ପବିତ୍ର କୋରାନର ଅନୁବାଦକ ଅବଦୁଲ କାଦର ଖାଁ ଆଉ ନାହାନ୍ତି…

ଭୁବନେଶ୍ବର : ପବିତ୍ର ଧର୍ମଗ୍ରନ୍ଥ କୋରାନର ଅନ୍ୟତମ ଅନୁବାଦକ ଜନାବ ଅବଦୁଲ କାଦର ଖାଁ ଆଉ ନାହାନ୍ତି । ଗତ ଅକ୍ଟୋବର ୨୫ ତାରିଖ ରେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ ରେ ତାଙ୍କର ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ପବିତ୍ର କୋରାନର ସମ୍ପୂର୍ଣ ଓଡ଼ିଆ ଭାଷାରେ ଅନୁବାଦ ଅବଦୁଲ କାଦର ଖାଁ ଓ ଅଧ୍ୟାପକ ଡ଼. ଅନୁଅରୁଲ ହକ ସମ୍ପର୍ଣ୍ଣ କରିଥିଲେ । ଜନାବ ଖାଁ ରାଜ୍ୟ ସରକାରଙ୍କର ଆଇନ ବିଭାଗରେ ଅଣ୍ଡର ସେକ୍ରେଟାରୀ ଭାବେ ଅବସର ଗ୍ରହଣ କରି ଅନେକ ସମାଜ ସେବା କାର୍ଯ୍ୟରେ ସାମିଲ ଥିଲେ ।

ଚନ୍ଦ୍ରଶେଖର ପୁର ସ୍ଥିତ ଶ୍ରୀ ବିହାର ଆସୋସିଏସନ ର ପ୍ରତିଷ୍ଠାତା ରହିବା ସହ ବହୁ ବର୍ଷ ପର୍ଯ୍ୟନ୍ତ ଏହାର ସଭାପତି ଥିଲେ । ଅହମଦିଆ ଜମାତ ଭୁବନେଶ୍ୱର ଶାଖାର ସେ ଅମୀର (ସଭାପତି) ଭାବେ ଅନେକ ଗଠନ ମୂଳକ କାମ କରିଯାଇଛନ୍ତି । କୋରାନର ଅନୁବାଦ ସଂଗେ ସଂଗେ ଅନେକ ଧାର୍ମିକ ପୁସ୍ତକର ମଧ୍ୟ ଅନୁବାଦ କରିଛନ୍ତି । ତାଙ୍କର ଅଧୟନ ପ୍ରତି ପ୍ରଗାଢ ଆଗ୍ରହ ଥିଲା । ସେଥିପାଇଁ ସେ ୭୪ ବର୍ଷ ବୟସରେ ଇଗନୁ (ଓପନ ୟୁନିଭର୍ସିଟି) ରୁ ରାଜନୀତି ବିଜ୍ଞାନରେ ସ୍ନାତକୋତର ପରୀକ୍ଷାରେ ଅତ୍ୟନ୍ତ ସଫଳତାର ସହ ପାସ କରିଥିଲେ । ସେ ତାଙ୍କ ପଛରେ ସ୍ତ୍ରୀ ଓ ୫ ପୁତ୍ର ଓ ପୁତ୍ରବଧୁଙ୍କୁ ଛାଡି ଯାଇଛନ୍ତି । ତାଙ୍କର ବିୟୋଗରେ ଅହମଦିଆ ଜମାତ, ଭୁବନେଶ୍ୱର ଓ ମାଣିକଗୌଡା ସ୍କୁଲ ତଥା ଶ୍ରୀବିହାର ଆସୋସିଏସନ ତରଫରୁ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ସମୂହ ପ୍ରାର୍ଥନା କରାଯାଇଛି । ଆସନ୍ତା ମାସରେ ଜନାବ ଖାଁ ଙ୍କ ନାମରେ ଏକ ସ୍ମରଣିକା ପ୍ରକାଶ ପାଇବ ତାଙ୍କୁ ଜାଣିଥିବା ସମସ୍ତ ସହୃଦୟ ବ୍ୟକ୍ତି ବିଶେଷଙ୍କୁ ଏହି ସ୍ମରଣିକା ପାଇଁ ଲେଖା ପଠାଇବାକୁ ପରିବାର ତରଫରୁ ଅନୁରୋଧ କରାଯାଇଛି ।

ଲେଖା ପଠାଇବାକୁ ଏହି ନମ୍ବରରେ ଯୋଗାଯୋଗା କରିବାକୁ କୁହାଯାଇଛି ମୋ – ୭୮୯୪୪୪୨୭୨୮ (ମହମ୍ମଦ ନୁରୁଦ୍ଦିନ ଅମିନ)

nis-ad
Leave A Reply

Your email address will not be published.