ବିଶ୍ବ ମିତବ୍ୟୟତା ଦିବସ ଅବସରରେ ସଚେତନତା ରଥର ଶୁଭାରମ୍ଭ

ଛତ୍ରପୁର : ବିଶ୍ବ ମିତବ୍ୟୟତା ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସଚେତନତା ବାର୍ତ୍ତା ପହଚାଇଛି । ସୋମବାର ପୂର୍ବାହ୍ନ ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସଚେତନତା ରଥଟିକୁ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶୁଭାରମ୍ଭ କରିଥିଲେ । ମିତବ୍ୟୟୀ ହେବା ସଞ୍ଚୟକୁ ଅଭ୍ୟାସରେ ପରିଣତ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସକାଶେ ଜରୁରୀ ଅଟେ । ଏହି ସ୍ବଳ୍ପ ସଞ୍ଚୟ ବ୍ୟକ୍ତିର ଆର୍ଥିକ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ସାଥେସାଥେ ନିହାତି ଜରୁରୀ ଆବଶ୍ୟକତା ସମୟରେ ତାର ସ୍ବଳ୍ପ ସଞ୍ଚୟକୁ ବିନିଯୋଗ କରିପାରିବ । ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଅନାବଶ୍ୟକ ଅର୍ଥ ବ୍ୟୟରୁ ନିବୃତ୍ତ ରହି ନିଜର କ୍ଷମତା ଅନୁଯାୟୀ ସଞ୍ଚୟ କରିବା ଆବଶ୍ୟକ । ଏହା ଦ୍ବାରା ଉଭୟ ଦେଶ ଓ ଦେଶବାସୀଙ୍କର ଅର୍ଥନୈତିକ ବ୍ୟବସ୍ଥା ଅଭିବୃଦ୍ଧି ହୋଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ସ୍ବଳ୍ପ ସଞ୍ଚୟ ବେଳେ ନିଜର କଷ୍ଟଲବ୍ଧ ଧନକୁ ବିନିଯୋଗ କରିବା ବେଳେ ପ୍ରତ୍ୟେକ ବ୍ୟକ୍ତି ଯେଉଁ ସଂସ୍ଥାରେ ନିଜ ପୁଞ୍ଜିକୁ ଜମା କରିବା ପୂର୍ବରୁ ଉକ୍ତ ସଂସ୍ଥା ସମ୍ପର୍କିତ ତଥ୍ୟ ଓ ଜ୍ଞାନ ହାସଲ କରିବା ଉଚିତ୍ । ନିର୍ଭରଯୋଗ୍ୟ ସଂସ୍ଥାରେ ନିଜର ପୁଞ୍ଜି ଜମା କଲେ ଯାଇ ଆଶ୍ବସ୍ତି ମିଳିବ । ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରାଇବାର ଆବଶ୍ୟକତା ରହିଛି । ନଚେତ୍ ନିଜର କଷ୍ଟଲବ୍ଧ ଧନ ବାଟମାରଣା ହେବାର ଅନେକ ସମ୍ଭାବନା ରହିଛି । ଆଜିର ଦିନରେ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ଜମା ଦେଲେ କ୍ଷତିରେ ପଡିବେ ।

ଏଣୁ ଜମାରାଶି ଜମା ଦେଲା ବେଳେ ନିର୍ଭରଯୋଗ୍ୟ ସଂସ୍ଥାରେ ବିନିଯୋଗ କରନ୍ତୁ ବୋଲି ଆର୍ଥିକ ସେବା ଓ ସଂଚୟ ସଂଗଠନ ବିଭାଗ ର ସହ ନିର୍ଦେଶକ ଧ୍ରୁବ ଚରଣ ନାୟକ ଅବଗତ କରାଇଥିଲେ । ସଚେତନତା ରଥର ଉଦ୍ଘାଟନୀ ସମାରୋହରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ରାଜ୍ୟ ସ୍ୱଳ୍ପ ସଂଚୟ ଉପ ନିର୍ଦେଶକ ଶଙ୍କର୍ଷଣ ପଟ୍ଟନାୟକ, ସ୍ୱଳ୍ପ ସଂଚୟ ଅଭିକର୍ତ୍ତା ସଂଘ ର ସଭାପତି ଅଶ୍ୱିନୀ କୁମାର ପଟ୍ଟନାୟକ, ଉପ ସଭାପତି ସତ୍ୟ ନାରାୟଣ ସାହୁ, କୋଷାଧ୍ୟକ୍ଷ ବିନୋଦ କୁମାର ରାଉତ, ପୁରୁଷୋତ୍ତମ ଚର୍ଚ୍ଚି, ସ୍ୱଳ୍ପ ସଂଚୟ ଅଭିକର୍ତ୍ତା ପି. ପ୍ରଭାକର, ସିମାଞ୍ଚଳ ସାହୁ, ଖିରୋଦ ଚନ୍ଦ୍ର ରଥ, ସଦାଶିବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.