ ଜମି ଓ ଜଙ୍ଗଲ ଉପରେ ଆଦିବାସୀଙ୍କ ଅଧିକାର ପାଇଁ ସଂଗଠିତ ଐତିହାସିକ “ଉଲଗୁଲାନ୍”ର ମହାନ୍ ନାୟକ ଶହୀଦ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ରାଜ୍ୟର ଏକ ଚତୁର୍ଥାଂଶ ଲୋକଙ୍କୁ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରଙ୍କ ଆଉ ଏକ ଉପହାର ବୋଲି କହି ବିଦ୍ରୁପ କରାଯାଇଥିବା ମଧ୍ଯ ଦେଖିବାକୁ ମିଳିଛି।
ଇତି ମଧ୍ୟରେ ରାଜ୍ୟ ଆଦିବାସୀ ବିକାଶ ମନ୍ତ୍ରଣାଳୟର ସୁପାରିଶ ଅନୁଯାୟୀ ସବୁ କିଛି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଥିବା ପରିପ୍ରେକ୍ଷୀରେ ମୁହଁ ଖୋଲିଛନ୍ତି ରାଜ୍ୟ ଆଦିବାସୀ ବିକାଶ ମନ୍ତ୍ରଣାଳୟ ସଦସ୍ୟା ତଥା ସାମାଜିକ କର୍ମୀ ମିସ୍ ଜୟନ୍ତୀ ବୁରୁଦା । ସାମାଜିକ ଗଣମାଧ୍ୟମ ଅର୍ଥାତ୍ ନିଜର ଫେସବୁକ୍ ହ୍ୟାଣ୍ଡେଲ୍ ରୁ ପୋଷ୍ଟ କରିଛନ୍ତି ରାଜ୍ୟ ସରକାରଙ୍କ ନିଷ୍ପତି କେବଳ ଶୁଣାଇବା ପାଇଁ ବୋଧ ହୁଏ ସଭା ଆୟୋଜନ କରାଯାଇଥିଲା । କୌଣସି ବିଚାର ବିମର୍ଷ ବିନା କେବଳ ସମର୍ଥକ ଦଳୀୟ ସଭ୍ୟ ବିଧାୟକ ଓ ସାଂସଦ ମାନେ ସମର୍ଥନ କରି ଘଟଣାର ଗୁରୁତ୍ଵତାକୁ ଉପେକ୍ଷା କରି ଦିଆଗଲା । ଏହା ସମେତ ସାମ୍ପ୍ରତିକ କ୍ୟାବିନେଟ୍ ଅନୁମୋଦନକୁ ଖୋଲା ଖୋଲି ସେ ବିରୋଧ କରିବା ସହ ଆଦିବାସୀ ଅସ୍ମିତା ଓ ସ୍ୱାଧୀନତା ଆନ୍ଦୋଳନ ସମୟରେ ଦେଶ ମୁକ୍ତି ସହ ଜଳ, ଜଙ୍ଗଲ, ଜମି ପାଇଁ ସାଲିସ୍ ବିହୀନ ସଂଗ୍ରାମରେ ଆତ୍ମଝାସ ଦେଇଥିବା ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଭଳି ଏକ ପବିତ୍ର ଦିନରେ ଏଭଳି ସଂଶୋଧନ ଆଦିବାସୀ ବିରୋଧି ଏବଂ ରାଜ୍ୟ ସରକାରଙ୍କ ଆଦିବାସୀଙ୍କ ପ୍ରତି ଏହି ଐତିହାସିକ ଅନ୍ୟାୟକୁ ରାଜ୍ୟର ଆଦିବାସୀ କେବେ ଭୁଲିବେ ନାହିଁ ବୋଲି ସେ ଅଭିହିତ କରିଛନ୍ତି।
ତେବେ ଗଣତନ୍ତ୍ରରେ ସଂଖ୍ୟା ଗରିଷ୍ଠ ହିଁ ଶାସନ କରିଥାନ୍ତି । ସଂଖ୍ୟା ଗରିଷ୍ଠଙ୍କ ମତ ହିଁ ସର୍ବଶ୍ରେଷ୍ଠ ସିଦ୍ଧାନ୍ତ ରୂପେ ଗୃହୀତ ହୋଇଥାଏ। ସୁତରାଂ ସଂଖ୍ୟା ଗରିଷ୍ଠତାର ଶକ୍ତିରେ ଶକ୍ତିମାନ ହୋଇ ଶାସକ ଦଳ ନିଜର ମନମୁଖୀ ଆଇନ୍ ପ୍ରଣୟନ କରିବା, ଟିକସ ବସାଇବା ଆଦି କାର୍ଯ୍ୟ କରିବା ଅନେକ ସମୟରେ ଦେଖିବାକୁ ମିଳିଥାଏ । ଏହା ସହ ଗଣତନ୍ତ୍ରର ସବୁଠାରୁ ବଡ଼ ଦୁର୍ବଳତା ହେଲା ଯେ, ଶତକଡା ୫୧ ଭାଗ ସଦସ୍ୟଙ୍କର ଶତକଡା ୪୯ ଭାଗ ସଦସ୍ୟଙ୍କ ଉପରେ ମନମୁଖୀ ଶାସନ ଜାହିର୍ କରନ୍ତି । ଗଣତନ୍ତ୍ରକୁ ଲୋକଙ୍କର ଶାସନ ରୂପେ ଅଭିହିତ କରାଯାଉଥିଲେ ହେଁ ବାସ୍ତବରେ ଏଥିରେ ସଂଖ୍ୟା ଗରିଷ୍ଠଙ୍କର ଦୌରାତ୍ମ୍ୟ ହିଁ ଚାଲି ଆସୁଥିବାର ଅନେକ ନଜିର ରହିଛି । ତେବେ ଦେଖିବାକୁ ଅପେକ୍ଷା ରହିଲା, ପ୍ରକୃତରେ ଯେଉଁ ଆଦିବାସୀଙ୍କ କଲ୍ୟାଣକୁ ରାଜ୍ଯ ସରକାର ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ଆଗାମୀ ଦିନରେ ସେହି ଆଦିବାସୀ ସମ୍ପ୍ରଦାୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କିଭଳି ଆଭିମୁଖ୍ୟ ରଖୁଛନ୍ତି ।