ମହିଳା କର୍ପୋରେଟରଙ୍କୁ ଠିକାଦାର ମାଡ଼ ମାରିଥିବା ଅଭିଯୋଗ, ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ ଧାରଣା ଦେବ ବିଜେପି…

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରେ ମଙ୍ଗଳବାର ଦିନ ସୀମା ନିର୍ଦ୍ଧାରଣ ବେଳେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି। ଜଣେ ଠିକାଦାର ୩୭ନମ୍ବର ୱାର୍ଡର କର୍ପୋରେଟର ବନିତା ସାହୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ବିରୋଧରେ ବିଜେପି ଧାରଣା ଦେବା ଲାଗି ଚେତାବନୀ ଦେଇଛି।
ସୂଚନା ଅନୁସାରେ ବିଏମ୍‌ସିର ୩୭ ଏବଂ ୩୮ନମ୍ବର ୱାର୍ଡର ସୀମା ନିର୍ଦ୍ଧାରଣ ପାଇଁ ଆଜି ମାପଚୁପ ଚାଲିଥିଲା। ଏଥିରେରେ ବିଏମ୍‌ସି କମିସନର ଜେ ସୋନାଲ ଓ ମେୟର ସଂଘମିତ୍ରା ଦଳେଇ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କର ଉପସ୍ଥିତିରେ ଠିକାଦାର ଜଣକ ମହିଳା କର୍ପୋରେଟରଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏହି କାରଣରୁ ବିଏମ୍‌ସିରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ଏହି ଘଟଣା ନେଇ ବିଜେପି କର୍ପୋରେଟର ବନିତା ସାହୁ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି। ସେ ନିଜ ଏତଲାରେ କହିଛନ୍ତି, ବିଗତ କାଉନସିଲ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆଜି ସୀମା ନିର୍ଦ୍ଧାରଣ ପାଇଁ କମିସନର, ମେୟର, ୩୮ ନମ୍ବର ୱାର୍ଡ କର୍ପୋରେଟର, ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପ୍ରଦୀପ ଶମ୍ଭୁପତି, ସଦସ୍ୟ ଡି କରୁଣାକର ଆଦି ଉପସ୍ଥିତ ଥିଲେ। ଏହି ସମୟରେ ୩୮ ନମ୍ବର ୱାର୍ଡର ଠିକାଦାର କିରଣ ସାହୁ ମୋତେ ଆକ୍ରମଣ କରିଥିଲେ। ଏହାର ଭିଡିଓ ମୋ ପାଖରେ ଅଛି। ମୁଁ ଜଣେ ମହିଳା ହୋଇଥିବାରୁ ଏଭଳି ଅଘଟଣର ଶିକାର ହୋଇଛି। ଏହି ଘଟଣା କାହା ନିର୍ଦ୍ଦେଶରେ ହୋଇଥିଲା। ତେଣୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ।
ଅନ୍ୟପଟରେ ଅଭିଯୁକ୍ତଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ। କିନ୍ତୁ ଅଭିଯୁକ୍ତ ଠିକାଦାରକୁ ଗିରଫ ନକରିବା ପର୍ଯ୍ୟନ୍ତ ବୈଦ୍ୟନାଥପୁର ଥାନାରେ ବିଜେପି ଧାରଣା ଦେବ ବୋଲି ଚେତାବନୀ ଦେଇଛି।

nis-ad
Leave A Reply

Your email address will not be published.