ଶହୀଦଙ୍କୁ ଭୁଲିଗଲେ ଆଶାୟୀ ବିଧାୟକ ପ୍ରାର୍ଥୀ

ନିମାପଡ଼ା : ଅର୍ଥ ଓ ବାହୁବଳରେ ନୂଆ ନୂଆ ନେତା ସାଜିଥିବା କିଛି ବ୍ୟକ୍ତିଙ୍କର ଏବେ ନିମାପଡା ନିର୍ବାଚନ ମଣ୍ଡଳୀ ଉପରେ ନଜର ରହିଚି । ବିଧାୟକ ହେବା ପାଇଁ ଏମାନେ ଅର୍ଥଠୁ ଆରମ୍ଭ କରି ନିଜର କଳ, ବଳ ଓ କୌଶଳ ସବୁକିଛି ଲଗାଇ ଦେଇଛନ୍ତି ଏହି ଆଶାୟୀ ନେତାମାନେ । ହେଲେ କିଛିଦିନ ତଳେ ନିମାପଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗୋପ ବ୍ଲକ ବଡ଼ତରା ପଂଚାୟତ ମଲ୍ହଗ୍ରାମର ପୁଅ ପ୍ରତାପ ରଞ୍ଜନ ପରିଡା ଦେଶ ପାଇଁ ନିଜ ଜୀବନ ଦେଇ ଶହୀଦ ହୋଇଥିବା ବେଳେ ତାଙ୍କୁ ଶେଷ ଦର୍ଶନ ଓ ସଂଗ୍ରାମୀ ମାଟିର ବୀର ପୁଅକୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଭିନ୍ନ ଦଳର ପୁରୁଖା ନେତା,କର୍ମୀ ଓ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମାତ୍ର ଏହି ଆଶାୟୀ ପ୍ରାର୍ଥୀ ମାନଙ୍କ ଦେଖା ଦର୍ଶନ ମିଳିନଥିଲା ଶହୀଦ ପ୍ରତାପଙ୍କ ଶେଷ ଶୋଭା ଯାତ୍ରାରେ।

କିଛି ଆଶାୟୀ ପ୍ରାର୍ଥୀମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ସହୀଦ ପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ବାହା ବାହା ନେବାକୁ ବସିଥିବା ବେଳେ ସାଧାରଣ ଲୋକେ ଏହାକୁ ପ୍ରତ୍ୟାକ୍ଷାନ କରିବା ସହିତ ନାନା ପ୍ରକାର ସମାଲୋଚନା କରୁଥିବା ଦେଖିବାକୁ ମିଳିଛି।ପାଖରେ ଅର୍ଥବଳ ଅଛି ବୋଲି ଏହି ଆଶାୟୀ ନେତାଏ ଦଶହରା ସମୟରେ ପ୍ରବଳରୁ ଅତି ପ୍ରବଳ ଅର୍ଥ ଖର୍ଚ୍ଚ କରି ନିଜ ସମର୍ଥକଙ୍କୁ ଖୁସି କରାଇବା ସହ ନିଜ ନିଜର ପ୍ରଚାର ପ୍ରସାର ଓ ଶୁଭେଚ୍ଛା ବାର୍ତ୍ତା ବ୍ୟାନର ଲଗାଇଥିଲେ।ହେଲେ ଏହି ମାଟିର ଜଣେ ବୀର ଯବାନ ଯିଏକି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ନିମାପଡା ମାଟିକୁ ଗର୍ବିତ କରାଇଛନ୍ତି,ସେ ମହାନ ଆତ୍ମାକୁ ଶେଷ ସମ୍ମାନ ଦେବାକୁ ଏମାନଙ୍କୁ ମିଳିଲାନି ସମୟ। ଯେଉଁ ମାନଙ୍କ ଦେଶ ଓ ନିଜ ମାଟି ପ୍ରତି ସମ୍ମାନ ନାହିଁ ସେମାନେ ନେତା ହୋଇ ସାଧାରଣ ଜନତାଙ୍କର କେଉଁ ପ୍ରକାର ସେବା କରିବେ ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି।

ଖାଲି ବିଧାୟକ ହେବା ନିଶାରେ ପୁଳା ପୁଳା ଟଙ୍କା ଖର୍ଚ୍ଚ କରି ନିଜର ପ୍ରଚାର ପ୍ରସାର କରିବା ପାଇଁ ଖାଲି ପୋଷ୍ଟର ବ୍ୟାନର ଲଗାଇଦେଲେ କେହି ନେତା ହୋଇଯିବେନି।ପ୍ରଥମେ ନିଜ ମାଟିକୁ ଓ ମଣିଷ ଜାତିକୁ ସମ୍ମାନ ଦେଇ ଶିଖ,ତାପରେ ନେତା ହେବ ବୋଲି କିଛି ବୁଦ୍ଧିଜୀବି ମାନେ ମତ ବ୍ୟକ୍ତ କରିଛନ୍ତି।ଆଉ କିଛି ବୁଦ୍ଧିଜୀବି କୁହନ୍ତି ଯେଉଁ ମାନେ କେବଳ ସୋସିଆଲ ମିଡ଼ିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସେମାନେ କେବଳ ସେଇ ସୋସିଆଲ ମିଡିଆରେ ପ୍ରାର୍ଥୀ ହୁଅନ୍ତୁ ଏବଂ ସେଇ ସୋସିଆଲ ମିଡ଼ିଆରେ ବିଧାୟକ ହେବା କଥା ଭାବି ଭାବି ଦିନ ଆସିବ ତାଙ୍କ ଭାବନା ସେହି ଭାବନାରେ ହିଁ ରହିଯିବ ।ଆଉ ମଧ୍ୟ ଏମାନଙ୍କୁ ସାଧାରଣ ଲୋକେ କେବେ ଗ୍ରହଣ କରିବେ ନାହିଁ।
ନିମାପଡା ରୁ ଅଜିତ ରଞ୍ଜନ

nis-ad
Leave A Reply

Your email address will not be published.