ମହୁରୀକାଳୁଆ ଯାତ୍ରା ମହୋତ୍ସବ ପରିଚାଳନା ସକାଶେ ସମନ୍ବୟ ବୈଠକ


ହିଞ୍ଜିଳିକାଟୁ, ତା ୧୫/୧୧ : ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡା ଗ୍ରାମରେ ଚଳିତ ମାସ ୧୯ ତାରିଖ ଠାରୁ ସପ୍ତାହେ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ମା’ମହୁରୀ କାଳୁଆଙ୍କ ଯାତ୍ରାତ୍ସୋବ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ବୁଧବାର ସ୍ଥାନୀୟ ପୌର କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଅଧ୍ୟକ୍ଷତା କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଥାନା ଆଇଆଇସି ଶ୍ରୀନିବାସ ସେଠି, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ଚିକିତ୍ସକ ଡାକ୍ତର ମାଧବ କୁମାର ସାହୁ, ଯାତ୍ରା କମିଟି ସଭାପତି ନିଳମଣି ପଟ୍ଟନାୟକ ମଞ୍ଚାସିନ ଥିଲେ। ଯାତ୍ରାର ପ୍ରଥମ ଦିବସ ରବିବାର ମା’ମହୁରୀ କାଳୁଆଙ୍କ ଆଗମନ ସହ ନଗର ପରିଭ୍ରମଣ, ତୃତୀୟ ଦିବସ ମଙ୍ଗଳବାର ଦିନ ଅଧିବାସ ଓ ୨୪ ପ୍ରହର ନାମଯଜ୍ଞ ଆରମ୍ଭ, ଷଷ୍ଠ ଦିବସ ଶୁକ୍ରବାର ଦଧିଭାଣ୍ଡ ଭଗ୍ନ, ନାମଯଜ୍ଞ ପୂର୍ଣ୍ଣାହୁତି ଓ ଅନ୍ନଯଜ୍ଞ ସହ ପ୍ରସାଦ ସେବନ, ସପ୍ତମ ଦିବସ ଶନିବାର ଘୃତଯଜ୍ଞ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଅନ୍ତିମ ଦିବସ ରବିବାର ଦିନ ମା’ମହୁରୀ କାଳୁଆଙ୍କ ପ୍ରତ୍ୟାଗମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଯାତ୍ରର ସୁପରିଚାଳନା ସକାଶେ ଆଇନଶୃଙ୍ଖଳା ପରିସ୍ଥିତି, ପାନୀୟଜଳ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ପରିମଳ ଓ ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ ସେବା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଆଇନ ଶୃଂଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଯାତ୍ରାର ପ୍ରଥମ ଓ ଅନ୍ତିମ ଦିବସରେ ନିକଟସ୍ଥ ଅଞ୍ଚଳର ଦେଶୀ ମଦ ଦୋକାନ ବନ୍ଦ ରଖବା ପାଇଁ ଯାତ୍ରା କମିଟି ପକ୍ଷରୁ ଅବକାରୀ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ଯାତ୍ରା ଦିବସରେ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସଂପୃକ୍ତ ଗ୍ରାମରେ ଅସ୍ଥାୟୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସ୍ଥାପନ କରିବା ପାଇଁ ଅନୁରୋଧ କରିଥିଲେ। ବୈଠକରେ ଅଗ୍ନିଶମ ଅଧିକାରୀ ଅନୁପସ୍ଥିତ ଥିବାରୁ ଉଦବେଗ ପ୍ରକାଶ ପାଇଥିଲା । ଆୟୋଜିତ ବୈଠକରେ ଓ୍ବାଟୋକ ଉପଖଣ୍ଡ ଅଧିକାରୀ ଶ୍ରୀଧର ଦାଶ, ବିଦ୍ୟୁତ୍ ବିଭାଗୀୟ ସହକାରୀ ଯନ୍ତ୍ରୀ ସମ୍ବିତ ସାମଲ, ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଫାର୍ମାସିଷ୍ଟ ସାଗର ସାହୁ, ଅବକାରୀ ଭାରପ୍ରାପ୍ତ ଅଧିକାରୀ ସୁମିତ୍ରା ବିଶୀ, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, ପ୍ୟାରୀମୋହନ ପାଢି, କାଉନସିଲର ଶ୍ୟାମଘନ ବେହେରା, ସଞ୍ଜୟ ସ୍ବାଇଁ, ପିଙ୍କୁ ନାହାକ, ଯୁଧିଷ୍ଠିର ସ୍ବାଇଁ, ସନାତନ ନାହାକ, ସନ୍ତୋଷ ମହାରଣା, ଯାତ୍ରା ପରିଚାଳନା କମିଟି କର୍ମକର୍ତ୍ତା ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ପୌର କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.