ବିଶ୍ବକପ୍ : ଇଂଲଣ୍ଡକୁ ହରାଇ ଲଗାତାର ଷଷ୍ଠ ବିଜୟ ସହ ସେମିରେ ଭାରତ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଉଥିବା ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ବିଶ୍ବକପରେ ନିଜର ଜୟଯାତ୍ରା ଜାରି ରଖିଥିବାବେଳେ ଇଂଲଣ୍ଡ କ୍ରମାଗତ ୪ର୍ଥ ପରାଜୟ ବରଣ କରିଛି । ଭାରତ ୬ଟି ମ୍ୟାଚରେ ବିଜୟ ସହ ୧୨ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ।

ଭାରତ ପକ୍ଷରୁ ଇଂଲଣ୍ଡ ଆଗରେ ୨୩୦ ରନର ଲକ୍ଷ୍ୟ ରଖିଥିବାବେଳେ ଇଂଲଣ୍ଡ ୩୪.୫ ଓଭରରେ ୧୨୯ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । କେବଳ ଲିଆମ ଲିଭିଙ୍ଗଷ୍ଟୋନ ସର୍ବାଧିକ ୨୭ ରନ କରିଥିବାବେଳେ ଆଉ କେହି ୨୦ରନ ଟପିପାରିନଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତକୁ ଆରମ୍ଭରୁ ତିନିଜଣ ତାରକା ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍, ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଓ୍ବିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗିଲ୍ ୯ ରନ, କୋହଲି ୦ ଓ ଆୟର ୪ ରନ କରି ଆଉଟ ହୋଇଥିଲେ । ତେବେ ଗୋଟିଏ ପଟେ ଓ୍ବିକେଟ ପଡ଼ିଚାଲିଥିବାବେଳେ ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ଉପଯୋଗୀ ପାର୍ଟନରସିପ କରିବା ସହ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ରୋହିତ ୮୭ ରନ କରି ଆଉଟ ହେବାସହ ଶତକରୁ ବଞ୍ଚିତ ହୋଇଥିବାବେଳେ ସୂର୍ଯ୍ୟ ୪୯ ରନ କରି ଆଉଟ ହୋଇ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୨୯ ରନ କରିଥିଲା । ଇଂଲଣ୍ଡ ପକ୍ଷରୁ ଡେଭିଡ ଓ୍ବିଲି ୩ଟି ଓ୍ବିକେଟ ନେଇଥିବାବେଳେ କ୍ରିସ ଓକସ ଓ ଆଦିଲ ରସିଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

nis-ad
Leave A Reply

Your email address will not be published.