ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ନାଳକୁ ଓଲଟିଲା ବୋଲେରୋ, ଜଣେ ମୃତ, ୩ ଗୁରୁତର…

ହିଞ୍ଜିଳିକାଟୁ (୨୭/୧୦): ଗୁରୁବାର ବିଳମ୍ବିତ ରାତ୍ର ପ୍ରାୟ ୧ଘଣ୍ଟା ସମୟରେ ୩୬ ନମ୍ବର ରାଜ୍ୟ ରାଜପଥ ତଥା ହିଞ୍ଜିଳି ଥାନା ହିଞ୍ଜିଳି – ଖରିଡା ଗ୍ରାମ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବୋଲେରୋ ଚାଳକଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀଙ୍କ ସମେତ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତା ମହିଳା ଜଣଙ୍କ ହେଲେ ଗୋପାଳପୁର ଥାନା ଡୁରା ଗ୍ରାମର କାମିନୀ ଦାସ (୨୫) ଓ ଆହତ ମାନେ ହେଲେ ମୃତକାଙ୍କ ସ୍ବାମୀ ରଜନୀକାନ୍ତ ଦାସ (୩୨), ପୁଅ ସୁଶାନ୍ତ ଦାସ (୪) ଓ ସର୍ମ୍ପକୀୟ ମମିତା ବେହେରା (୨୬) । ପ୍ରକାଶ ଯେ, ଗୁରୁବାର ରାତିରେ ଏକ ବୋଲେରୋ (ଓଡି୩୨ଜି ୨୧୪୨) ଯୋଗେ ବ୍ରହ୍ମପୁର ଠାରୁ ହିଞ୍ଜିଳି ଥାନା ଖରିଡା ଗ୍ରାମକୁ ଜୈନିକ ସର୍ମ୍ପକୀୟଙ୍କୁ ଘରେ ଛାଡି ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ହିଞ୍ଜିଳି ଥାନା ଖରିଡା – ହିଞ୍ଜିଳି ମଧ୍ୟବର୍ତ୍ତୀ ରାସ୍ତାରେ ଚାଳକ ଜଣଙ୍କ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ସହ ପ୍ବାର୍ଶ୍ବରେ ଥିବା ଏକ ନାଳ ଭିତରକୁ ବୋଲେରୋ ଗାଡ଼ିଟି ଓଲଟି ପଡିଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, କାମିନୀଙ୍କୁ ମୃତ ଘୋଷଣା କରିଥିଲେ। ଆହତ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଓ ମୃତଦେହକୁ ଜବତ କରିଛି। ଶୁକ୍ରବାର ଶବ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।

nis-ad
Leave A Reply

Your email address will not be published.